ବାଲିଅନ୍ତା: କଚ୍ଚା କଦର୍ଯ୍ୟ ରାସ୍ତା ପାଇଁ ସ୍ଥାନୀୟ ରଣପୁର ଗ୍ରାମ୍ୟ ଜଙ୍ଗଲ ଏବେ ବିପଦରେ। ନିଆଁ ଲାଗିଲେ ଠିକ୍ ସମୟରେ ଦମକଳ ଗାଡ଼ି ପହଞ୍ଚି ପାରୁନଥିବାରୁ ଜଙ୍ଗଲ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ମାତ୍ର ଏହି ଜଙ୍ଗଲକୁ ଲମ୍ବିଥିବା ରାସ୍ତାର ନବୀକରଣ ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବର୍ଷ ବର୍ଷ ଧରି ଏହି କଚ୍ଚା ରାସ୍ତା ସେମିତି ଖାଲଖମାରେ ଭର୍ତ୍ତି ହୋଇ ରହି ଆସିଛି। ଗତ ଦୁଇବ‌ର୍ଷ ମଧ୍ୟରେ ଏହି ୧୭ ଏକର ପରିମିତ ଜଙ୍ଗଲରେ ଦୁଇଥର ଅଗ୍ନିକାଣ୍ଡ ଘଟିଛି। ଫଳରେ ଗୋଟିଏ ପାର୍ଶ୍ବରେ ଥିବା ପାଖାପାଖି ୧ ହଜାର ମୂଲ୍ୟବାନ ଗଛ ଜଳିଯାଇଛି। ନିଆଁ ଲାଗିଲେ ଅଗ୍ନିଶମ ବିଭାଗ ଜଙ୍ଗଲ ରକ୍ଷା ପାଇଁ ଧାଇଁ ଆସେ। ମାତ୍ର ଜଙ୍ଗଲ ପର୍ଯ୍ୟନ୍ତ ଯାଇ ନପାରି ଅଧା ବାଟରୁ ଫେରି ପଳାଏ। ଗତ ଦୁଇ ଥରଯାକ ବାଲିଅନ୍ତା ଓ ବାଲିପାଟଣାରୁ ଦମକଳଗାଡ଼ି ଆସିଥିଲେ ହେଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ରଣପୁର ଓ କାଜିପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବହୁ କଷ୍ଟରେ ନିଆଁ ଲିଭାଯାଇଥିଲା। ଜଙ୍ଗଲ ପୋଡ଼ି ସଂପର୍କରେ ଖବର ପାଇ ଦାୟିତ୍ବରେ ଥିବା ବାଳକାଟିସ୍ଥିତ ବନ ବିଭାଗ ଅଧିକାରୀ ତଦନ୍ତ କରିଥିଲେ। କିନ୍ତୁ ଜଙ୍ଗଲରେ ନିଆଁ ଲଗାଉଥିବା ଦୁର୍ବୃତ୍ତଙ୍କୁ କାବୁ କରିବା ସମ୍ଭବ ହୋଇନାହିଁ। ସେହିଭଳି ଜଙ୍ଗଲର ପୁନରୁଦ୍ଧାର ପାଇଁ ନୂତନ ବନୀକରଣ କରାଯାଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସରକଣା ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ଏହି ଜଙ୍ଗଲରେ ନୂତନ ଗଛ ରୋପଣ ଓ କଚ୍ଚା ରାସ୍ତାର ମରାମତି ହୋଇ ପାରନ୍ତା ବୋଲି ଅନେକ ବ୍ୟକ୍ତି ମତ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ୨୦୧୫/୧୬ ଆର୍ଥିକ ବର୍ଷରେ ଏହି ୧୭ ଏକର ପରିମିତ ସରକାରୀ ଜମିରେ ବନୀକରଣ ପାଇଁ ଗ୍ରାମ କମିଟିରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେଣୁ ବନ ବିଭାଗ ଚାରିପାଖରେ କଂକ୍ରିଟ ଖୁଣ୍ଟ ଓ ତାରବାଡ଼ ବୁଲାଇ ଆବଦ୍ଧ କରିଥିଲା। ଏହା ଭିତରେ ଚାକୁଣ୍ଡା, ଶିଶୁ, କସି, ଆକାଶିଆ, କଦମ୍ବ, କୃଷ୍ଣଚୂଡ଼ା, ଖେରଞ୍ଚ ଓ ଶାଗୁଆନ ଭଳି ଅନେକ ପ୍ରକାରର ୬୦୦୦ ମୂଲ୍ୟବାନ ଗଛ ଲଗାଯାଇଥିଲା। ହେଲେ ବାରମ୍ବାର ନିଆଁ ଲାଗିବା କାରଣରୁ ଅନେକ ଗଛ ନଷ୍ଟ ହୋଇଗଲାଣି। ଏଭଳି ସ୍ଥିତିରେ ରାସ୍ତା ନିର୍ମାଣ ସହିତ ବନୀକରଣ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି। ଏସଂପର୍କରେ ରେଞ୍ଜର ଜୟକୃଷ୍ଣ ଯଦୁମଣୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।