ବନଖଣ୍ଡ ଅଧିକାରୀ ସମ୍ମିଳନୀ ଉଦ୍‌ଯାପିତ: ଭିଏସ୍‌ଏସ୍‌ ଓ ଲୋକଙ୍କ ସମ୍ପୃକ୍ତି ଉପରେ ଗୁରୁତ୍ବ

ଭୁବନେଶ୍ବର: ତୃଣମୂଳସ୍ତରରେ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) ଓ ଗରିବ ଲୋକଙ୍କୁ ଅଧିକ ସଂଖ୍ୟାରେ ସମ୍ପୃକ୍ତ କରାଗଲେ ଜଙ୍ଗଲ ସମ୍ପଦର ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ରାଜ୍ୟସ୍ତରୀୟ ବନଖଣ୍ଡ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ମନ୍ତ୍ରୀ ଶ୍ରୀ ଆରୁଖ ଆହୁରି କହିଛନ୍ତି ଯେ ଜଙ୍ଗଲ ନିଆଁ ହ୍ରାସ ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରହିବା ଆବଶ୍ୟକ।

ଜଙ୍ଗଲ ନିକଟବର୍ତୀ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ। ପାନୀୟ ଜଳଯୋଗାଣ, ନୂଆ ରେଳପଥ ନିର୍ମାଣ ପରି ପ୍ରତିବନ୍ଧକ ଦୂର କରିବା ଦିଗରେ ଅଧିକାରୀମାନେ ଉଦ୍ୟମ କରିବାକୁ ହେବ। ୨୦୨୨-୨୩ ଆର୍ଥିକ ବର୍ଷର ଆକ୍ସନ୍‌ ପ୍ଲାନ୍‌ ଅନୁଯାୟୀ, ଆଗାମୀ ବର୍ଷା ଋତୁରେ ବନୀକରଣ ଓ ଚାରାରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ବୃହତ୍ତର ସ୍ୱାର୍ଥ ନିମନ୍ତେ ବନଖଣ୍ଡ ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତାର ସହ କର୍ତ୍ତବ୍ୟ ସଂପାଦନ କରିବା ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଫଇସଲା ଉପରେ ସେ ଗୁରୁତ୍ବ ଦେଇଥିଲେ।

ଲୋକସେବା ଭବନରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ରାଜ୍ୟରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲର ପୋଷଣୀୟ ପରିଚାଳନା, ବ୍ୟାପକ ବନୀକରଣ, ‘କାମ୍ପା’ ପାଣ୍ଠିର ସମୁଚିତ ଉପଯୋଗ, ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ବନ୍ୟଜନ୍ତୁ ସୁରକ୍ଷା ସହିତ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ବହୁବିଧ ପ୍ରସ୍ତାବ ଓ ମତାମତ ସମ୍ବଳିତ ଆଲୋଚନା ଓ ସମୀକ୍ଷା କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଯୋଗଦେଇ କହିଲେ, ବନଖଣ୍ଡରେ ହେଉଥିବା କାର୍ଯ୍ୟ ପାଇଁ ବନଖଣ୍ଡ ଅଧିକାରୀମାନେ ଅନ୍ୟ ସହଯୋଗୀ ବିଭାଗ ସହ ନିୟମିତ ଭାବେ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ।

ଜଙ୍ଗଲ ଜମିର କ୍ଷତିଭରଣା କରିବା ପାଇଁ ଅଧିକରୁ ଅଧିକ ଲ୍ୟାଣ୍ଡବ୍ୟାଙ୍କ ସୃଷ୍ଟି, ବ୍ୟାପକ ଚାରା ଉତ୍ପାଦନ କାର୍ଯ୍ୟରେ ଭିଏସ୍‌ଏସ୍‌ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଂପୃକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ସମସ୍ତ ଅଧିକାରୀଙ୍କ ସମ୍ପୃକ୍ତ ବନଖଣ୍ଡରେ କାର୍ଯ୍ୟାବଳୀ ସମୀକ୍ଷା କରିବା ସହ ବିଭିନ୍ନ ବିଷୟ ଉପରେ ପରାମର୍ଶ ଦେଇଥିଲେ। ସମ୍ମିଳନୀରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶି ପଲ୍‌, ପିସିସିଏଫ୍‌ (କେନ୍ଦୁପତ୍ର) ସୁଶୀଲ କୁମାର ପପ୍‌ଲି, ଓଏଫ୍‌ଡିସିର ପରିଚାଳନା ନିର୍ଦ୍ଦେଶକ ସୁରେଶ ପନ୍ଥ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓମ୍‌ ପ୍ରକାଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ‘କାମ୍ପା’ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଜ୍‌ କରାଟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର