ଭୁବନେଶ୍ୱର : ରାଜଧାନୀର ବର୍ତ୍ତମାନ ସ୍ଥିତି ଯାହା ଅଛି, ଏମିତି ଅବସ୍ଥା କେବେ ହୋଇ ନଥିଲା। ଉନ୍ନତିମୂଳକ କାମ ନାଁରେ ଚତୁର୍ଦିଗ ଖୋଳା ହେଉଛି। ସଂଧ୍ୟାରେ ଜଣେ ଯେଉଁଠି ଭଲ ରାସ୍ତା ଥିବା ଦେଖିଥିବ, ତା’ ପରଦିନ ସକାଳୁ ସେଠାରେ ଖାଲଟିଏ ଦେଖୁଛି। ପୂରା ରାଜଧାନୀରେ ଖୋଳାତଡ଼ା ଚାଲିଛି। ଏମିତିରେ ରାଜଧାନୀର ସୌନ୍ଦର୍ଯ୍ୟୀକରଣକୁ ପ୍ରଶାସନ ଭୁଲି ଯାଇଛି। ସ୍ବଚ୍ଛ ଓ ସୁନ୍ଦର ଭୁବନେଶ୍ବରକୁ ଯେଉଁ ବିଏମ୍‌ସି ପ୍ରଚାର କରୁଥିଲା, ତା’ର ଅପାରଗତା ପାଇଁ ରାଜଧାନୀ ଏବେ ଶ୍ରୀହୀନ ପାଲଟି ଯାଇଛି।

Advertisment

ରାଜଧାନୀ ଏମିତି ଏକ ସହର ଥିଲା, ଯେଉଁଠି ଏକଦା ସବୁଠୁ ଅଧିକ ସୌନ୍ଦର୍ଯ୍ୟୀକରଣ କାମ ହେଉଥିଲା। ରାସ୍ତାକଡ଼ରେ ଫାଉଣ୍ଟେନ୍‌ଠାରୁ ଆରମ୍ଭ କରି ରାଶିଚକ୍ର, ମତ୍ସ୍ୟ କନ୍ୟା, ଆଦିବାସୀଙ୍କ ଚାଲିଚଳଣି ଓ ଜୀବନଶୈଳୀକୁ ନେଇ ସ୍ଥାପତ୍ୟ, ବିଭିନ୍ନ ପ୍ରକାରର ଅଳଙ୍କାର ଲାଇଟ୍‌, ଗଛ ଲାଗୁଥିଲା, ତାହା ପୁଣି ସରକାରୀ ତହବିଲରୁ ଟଙ୍କାଟିଏ ବି ଖର୍ଚ୍ଚ ନକରି। ପିପିପି ମୋଡରେ ବିଏମ୍‌ସି ପୂରା ରାଜଧାନୀକୁ ସଜାଉଥିଲା। ଅର୍ଥାତ୍‌ ବିଭିନ୍ନ ଘରୋଇ ସଂସ୍ଥା ସେମାନଙ୍କ ସିଏସ୍‌୍ଆର୍‌ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାଜଧାନୀର ସୌନ୍ଦର୍ଯ୍ୟୀକରଣ କରୁଥିଲେ। ଏଥିପାଇଁ ବିଏମ୍‌ସି କେବଳ ଜାଗା ଚିହ୍ନଟ କରି ଦେଉଥିଲା। କେଉଁଠି ତିନି ବର୍ଷ ପାଇଁ ତ କେଉଁଠି ପାଞ୍ଚ ବର୍ଷ ପାଇଁ ସୌନ୍ଦର୍ଯ୍ୟୀକରଣ କାମର ରକ୍ଷଣାବେକ୍ଷଣ ଘରୋଇ ସଂସ୍ଥା କରୁଥିଲେ। ବିଏମ୍‌ସିର ଲୋଗୋ ବ୍ୟବହାର କରୁଥିବାରୁ ବିନା ଅର୍ଥରେ ବି ବିଏମ୍‌ସିର ପ୍ରଚାର ହେଉଥିଲା। କିନ୍ତୁ ରାଜଧାନୀରେ ଏବେ ଏମିତି ସ୍ଥିତି ଉପୁଜିଛି ଯେ ନା କିଛି ସୌନ୍ଦର୍ଯ୍ୟୀକରଣ କାମ ହେଉଛି ନା ଯାହା ହୋଇଛି ତା’ର ରକ୍ଷଣାବେକ୍ଷଣ ହେଉଛି। କୌଣସି ସୌନ୍ଦର୍ଯ୍ୟୀକରଣ ହୋଇଥିବା ସ୍ଥାନକୁ ଦେଖିଲେ ଜଣାପଡ଼ୁଛି ବିଏମ୍‌ସି ରାଜଧାନୀ ପାଇଁ କେତେ ଯତ୍ନବାନ। କିଛି ବର୍ଷ ତଳେ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଛକ ମଧ୍ୟରେ ବିଏମ୍‌ସି ଓ ଏକ ଘରୋଇ ସଂସ୍ଥା ସହଯୋଗରେ ରାଶିଚକ୍ର, ମତ୍ସ୍ୟ କନ୍ୟା, ନିଉଟନ୍‌ଙ୍କ ଫର୍ମୁଲା ଆଦିକୁ ନେଇ ସୌନ୍ଦର୍ଯ୍ୟୀକରଣ ହୋଇଥିଲା। ରାଜଧାନୀବାସୀ ଏହାକୁ ଦେଖିବାକୁ ନିକିମା ହୋଇ ଆସୁଥିଲେ। ହେଲେ ଆଜିକା ଦିନରେ ମତ୍ସ୍ୟକନ୍ୟା ଲାଞ୍ଜ ଅଧା ପୋଡ଼ି ଯାଇଥିବା ବେଳେ ରାଶିଚକ୍ର ଭା‌ଙ୍ଗି ମାଟିରେ ମିଶି ଗଲାଣି। ନିଉଟନ୍‌ ନାହାନ୍ତି କି ତାଙ୍କ ଶେଓ ବି ନାହିଁ।

publive-image

କେବଳ ଏତିକି ନୁହେଁ, ଲୋକସେବା ଭବନ ସମ୍ମୁଖ, ବିଧାନସଭା ସମ୍ମୁଖ, ପୁରୁଣା ବିମାନବନ୍ଦର ଛକ ନିକଟରେ (ଜଳ ଫୁଆରା) ଫାଉଣ୍ଟେନ୍‌, ରଙ୍ଗିନ ଆଲୋକ ଲାଗିଥିଲା। ଜଳ ଫୁଆରା ବସିଥିବା ଗାତଟି ଅଛି। ନା ଏଥିରୁ ପାଣି ବାହାରୁଛି ନା ସରଞ୍ଜାମ ଅଛି। ରଙ୍ଗିନ ଆଲୋକ ଜଳିବାକୁ ବିଛା ଯାଇଥିବା ତାର ଅଛି କିନ୍ତୁ ବଲ୍‌ବ ନାହିଁ।

ସେହିପରି କଳିଙ୍ଗ ଷ୍ଟାଡିୟମରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଜନଜାତିଙ୍କର ଜୀବନଶୈଳୀକୁ ନେଇ ସ୍ଥାପତ୍ୟ କାରୁକାର୍ଯ୍ୟ ହୋଇଥିଲା। ହେଲେ ଏହାର ଚିହ୍ନବର୍ଣ୍ଣ ନାହିଁ। କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଫୁଟ୍‌ ଓଭରବ୍ରିଜ୍‌ ଉପରେ ବାଉଁଶ କାରିଗରୀ କାମ ହୋଇଥିଲା, ତାହାର ବି ଚିହ୍ନ ନାହିଁ। ବିଭିନ୍ନ ପାର୍କରେ ବିଏମ୍‌ସି/ବିଡିଏ ସହଯୋଗରେ ଘରୋଇ ସଂସ୍ଥା ସୌନ୍ଦର୍ଯ୍ୟୀକରଣ କାମ କରିଥିଲେ, ତାହା ବି ଭାଙ୍ଗିରୁଜି ଗଲାଣି। ନୂଆ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ କରିବା ଦୂର କଥା, ପୂର୍ବରୁ ହୋଇଥିବା ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉନି। ବିଏମ୍‌ସିରେ ଏନେଇ ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀ ଦାୟିତ୍ବରେ ଅଛନ୍ତି। ପିପିପି ସେଲ୍‌ ଡେପୁଟି କମିସନର ଦାୟିତ୍ବରେ ଗାୟତ୍ରୀ ସାମନ୍ତରାୟ ଥିଲେ ହେଁ ରାଜଧାନୀରେ କିପରି ସୁନ୍ଦର ଦେଖାଯିବ, କିପରି ବିଭିନ୍ନ ସୌନ୍ଦର୍ଯ୍ୟୀକରଣ କାମ ପିପିପି ମୋଡ୍‌ରେ ହେବ, ସେଥିପ୍ରତି ତାଙ୍କର ଜମା ନିଘା ନାହିଁ। ଏପରିକି ବିଏମ୍‌ସି କମିସନରଙ୍କଏନେଇ କିଛି ତାଗିଦ୍‌ ବି ନାହିଁ। ସମସ୍ତେ ଖୋଲାଫାଙ୍କା ହୋଇ ଚାଲିଛନ୍ତି। କିପରି ରାଜଧାନୀ ସୁନ୍ଦର ଦିଶିବ, କିପରି ରାଜଧାନୀ ତା’ର ପୂର୍ବ ଗରିମା ଫେରିବ, ବିଭିନ୍ନ ରାଜ୍ୟର ପୌରସଂସ୍ଥା ପୂର୍ବ ଭଳି ଭୁବନେଶ୍ବର ଆସି ବିଭିନ୍ନ ପିପିପି ପ୍ରକଳ୍ପ ଦେଖିବେ, ସେନେଇ କାହାର ଧ୍ୟାନ ନାହିଁ। ସମସ୍ତଙ୍କ ପାଖରେ ଗୋଟିଏ ଉତ୍ତର ଅଛି, କରୋନା ପାଇଁ ସବୁ ଅଟକିଛି। ଯେମିତି କରୋନା ହୋଇନଥିଲେ ଏମାନେ ରାଜଧାନୀକୁ ପୂରା ସଜାଇ ଦେଇଥା’ନ୍ତେ।

publive-image

ଏନେଇ ଡେପୁଟି କମିସନର(ପିପିପି)ଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା। ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ହକି ବିଶ୍ବକପ୍‌ ପରଠାରୁ ରାଜଧାନୀରେ କିଛି ସୌନ୍ଦର୍ଯ୍ୟୀକରଣ କାମ ହୋଇନି। ଏବେ ବିଭିନ୍ନ ବିଭାଗ ମନଇଚ୍ଛା ରାସ୍ତା ଖୋଳୁଛନ୍ତି। ତେଣୁ ଆମେ କେଉଁଠି ସୌନ୍ଦର୍ଯ୍ୟୀକରଣ କରିବୁ ଜାଣିପାରୁନୁ। ଆମ ପିପିପି ସେଲ୍‌ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଯୋଗାଯୋଗ କରି ପୁଞ୍ଜିନିବେଶ କରାଇବା କଥା। ସେମାନେ ଯଦି କୌଣସି ସଂସ୍ଥା ସହ ଆଲୋଚନା କରନ୍ତେ, ତେବେ ସଂସ୍ଥାଙ୍କର କ’ଣ ଯୋଜନା ଅଛି କ’ଣ ନାହିଁ, ଜଣାପଡ଼ନ୍ତା।

ସେହିପରି ଯେଉଁ ସୌନ୍ଦର୍ଯ୍ୟୀକରଣ କାମ ହୋଇଥିଲା, ତିନି/ପାଞ୍ଚ ବର୍ଷ ପରେ ଏହାର ରକ୍ଷଣାବେକ୍ଷଣ କାମ ବିଏମ୍‌ସି କରିବା କଥା। ହେଲେ ବିଏମ୍‌ସି ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ କିଛି ଅର୍ଥ ମଞ୍ଜୁର ହେଉନଥିବାରୁ ଘରୋଇ ସଂସ୍ଥାର ଅବଧି ସରିବା ପରେ ସବୁ ଭାଙ୍ଗିରୁଜି ଯାଉଛି। ଏପରିକି କେତେକ ସ୍ଥାନରେ ଯେଉଁ ସଂସ୍ଥା ସୌନ୍ଦର୍ଯ୍ୟୀକରଣ କରୁଛି ସେ ବି ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରୁନାହାନ୍ତି। କେବଳ ଏତିକି ନୁହେଁ, ବିଭିନ୍ନ ସ୍ଥାନରେ ଯେଉଁ ଫାଉଣ୍ଟେନ୍‌ ଲାଗିଥିଲା କି ରଙ୍ଗିନ ଆଲୋକ ଲାଗିଥିଲା, ସେଗୁଡ଼ିକର ବିଦ୍ୟୁତ୍‌ ବିଲ୍‌ ବିଏମ୍‌ସି ପୈଠ ନକରିବାରୁ ସେସୁ ବିଦ୍ୟୁତ୍‌ ସଂଯୋଗ କାଟିଦେଲା। ଏହାପରେ ସବୁ ଅଚଳ ହୋଇଗଲା। ଯଦି ବିଏମ୍‌ସି ପିପିପି ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଯୋଜନା ପ୍ରସ୍ତୁତ କରି କାମ କରିବ, ତେବେ ସବୁ ପ୍ରକଳ୍ପ ଠିକ୍‌ଠାକ୍‌ ରହିବ।