ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ଚନ୍ଦକା ପଞ୍ଚାୟତରେ ଏକ ବିଲଡର୍‌ ସଂସ୍ଥା ଗୋଚର ଓ ଜଙ୍ଗଲ ଜମି ହଡ଼ପ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ବିଡିଏ ଭିସି ଓ ତହସସିଲଦାର ପ୍ରମୁଖଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଚନ୍ଦକା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଏହି ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ମୁତାବକ, ଡିଏନ୍‌ ହୋମ୍ସ ନାମକ ଏକ ବିଲଡର୍‌ ସଂସ୍ଥା ପଞ୍ଚାୟତର ଗୋଚର ଜମି ଓ ଜଙ୍ଗଲ ଜମିକୁ କବ୍‌ଜାକୁ ନେଇ ଏକ ଆବାସିକ ପ୍ରକଳ୍ପ କାମ ଆରମ୍ଭ କରୁଛି। ଏ ନେଇ ସଂସ୍ଥା ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଛି। ଗୋଚର ଓ ଜଙ୍ଗଲ ଜମିକୁ କବ୍‌ଜା କରି ପାଚେରି ବୁଲାଯାଉଥିବାରୁ ଗୃହ ପାଳିତ ପଶୁମାନଙ୍କ ଚରିବାରେ ସମସ୍ୟା ସୃଷ୍ଟି ହେଉଛି। ପଞ୍ଚାୟତବାସୀଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ପଞ୍ଚାୟତରେ ବୈଠକ ବସିଥିଲା। ବୈଠକରେ ବିଲଡର୍‌ ସଂସ୍ଥାର ଏଭଳି କାରନାମକୁ ବିରୋଧ କରାଯାଇଥିଲା। ଏହା ପରେ ଉକ୍ତ ବିଲଡର୍‌ ସଂସ୍ଥାକୁ ମଧ୍ୟ ପଞ୍ଚାୟତ ପକ୍ଷରୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ସଂସ୍ଥା ପକ୍ଷରୁ କୌଣସି ଉତ୍ତର ଏଯାଏ ରଖାଯାଇ ନ ଥିଲା। ଗ୍ରାମବାସୀମାନେ ଚନ୍ଦକା ଥାନା, ଚନ୍ଦକା ରାଜସ୍ୱ ନିରୀକ୍ଷକ, ଭୁବନେଶ୍ୱର ଉପଜିଲ୍ଲାପାଳ, ବିଡିଏ, ହାଉସିଂବୋର୍ଡ କର୍ତୃପକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖି ଅଭିଯୋଗ କରି ସାରିଛନ୍ତି। କିନ୍ତୁ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହାକୁ ନେଇ ସରପଞ୍ଚ ଓ ପଞ୍ଚାୟତ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି।

ଏହାର ବିରୋଧ କରି ପଞ୍ଚାୟତର ମହିଳା ସରପଞ୍ଚ ଓ ତାଙ୍କ ସମର୍ଥର୍କମାନେ ଡିସିପିଙ୍କୁ ଭେଟି ଥିଲେ। ବିଲଡର୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମବାସୀଙ୍କୁ ତାଙ୍କ ଗୋଚର ଜମି ଫେରାଇବାକୁ ଦାବି କରିଥିଲେ। କିନ୍ତୁ କମିସନରେଟ୍‌ ପୁଲିସ ପକ୍ଷରୁ କୌଣସିି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଶେଷରେ ବାଧ୍ୟ ହୋଇ ସେ ହାଇକୋର୍ଟ ଦ୍ୱାରସ୍ଥ ହେଲେ ବୋଲି କହିଛନ୍ତି।

ପଞ୍ଚାୟତବାସୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ପ୍ରଶାନ୍ତ ସାହୁ କହିଛନ୍ତ, ବିଲଡର୍‌ ସଂସ୍ଥା ତାର ଜମିଠାରୁ ବେଆଇନ ଭାବେ ୭ରୁ ୮ଏକର ଜବରଦଖଲ କରିଛି। ବିଡିଏ ଅନୁମତି ନ ଥାଇ ମଧ୍ୟ ବିକ୍ରି କରିବାକୁ ବିଜ୍ଞାପନ ପ୍ରକାଶ କରିଛି। ଏବେ ବି ଉକ୍ତ ସଂସ୍ଥା ପକ୍ଷରୁ ଗୋଚର ଜମି ଉପରେ ପାଚେରି ବୁଲା ଚାଲିଛି। ତେଣୁ ପୁଲିସ ଓ ପ୍ରଶାସନ ବିରୋଧରେ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ପଞ୍ଚାୟତବାସୀ କହିଛନ୍ତି।

ତେବେ ପଞ୍ଚାୟତବାସୀଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ଡିଏନ୍‌ ହୋମସ୍‌ ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଜଗଦୀଶ ନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା।