ଅଜଣା ଗାଡ଼ି ଧକ୍କାରେ ମା’ ବାର୍‌ହା ସହ ୨ ଶାବକ ମୃତ

ଖଣ୍ଡଗିରି : ବୁଧବାର ଭୋର ସମୟରେ ଚନ୍ଦକା ଥାନା ପାଣିଓରା ଗାଁ ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ମା ବାର୍‌ହା ସହ ୨ଟି ଶାବକଙ୍କର ମୃତ୍ୟୁ ଘଟିଛି। ମା ବାର୍‌ହାଟିର ବୟସ ୬ରୁ ୭ ବର୍ଷ ଓ ଓଜନ ପ୍ରାୟ ଏକ କ୍ୱିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଥିବାବେଳେ ପ୍ରାୟ ବର୍ଷକର ଅଣ୍ଡିରା ଛୁଆ ଦୁଇଟିଙ୍କ ଓଜନ ପ୍ରାୟ ୭ରୁ ୮ କିଲୋ ହେବ। ରାତିରେ ବିଲରୁ ପାଚିଲା ଧାନ ଖାଇ ଭୋର୍‌ ସମୟରେ ଜଙ୍ଗଲକୁ ଫେରୁଥିବାବେଳେ ପଥର ବୋଝେଇ ଟ୍ରକ୍‌ ସେମାନଙ୍କୁ ପିଟିଥିବା ଅନୁମାନ କରାଯାଉଛି। ଖୋର୍ଧା ବନ ବିଭାଗ ମୃତଦେହଗୁଡ଼ିକ ବ୍ୟବଚ୍ଛେଦ କରାଇବା ପରେ ପୋତି ଦେଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଆଜି ସକାଳୁ ପାଣିଓରା ଗାଁର କିଛି ଲୋକ ରାସ୍ତାରେ ବାର୍‌ହାଗୁଡ଼ିକ ଗୁରୁତର ଆହତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଗୋଟିଏ ଛୁଆ ବାର୍‌ହା ମରି ଯାଇଥିବାବେଳେ ଅନ୍ୟ ଶାବକଟି ଅଧାମରା ଅବସ୍ଥାରେ ପଡ଼ି ରହିଥିଲା। କିଛି ଦୂରରେ ଏକ ବୁଦାମୂଳେ ମା ବାର୍‌ହାଟି ପଡ଼ିଥିଲା। ମା ବାର୍‌ହାର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାବେଳେ ପଛ ଗୋଡ଼ଟି ଭାଙ୍ଗି ଯାଇଥିଲା। ପ୍ରଥମେ ଲୋକେ ଭାବିଥିଲେ ଧାନ ଫସଲ ନଷ୍ଟ କରୁଥିବାରୁ କେହି ସ୍ଥାନୀୟ ଲୋକେ ଏମାନଙ୍କୁ ବାଡ଼େଇ ବାଡ଼େଇ ମୃତାହତ କରିଛନ୍ତି। କିନ୍ତୁ ପରେ ଦେଖାଗଲା ଯେ କୌଣସି ଗାଡ଼ି ଦୁର୍ଘଟଣାରେ ଏଭଳି ହୋଇଥିବା ଜଣାପଡ଼ିଥିଲା।

ଅଙ୍ଗାରପଡ଼ା ସରପଞ୍ଚ ଅମୀୟ ସ୍ୱାଇଁଙ୍କଠାରୁ ଖବର ପାଇ ଚନ୍ଦକା ଅଭୟାରଣ୍ୟ ହଳଦିଆ ରେଂଜ୍‌ ଫରେଷ୍ଟର ନିରଂଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ବାର୍‌ହାମାନେ ପଡ଼ିଥିବା ସ୍ଥାନଟି ଖୋର୍ଧା ବନଖଣ୍ଡରେ ପଡ଼ୁଥିବାରୁ ସେ ଖୋର୍ଧା ରେଂଜରଙ୍କୁ ଖବର ଜଣାଇଥିଲେ। ଖବର ପାଇ ରେଂଜର ଉତ୍ତମ କୁମାର ଗଡ଼ନାୟକ ତାଙ୍କ ଟିମ୍‌ ସହ ପାଣିଓରାରେ ପହଞ୍ଚି ବାର୍‌ହାମାନଙ୍କୁ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ବଞ୍ଚିଥିବା ଶାବକ ଓ ମା ବାର୍‌ହାଙ୍କ ମୃତ୍ୟୁ ଘଟିଥିଲା।

ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଚନ୍ଦକା ଜଙ୍ଗଲରୁ ବାର୍‌ହାମାନେ ଏହି ଧାନ ପାଚିଲା ସମୟରେ ଗାଁମୁହାଁ ହୋଇଥାଆନ୍ତି। କିନ୍ତୁ ବେଳେବେଳେ ବାଟବଣା ହୋଇ ଜନବସତି ଭିତରକୁ ପଶି ଆସନ୍ତି। ବେଳେବେଳେ ମାଂସ ଲୋଭରେ ବି ଗାଁ ଲୋକେ ବାର୍‌ହାମାନଙ୍କୁ ମାରିପକାଉଛନ୍ତି। ଗତ ୪ ଦିନ ତଳେ ଜଟଣୀ ଥାନା ଦେଉଳିଆପାଟଣାରେ କିଛି ଲୋକ ଏକ ପ୍ରାପ୍ତ ବୟସ୍କ ବାର୍‌ହାକୁ ପିଟି ପିଟି ମାରି ଦେଇଥିଲେ। ସେହିଭଳି ବାଟବଣା ବାର୍‌ହାମାନେ କେତେବେଳେ ଶିକାରୀ ହାବୁଡ଼ରେ ପଡ଼ୁଛନ୍ତି ତ କେତେବେଳେ କୂଅ ପୋଖରୀରେ ପଡ଼ି ପ୍ରାଣ ହରାଉଛନ୍ତି।

ସମ୍ବନ୍ଧିତ ଖବର