ରାଜଧାନୀରେ ଜଙ୍ଗଲୀ ଖାଦ୍ୟର ସ୍ବାଦ

ଭୁବନେଶ୍ବର,(ଆଦିତ୍ୟ ନାୟକ): ପତ୍ରପୋଡ଼ା ମାଛ ଓ ଚୁଙ୍ଗୁଡ଼ି କଥା କାନରେ ପଡ଼ିଲେ ପାଟି ଲାଳେଇ ଯାଏ। ବାଉଁଶ ପୋଡ଼ା ମଟନ୍‌ ଓ ମୁଢ଼ି ମାଂସର ବାସ୍ନା ନାକରେ ପଡ଼ିବା କ୍ଷଣି ମନ ଆପେଆପେ ସେ ଆଡ଼କୁ ଟାଣି ହୋଇଯାଏ। ସ୍ମାର୍ଟ ସିଟିର ଚାଇନିଜ୍‌, ଇଟାଲିଆନ୍‌, ମେକ୍ସିକାନ୍‌ ରେସ୍ତୋରାଁର ଭିଡ଼ ଭିତରେ ବାରି ହୋଇପଡ଼େ ଏହି ଜଙ୍ଗଲୀ ଖାଦ୍ୟ। ସିଆର୍‌ପି ଛକ ନିକଟରେ ଥିବା ଜନଜାତି ସଂଗ୍ରହାଳୟର ଜନଜାତି ଫୁଡ୍‌ କୋର୍ଟ ଅନେକ ଖାଦ୍ୟ ରଙ୍କୁଣାକୁ ମଧ୍ୟାହ୍ନରେ ଏହି ଫୁଡ୍‌କୋର୍ଟକୁ ଟାଣି ନିଏ।

୨୦୧୪ ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଫୁଡ୍‌କୋର୍ଟରେ ଯଦିଓ ଅନ୍ୟ ‌ହୋଟେଲ୍‌ ଓ ରେସ୍ତୋରାଁ ଭଳି ଲୋକଙ୍କ ଭିଡ଼ ଜମେ ନାହିଁ, ମାତ୍ର ଯେତିକି ଲୋକ ଆସନ୍ତି ସେମାନେ ଜଙ୍ଗଲୀ ଖାଦ୍ୟର ମଜା ନେଇ ଫେରନ୍ତି। କାଙ୍ଗୁ ରାଇସ୍‌, ପତ୍ରପୋଡ଼ା ଛତୁ, ବାଉଁଶପୋଡ଼ା ଚିକେନ୍‌, ସୁଆଁ କ୍ଷିରି, ମାଣ୍ଡିଆ କେକ୍‌, ମସଲା ଚା, କଫି, ଘୋଳଦହି ଓ ଲସି ଭଳି ସ୍ବାସ୍ଥ୍ୟ ଉପଯୋଗୀ ଓ ସ୍ବାଦିଷ୍ଟ ଖାଦ୍ୟ ପରସି ଦେଉଛି ଏହି ‌ଫୁଡ୍‌ କୋର୍ଟ। ବିଦେଶୀ ଖାଦ୍ୟର ମୋହରେ ପଡ଼ିଥିବା ବହୁ ବ୍ୟକ୍ତିବିଶେଷ ଏବେ ବିଦେଶୀ ଖାଦ୍ୟକୁ ମୁହଁ ମୋଡ଼ି ଖାଣ୍ଟି ଦେଶୀ ଖାଦ୍ୟର ମହକ ନେବାକୁ ରାଜଧାନୀର ବିଭିନ୍ନ ସ୍ଥାନରୁ ମଧ୍ୟାହ୍ନରେ ଏଠାକୁ ଛୁଟି ଆସନ୍ତି। ଫୁଡ୍‌ କୋର୍ଟକୁ ଲିଜ୍‌ ସୂତ୍ରରେ ନେଇଥିବା ବ୍ୟକ୍ତିଙ୍କ କହିବା ମୁତାବକ, ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଏହି ଫୁଡ୍‌ କୋର୍ଟକୁ ପ୍ରତ୍ୟେକ ଦିନ ୪୦ରୁ ୫୦ ଜଣ ବ୍ୟକ୍ତି ଆସନ୍ତି। ବିଶେଷକରି ମଧ୍ୟାହ୍ନ ଭୋଜନରେ ପତ୍ରପୋଡ଼ା ଓ ବାଉଁଶ ପୋଡ଼ା ଆମିଷ ଖାଦ୍ୟ ଖାଇବାକୁ ଅଧିକାଂଶ ପସନ୍ଦ କରନ୍ତି।

କାର୍ଯ୍ୟାଳୟ ସମୟ ମଧ୍ୟରେ ଏହି ‌ଫୁଡ୍‌କୋର୍ଟ ଖୋଲାରୁହେ। ଏହାବ୍ୟତୀତ ସର୍ବସାଧାରଣ ଛୁଟି ଦିନଗୁଡ଼ିକରେ ଏହା ବନ୍ଦ ରୁହେ। ତେବେ ଏହି ଫୁଡ୍‌କୋର୍ଟ ପାରମ୍ପରିକ, ଦେଶୀ ଜଙ୍ଗଲୀ ଖାଦ୍ୟ ଭେଟି ଦେଉଥିଲେ ହେଁ ପ୍ରଚାର ପ୍ରସାର ଅଭାବରୁ ‌ଲୋକଙ୍କ ଆଗମନ ବଢ଼ିପାରୁନାହିଁ।

ସମ୍ବନ୍ଧିତ ଖବର