ଉଜୁଡ଼ା ଜଙ୍ଗଲକୁ ନିଆଁ ଡର

ଭୁବନେଶ୍ବର : ଶୁଖିଗଲାଣି ଉଜୁଡ଼ା ଜଙ୍ଗଲ। ଅଧାରେ ଲଟକିଛି ଭଙ୍ଗା ଡାଳ। ଶୁଖିଲା ପତ୍ରର ଗଦାରେ ଛିଡ଼ା ହୋଇଛି ଅଧା ଭଙ୍ଗା ବୃକ୍ଷ ସମୂହ। ପ୍ରଳୟଙ୍କରୀ ‘ଫନି’ ଖାଲି ଜଙ୍ଗଲକୁ ଛାରଖାର କରିଦେଇନି, ଜଙ୍ଗଲ ପାଇଁ ବଡ଼ ବିପଦକୁ ବି ଡାକିଆଣିଛି। ଶୁଖିଲା ଜଙ୍ଗଲକୁ ଯେ ନିଆଁ ଡର ଘାରିଛି ତାହାକୁ ଅସ୍ବୀକାର କରାଯାଇ ନପାରେ।

ଚନ୍ଦକା ଜଙ୍ଗଲ, ଖଣ୍ଡଗିରି, ଉଦୟଗିରି, ବରମୁଣ୍ଡାର ଅର୍ଚାଡ୍‌, କେନ୍ଦ୍ରୀୟ ହର୍ଟିକଲ୍‌ଚର, ଔଷଧୀୟ ଉଦ୍ୟାନ, ଜୟଦେବ ବାଟିକା, କଳିଙ୍ଗନଗର ଘାଟିକିଆ ଗ୍ରାମ୍ୟ ଜଙ୍ଗଲର ବ୍ୟାପକ କ୍ଷତି ଘଟିଛି। ଏହି ଜଙ୍ଗଲଗୁଡ଼ିକ ଘଞ୍ଚ ହୋଇଥିବାରୁ ଅଧାରୁ ଭାଙ୍ଗି ଲଟକିଥିବା ଗଛଗୁଡ଼ିକର ଭଙ୍ଗା ଅଂଶ ଶୁଖିଯାଇଛି। ଏଣେ ଦିନରେ ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହୁଛି। ଆଗକୁ ବି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇସାରିଲାଣି। ଏଭଳି ସ୍ଥିତିରେ ଉଜୁଡ଼ା ଶୁଖିଲା ଜଙ୍ଗଲରେ ନିଆଁ ଧରିବାର ଆଶଙ୍କା ଦେଖାଦେଇଛି।

ଛାରଖାର ହୋଇଯାଇଥିବା ସହରର ଆଭ୍ୟନ୍ତରୀଣ ଭାଗରେ ଏବେ ଭଙ୍ଗା ଗଛ ଓ ସବୁଜ ଆବର୍ଜନାକୁ ସଫା କରିବାରେ ପ୍ରଶାସନ ବ୍ୟସ୍ତ। ସହରର ୨୪ଟି ସ୍ଥାନରେ ସବୁଜ ଆବର୍ଜନାକୁ ଏକାଠି ଗଦାଯାଉଛି। ମାତ୍ର ଜଙ୍ଗଲ ଆଡ଼କୁ ଏପର୍ଯ୍ୟନ୍ତ ଦୃଷ୍ଟି ଯାଇନାହିଁ। ବିଶେଷକରି ଚନ୍ଦକା ଜଙ୍ଗଲ, ଖଣ୍ଡଗିରି, ଉଦୟଗିରି, ଘାଟିକିଆ ଗ୍ରାମ୍ୟ ଜଙ୍ଗଲରେ ଗଦା ହୋଇଥିବା ଶୁଖିଲା ପତ୍ର ଓ ଡାଳ ଶୁଖି ଯାଇଥିବାରୁ ଥରେ ନିଆଁ ଧରିଲେ ଜଙ୍ଗଲରେ ବଞ୍ଚିଯାଇଥିବା ଗଛଗୁଡ଼ିକ ବି ଜଳିପୋଡ଼ି ଛାରଖାର ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଥରେ ନିଆଁ ଲାଗିଲେ, ଏହା କେବଳ ଗଛଗୁଡ଼ିକର ବ୍ୟାପକ କ୍ଷତି ପହଞ୍ଚାଇନଥାଏ। ବନ୍ୟଜନ୍ତୁ, ପକ୍ଷୀଙ୍କ ବସା ଓ ସରୀସୃପ ସେମାନଙ୍କ ବାସ ହରାଇବା ସମ୍ଭାବନା ରହିଛି।

ଖାଲି ରାଜଧାନୀ ନୁହେଁ, ଅଧା ରାଜ୍ୟରେ ଫନିର ତାଣ୍ଡବ ଜଙ୍ଗଲ ସମ୍ପଦକୁ ଛାରଖାର କରିଦେଇଛି। ସୁଓମି ନ୍ୟାସ୍‌ନାଲ୍‌ ଅର୍ବିଟିଙ୍ଗ୍‌ ପାର୍ଟନରସିପ୍‌ ସାଟେଲାଇଟ୍‌ର ସୂଚନା ମୁତାବକ ଓଡ଼ିଶାରେ ବାତ୍ୟା ପୂର୍ବରୁ ଅର୍ଥାତ ଜାନୁଆରିରେ କେବଳ ୫୫ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଫେବ୍ରୁଆରିରେ ୩୮୫ଟି ଜାଗାରେ ଫାୟାର ସ୍ପଟ୍‌ ରେକର୍ଡ ହୋଇଥିଲା। ପ୍ରଖର ଖରା ଯୋଗୁଁ ‌ବିଭିନ୍ନ ସ୍ଥାନରେ ଜମା ହେଉଥିବା ସବୁଜ ଆବର୍ଜନା ଉପରେ ଏବେ ଅଗ୍ନିଶମ ବାହିନୀ ପକ୍ଷରୁ ଜଳ ସିଞ୍ଚନ କରାଯାଇ ଉଚିତ୍‌ ପଦକ୍ଷେପ ନିଆଯାଇଛି।

ତେବେ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିବା ଉଚିତ୍‌ ବୋଲି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ସାଧାରଣତଃ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଏ ସମୟରେ ପବନ ବହୁଥିବାରୁ ନିଆଁ ମଧ୍ୟ ଖୁବ୍‌ଶୀଘ୍ର ବ୍ୟାପିଯାଏ। ତେଣୁ ଜଙ୍ଗଲ ବିଭାଗ ଭିଲେଜ୍‌ ଲେବଲ୍‌ ଫ‌ରେଷ୍ଟ୍‌ କମିଟି (ଭିଏଲ୍‌ଏଫ୍‌ସି) ସହାୟତା ନେଇ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର