ବନ ମହୋତ୍ସବ ସପ୍ତାହ ଭେଳିକି; ନୂତନ ବନୀକରଣ ପାଇଁ ଚାରା ରୋପଣ କରାଯାଇନାହିଁ

ବାଲିଅନ୍ତା: ବନ ମହୋତ୍ସବ ସପ୍ତାହ ପାଳନ ଶେଷ ହୋଇଛି। କିନ୍ତୁ ସାମୁଦ୍ରିକ ବାତ୍ୟା ଫନି ତଥା ଅମ୍ଫାନ୍‌ରେ ଉଜୁଡ଼ି ଯାଇଥିବା ଜଙ୍ଗଲରେ ଚାରାରୋପଣ ହୋଇପାରିନାହିଁ। ସେହିପରି ଚଳିତ ବର୍ଷ କୌଣସି ସ୍ଥାନରେ ମଧ୍ୟ ନୂତନ ବନୀକରଣ ପାଇଁ ଚାରା ରୋପଣ କରାଯାଇନାହିଁ। ଏମିତିକି ଅଗ୍ନିକାଣ୍ଡରେ ଜଳି ଯାଇଥିବା ଜଙ୍ଗଲ ଜମିରେ ସାନି ଚାରା ରୋପଣ କରି ଜଙ୍ଗଲର ସବୁଜିମା ଫେରାଇ ଆଣିବା ପାଇଁ ଗ୍ରାମ୍ୟ ଜଙ୍ଗଲ କମିଟି ବାରମ୍ବାର ବନ ବିଭାଗ କର୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। ବନ ମହୋତ୍ସବ ଏକ ଭେଳିକି ବୋଲି ଚର୍ଚ୍ଚା ହେଉଛି।

ଅପରପକ୍ଷରେ ବନ ବିଭାଗର ଜଣେ ଅଧିକାରୀଙ୍କ ସୂଚନାନୁସା‌ରେ, ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏବର୍ଷ ବିଭିନ୍ନ ସ୍କୁଲ ହତାରେ ୧୦୦ ଚାରାରୋପଣ କରାଯାଇଛି। ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ଅଧୀନରେ ଥିବା ରଣପୁର ଗ୍ରାମ୍ୟ ଜଙ୍ଗଲରେ ଖରାଦିନେ ଅଗ୍ନିକାଣ୍ଡ ଘଟି ୧୦୦୦ ଗଛ ଜଳି ଯାଇଥିଲା। ଏସଂପର୍କରେ ଖବର ପାଇ ଜଙ୍ଗଲ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଅଧିକାରୀ ପହଞ୍ଚି ପୋଡ଼ି ଯାଇଥିବା ଗଛ ଗଣନା କରିଥିଲେ। ଅଗ୍ନିକାଣ୍ଡରେ ପୋଡ଼ି ଯାଇଥିବା ଗଛ ସଂଖ୍ୟା ପାଖାପାଖି ୧୦୦୦ ବୋଲି ଚିଠା କରିଥିଲେ। ବର୍ଷା ଆରମ୍ଭରୁ ଏଠାରେ ନୂଆ ଚାରାରୋପଣ ପାଇଁ ଗ୍ରାମ୍ୟ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାଏ ସେଠାରେ ଚାରା ରୋପଣ ହୋଇପାରିନାହିଁ। ୨୦୧୫/୧୬ ଆର୍ଥିକ ବର୍ଷରେ ରଣପୁର ଗ୍ରାମ୍ୟ ଜଙ୍ଗଲରେ ଚାକୁଣ୍ଡା, କୃଷ୍ଣଚୂଡ଼ା, କଦମ୍ବ, ଆକାଶିଆ, ଶିଶୁ, କସି, ପଟାସ, ଖେରଞ୍ଚ ଓ ଅର୍ଜୁନ ଆଦି ବିଭିନ୍ନ କିସମର ପ୍ରାୟ ୬୦୦୦ ଗଛ ଲଗାଯାଇଥିଲା। ଖରାଦିନେ ଅଗ୍ନିକାଣ୍ଡ ଯୋଗୁ ସେଥିରୁ ବହୁ ଗଛ ଜଳିଯାଇଥିଲା। ତେଣୁ ଖାଲି ସ୍ଥାନରେ ପୁନର୍ବାର ଚାରାରୋପଣ କରିବା ପାଇଁ ଗ୍ରାମ୍ୟ ଜଙ୍ଗଲ କମିଟି ଦାବି କରିଥିଲା।

ସେହିପରି ୧ ହେକ୍ଟର ପରିମିତ ଯଶୁଆପୁର ଶ୍ମଶାନ ଜମିରେ ମନରେଗା ଯୋଜନାରେ ୧୦୦୦ ଗଛ ଲଗାଇବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଚାରା ରୋପଣ ଆରମ୍ଭ ହୋଇନାହିଁ। ଏ ସଂପର୍କରେ ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ପ୍ରସ୍ତାବିତ ଯଶୁଆପୁର ଜଙ୍ଗଲ କଂକ୍ରିଟ ବାଡ଼ବନ୍ଦୀ ହେବା ପରେ ବୃକ୍ଷରୋପଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର