ଭୁବନେଶ୍ବର: ନରଣପୁର ତ୍ରିଶୁଳିଆ ନିକଟସ୍ଥ କେଏମ୍‌ବିବି ମହାବିଦ୍ୟାଳୟ ପରିସରରେ ଏଭରଗ୍ରିନ୍‌ ଫୋରମ୍‌ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ-୨୦୨୫ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ତ୍ତିକ ଭି. ଧ୍ବଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି ହିଁ ବନୀକରଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ବରେଣ୍ୟ ଅତିଥି ରୂପେ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ମୁଖ୍ୟ ଅନୁପ କୁମାର ନାୟକ ଯୋଗଦେଇ ଜଙ୍ଗଲର ଉପକାରିତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ଜୈବ ବିବିଧତା ବୋର୍ଡର ସଦସ୍ୟ ସଚିବ ନିହାର ରଞ୍ଜନ ନାୟକ ଯୋଗଦେଇ ଜୈବ ବିବିଧତାରେ ଜଙ୍ଗଲର ଭୂମିକା‌ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ କଟକ ବନଖଣ୍ଡର ସହକାରୀ ବନ ସଂରକ୍ଷକ ‌ସନ୍ତୋଷ କୁମାର ପତି ଯୋଗଦେଇ ବୃକ୍ଷଲତାର ଯତ୍ନ ଏବଂ ପ୍ରାଣୀ ଓ ଉଦ୍ଭିଦ ପରସ୍ପର ଉପରେ କିଭଳି ନିର୍ଭରଶୀଳ ସେ ସମ୍ପର୍କରେ ବୁଝାଇଥିଲେ। ଏଭର୍‌ଗ୍ରିନ୍‌ ଫୋରମ୍‌ ପ୍ରତିଷ୍ଠାତା ପ୍ରକାଶ କୁମାର ଜେନା ଜଙ୍ଗଲ ସମ୍ପଦର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷାନୁଷ୍ଠାନ ସମୂହର ଶିକ୍ଷା ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ। ମୋନାଲିସା ନାୟକ ମଞ୍ଚ ପରିଚାଳନା କରିଥିଲେ।