ଅଭିନବ କଟକର ସ୍ବପ୍ନ ସାକାର କରିଥିବା ଜାନକୀବଲ୍ଲଭଙ୍କୁ ଭୁଲିଗଲେ, ମୃତ୍ୟୁର ୫ବର୍ଷ ପରେ ବି ସ୍ମୃତିରକ୍ଷା ପାଇଁ ‌ହୋଇନି ଉଦ୍ୟମ

ଆଜି ଜୟନ୍ତୀ

ଗଦାଧର ପଣ୍ଡା
କଟକ: ପ୍ରଜ୍ଞାପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କର୍ମଭୂମି ଥିଲା କଟକ। ଖୋର୍ଦ୍ଧା ଜିଲ୍ଲାର ରାମେଶ୍ବରଠାରେ ଜନ୍ମ ନେଇଥିବା ଜାନକୀବଲ୍ଲଭଙ୍କ ଜୀବନର ଅଧିକାଂଶ ସମୟ କଟିଥିଲା ଏହି ସହର‌ରେ। କଲେଜ ଜୀବନ ଓ ଚାକିରି ଜୀବନ ବି ଏହିଠ‌ାରେ କଟିଥିଲା। ସେଇଥିପାଇଁ ସ୍ବର୍ଗତ ପଟ୍ଟନାୟକଙ୍କର କଟକ ପ୍ରତି ଥିଲା ବିଶେଷ ଦୁର୍ବଳତା। କ୍ଷମତାକୁ ଆସିବା ପରେ ସେ କଟକ ସହରର ବିକାଶ ପାଇଁ ଅବିରତ ଉଦ୍ୟମ କରିଥିଲେ। ‘ଗ୍ରେଟର୍‌ କଟକ’ (ବୃହତ କଟକ)ର ମୂଳଦୁଆ ପକାଇଥିଲେ। ଏବର ମର୍କତନଗର, ଅଭିନବ ବିଡ଼ାନାସୀ (ସିଡିଏ) ଥିଲା ତାଙ୍କ ପରିକଳ୍ପନା। ରିଂ-ରୋଡ୍‌ ନିର୍ମାଣ, ଇଡ୍‌କୋ ପ୍ରତିଷ୍ଠା, ହଜାର ଦିନରେ ହଜାର ଶିଳ୍ପରେ ଜଗତପୁର ଶିଳ୍ପାଞ୍ଚଳ ପ୍ରତିଷ୍ଠା, ଖପୁରିଆ ଶିଳ୍ପାଞ୍ଚଳର ସଂପ୍ରସାରଣ ଭଳି ଅନେକ କାମ ସେ କରିଥିଲେ। ଆଧୁନିକ କଟକର ଜନକ ଜାନକୀବଲ୍ଲଭଙ୍କୁ କିନ୍ତୁ ଏ ମାଟି ପ୍ରତି ବଦଳରେ ସାମାନ୍ୟତମ ସମ୍ମାନ ଟିକେ ଦେଇ ନାହିଁ। ମୃତ୍ୟୁର ପାଞ୍ଚବର୍ଷ ପରେ ବି ତାଙ୍କ ସ୍ମୃତିରକ୍ଷା ପାଇଁ ସରକାରୀସ୍ତରରେ ଏଯାବତ୍‌ କୌଣସି ଉଦ୍ୟମ କରାଯାଇନାହିଁ।

ଆସନ୍ତାକାଲି (ରବିବାର) ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୮ତମ ଜୟନ୍ତୀ ପାଳିତ ହେବ। ତେବେ କଟକରେ କିନ୍ତୁ ତାଙ୍କ ସ୍ମୃତିରକ୍ଷା ପାଇଁ ଏଯାଏ ପ୍ରାଶାସନିକସ୍ତରରେ କୌଣସି ଉଦ୍ୟମ କରାଯାଇନାହିଁ। ତଥ୍ୟ ମୁତାବକ, ଜାନକୀ ବାବୁ କଲେଜ ଶିକ୍ଷା ସମାପ୍ତ କରିବା ପ‌ରେ ଚାକିରି ଜୀବନ ପ୍ରଜାତନ୍ତ୍ରରୁ ଆରମ୍ଭ କରିଥିଲେ। ୧୯୬୭ ମସିହା ପର୍ଯ୍ୟନ୍ତ୍ର ସେ ପ୍ରଜାତନ୍ତ୍ରରେ କାର୍ଯ୍ୟ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ୧୯୮୦ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ କଟକ ବିକାଶର ମୂଳଦୁଆ ପକାଇଥିଲେ। ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କଟକ ସହରକୁ ଭଲ ଭାବେ ବୁଝିଥିବା, ଜାଣିଥିବା ଜାନକୀ ବାବୁ ‘ଗ୍ରେଟର୍‌ କଟକ’ର ସ୍ବପ୍ନ ଦେଖିଥିଲେ। ୧୯୮୨ରେ ମହାନଦୀରେ ଏକ ବଡ଼ ବନ୍ୟା ଆସିଥିଲା। ଏହି ବନ୍ୟାରେ କଟକ ଉବୁଟୁବୁ ହୋଇଥିଲା। ସେତେବେଳେ ଜାନକୀ ବାବୁ ଅଭିନବ ବିଡାନାସୀ, ସିଡିଏର ପରିକଳ୍ପନା କରିଥିଲେ। ପ୍ରଥମ ପଦକ୍ଷେପସ୍ବରୂପ ବନ୍ଧ ନିର୍ମାଣ କରାଯାଇଥିଲା। ସେହି ବନ୍ଧ ପରେ କଟକର ସାଟେଲାଇଟ ସହର(ସିଡିଏ) ଆଜି ଠିଆ ହୋଇପାରିଛି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ରିଂ-ରୋଡ୍‌ର ପରିକଳ୍ପନା କରାଯାଇଥିଲ।

ରିଂ-ରୋଡ୍‌ ବନ୍ଧ ସଂପୂର୍ଣ୍ଣ ହେବା ପରେ କଟକର ଚେହେରା ବଦଳି ଯାଇଥିଲା। ରିଂ-ବନ୍ଧ ଯୋଗୁଁ କଟକ ସହରର ଟ୍ରାଫିକ ସମସ୍ୟାର ସମାଧାନ ଅନେକାଂଶରେ ସମ୍ଭବ ହୋଇଥଲା। ସ୍ବର୍ଗତ ଜାନକୀବଲ୍ଲଭ ହଜାର ଦିନରେ ହଜାର ଶିଳ୍ପର ସ୍ବପ୍ନ ଦେଖିଥିଲେ। ସେଥିପାଇଁ ୧୯୮୧ରେ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡକୋ) ପ୍ରତିଷ୍ଠା କରିଥିଲେ। ଇଡ୍‌କୋ ପ୍ରତିଷ୍ଠା ହେବା ପରେ ସରକାର ଶିଳ୍ପ ପାଇଁ ଜମି ଯୋଗାଇଥିଲେ। ସେଥିରେ କଟକର ମହାନଦୀ ପୋଲ ସେପଟେ ଜଗତପୁର ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଥିଲେ। ଖପୁରିଆ ଶିଳ୍ପାଞ୍ଚଳର ସଂପ୍ରସାରଣ ହୋଇଥିଲା। ଇଡ୍‌କୋ ପ୍ରତିଷ୍ଠା ହେବା ପରେ ଅର୍ଥାତ ୧୯୮୧ରୁ ୧୯୮୯ ମଧ୍ୟରେ ରାଜ୍ୟରେ ବୃହତ ଓ ମଧ୍ୟମ ଶିଳ୍ପ ସଂଖ୍ୟା ତିନିଗୁଣ ବୃଦ୍ଧି ପାଇଥିଲା। ୫୭ରେ ସୀମିତ ଥିବା ଏହି ସଂଖ୍ୟା ୧୮୫କୁ ବୃଦ୍ଧି ପାଇଥିଲା। ସେହିଭଳି କ୍ଷୁଦ୍ରଶିଳ୍ପ ସଂଖ୍ୟା ୯ ହଜାରରୁ ୯ ବର୍ଷରେ ୩୨ ହଜାରରେ ପହଞ୍ଚିଥିଲା। ଆଧୁନିକ କଟକର ମୂଳଦୁଆ ପକାଇଥିବା ସ୍ବର୍ଗତ ଜାନକୀବଲ୍ଲଭଙ୍କୁ କିନ୍ତୁ କଟକରେ ସମ୍ମାନ ମିଳି ନାହିଁ। ମୃତ୍ୟୁର ୫ବର୍ଷ ପ‌ରେ ବି କଟକ ସହରରେ ତାଙ୍କର ପ୍ରତିମୂର୍ତ୍ତିଟିଏ ନାହିଁ। କଟକ ସହରରେ ଜାନକୀବଲ୍ଲଭଙ୍କ ସ୍ମୃତିରକ୍ଷା ପାଇଁ ସରକାର ଉଦ୍ୟମ କରିବାକୁ ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର