ଭୁବନେଶ୍ବର: ଜଙ୍ଗଲ ଅଧିକାର-୨୦୦୬କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ସରକାର ବିଫଳ ହେଇଥିବାରୁ ଆଦିବାସୀ ଓ ବନବାସୀ ବିପଦର ସମ୍ମୁଖୀନ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ଏମାନେ ଜଙ୍ଗଲରୁ ବିତାଡ଼ିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି କହିଛି ‘ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସିଏସ୍‌ଡି)’। 

Advertisment

ସରକାରୀ ରିପୋର୍ଟ ଦର୍ଶାଉଛି ଯେ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଜଙ୍ଗଲ ଅଧିକାର ଦାବିର ନାକଚ୍ ସଂଖ୍ୟା ୧୪ ଲକ୍ଷ ୪ ହଜାର ୧୦୪ ଥିଲା। ଏହା ଫେବ୍ରୁଆରି ୨୦୧୯ର ରିପୋର୍ଟ ସହିତ ସମାନ। ସେତେବେଳେ ସୁପ୍ରିମକୋର୍ଟ ନାକଚ୍ କରାଯାଇଥିବା ଦାବିର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨୦୧୯ ପରଠାରୁ କୌଣସି ସମୀକ୍ଷା ହୋଇନାହିଁ। ସରକାରଙ୍କ ଏହି ଭୂମିକା ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗ୍ରାମସଭା ଓ ସମ୍ପ୍ରଦାୟର କ୍ଷମତାକୁ ଦୁର୍ବଳ କରିବା; ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ, ଘରୋଇ ସଂସ୍ଥା ଏବଂ ଜଙ୍ଗଲ ମାଫିଆଙ୍କ ଦ୍ବାରା ଜଙ୍ଗଲ ନଷ୍ଟ କରିବାକୁ ଅନୁମତି ଦେବା ପାଇଁ ଉଦ୍ଦିଷ୍ଟ ବୋଲି ରେଡ୍‌କ୍ରସ୍‌ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏସ୍‌ଡି ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ବିରଞ୍ଚି ବରିହା, ନରେନ୍ଦ୍ର ମହାନ୍ତି, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଜଙ୍ଗଲ ଅଧିକାର ଆନ୍ଦୋଳନର ବିଷ୍ଣୁ ପୂର୍ତ୍ତି, ମଦନ ମାରାଣ୍ଡି, ସନ୍ଦୀପ ପଟ୍ଟନାୟକ, ଅରୁଣ ଦିହୁଡ଼ି ପ୍ରମୁଖ ଅଭିଯୋଗ କରିଛନ୍ତି। ମାମଲାକୁ ଖାରଜ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ ହସ୍ତକ୍ଷେପ କରିବା ପାଇଁ ସେମାନେ ଦାବି କରିଛନ୍ତି।