ନାକଚ ଜଙ୍ଗଲ ଅଧିକାର ଦାବି ପୁନର୍ବିଚାର ଦାବି
forest rights
ଭୁବନେଶ୍ବର : ସୁପ୍ରିମକୋର୍ଟ ନିର୍ଦେଶକୁ ପାଳନ କରିବା ବାହାନାରେ ପ୍ରଶାସନ ଦ୍ବାରା ମନମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବିଗୁଡ଼ିକୁ ପୁନର୍ବିଚାର ପାଇଁ ଦାବି କରିଛି ଆଦିବାସୀ ନେତୃତ୍ବ ଓ ସଂଗ୍ରାମୀ ସଂଗଠନ। ରାଜ୍ୟ ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ଉଲ୍ଲଂଘନ କରି ସୁପ୍ରିମକୋର୍ଟଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ସିଏସ୍ଡି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସିଏସ୍ଡିର ରାଜ୍ୟ ଆବାହକ ଗୋପୀନାଥ ମାଝି କହିଲେ, ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ୨୦୦୬ର କାର୍ଯ୍ୟକାରିତାରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ ଦାବିଦାରମାନଙ୍କର ନାକଚ ତାଲିକା ପ୍ରଦାନ କରିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଗତ ଫେବ୍ରୁଆରି ୨୮ରେ ରାୟ ପ୍ରକାଶ କରିଥିଲେ। ଜଙ୍ଗଲ ଜମିରୁ ଉଚ୍ଛେଦ ଆଦେଶ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବା ସହିତ ସବିଶେଷ ସତ୍ୟପାଠ ଜୁଲାଇ ୧୨ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ମୁନମୁଖୀ ଭାବେ ନାକଚ କରିଥିବା ଦାବିଗୁଡ଼ିକୁ ପୁନର୍ବିଚାର କରିବା ଓ ନିଜର ଭୁଲ ଲୁଚାଇବା ନାଁରେ ରାଜ୍ୟ ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ଉଲ୍ଲଂଘନ କରି ସତ୍ୟପାଠ ଦାଖଲ କରିଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗି ଉପଯୁକ୍ତ ପ୍ରକ୍ରିୟା ଜରିଆରେ ଗ୍ରାମସଭାର କ୍ଷମତାକୁ ସମ୍ମାନ ଦେଇ ତଳସ୍ତରରୁ ନାକଚ ହୋଇଥିବା ଦାବି ଉପରେ ପୁନର୍ବିଚାର କରାଯାଉ। ନାକଚ ଓ ଅନୁମୋଦନ ହୋଇଥିବା ଦାବିକୁ ଜିଲ୍ଲାସ୍ତର କମିଟି ଗ୍ରାମସଭା ଓ ଦାବିଦାରଙ୍କୁ ଫେରସ୍ତ କରି ଜମି ଚିହ୍ନଟ ଓ ଉପଯୁକ୍ତ ଜମି ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଶ୍ରୀ ମାଝି କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବିରଞ୍ଚି ବରିହା, ଆନ୍ନା ଖୁଜୁର, ଅରୁଣ ଦେହୁଡ଼ି, ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି ଓ କାର୍ମିକ ପ୍ରମୁଖ ଉପସ୍ଥିତ ଥିଲେ।