ଭୁବନେଶ୍ୱର: ନିୟମିତ ବ୍ୟବଧାନରେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦଳୁଛନ୍ତି। ନୂଆ ସଚିବ ବି ଆସୁଛନ୍ତି, ଯାଉଛନ୍ତି। ଦୁଇ ଜଣ କୁଳପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲାଣି। ଏମିତିକି ରାଜ୍ୟରେ ସରକାର ମଧ୍ୟ ପରିବର୍ତ୍ତନ ହୋଇଛି। ହେଲେ ବଦଳିପାରୁନି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଭାଗ୍ୟ। ସେହି ଗୋଟିଏ କ୍ୟାମ୍ପସ୍ରେ ୪ଟି ପାଠ୍ୟକ୍ରମର ୬ ହଜାରରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଏଠାରେ ହେଉଛି। ଏମିତିରେ ଗୋଟିଏ ଦଶନ୍ଧି ସରିବାକୁ ବସିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହୋଇପାରୁ ନାହିଁ। ଛାତ୍ରୀଙ୍କ ଖେଳିବାକୁ ନା ଖେଳ ପଡ଼ିଆ ଅଛି। ନା ଲାବରେଟୋରିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହେଉଛି। ଯେମିତି ଥିଲା ସେମିତିରେ ଚାଲିଛି ରାଜ୍ୟର ଏହି ପ୍ରଥମ ଓ ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟ।
ଗୋଟିଏ କ୍ୟାମ୍ପସ୍ ଓ ଗୋଟିଏ କୋଠାରେ ୪ଟି ପାଠ୍ୟକ୍ରମର ଶିକ୍ଷାଦାନ ଚାଲିଛି। ଶିକ୍ଷାବର୍ଷ ଆରମ୍ଭରୁ ସମସ୍ୟା ହେଉଥିଲେ ମଧ୍ୟ କେହି ବି ପରିସ୍ଥିତିକୁ ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୫ରୁ ଆଜି ଯାଏଁ ଯେତେବେଳେ ବି ସମୀକ୍ଷା ହେଉଛି ବିଭାଗୀୟ ମନ୍ତ୍ରୀ ଓ ସଚିବ କହୁଛନ୍ତି ଆମେ କରିଦେବୁ, ମାସେ ଦୁଇ ମାସ ଭିତରେ ସବୁ ଠିକ୍ ହେଇଯିବ। ତେବେ କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ ସେନେଇ କେହି ବି ସ୍ପଷ୍ଟ କରୁନାହାନ୍ତି। ପ୍ରଥମେ ଉଚ୍ଚଶିକ୍ଷା ବିଭାଗ ଯେଉଁ ଜମି ଦେଉଥିଲା ସେଠାରେ ଛାତ୍ରୀଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି କର୍ତ୍ତୃପକ୍ଷ ଜମି ଗ୍ରହଣ କରି ନଥିଲେ। ସୈନିକ ସ୍କୁଲ ଜମିରୁ ୫୦ ଏକର ଜମି ନେବାପାଇଁ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଦେଇ ନଥିଲେ। ଏବେ ସୈନିକ ସ୍କୁଲ୍କୁ ସେଠାରୁ ଉଠାଇ ନେବାକୁ ଯୋଜନା ହୋଇଛି। ପୂର୍ବତନ କୁଳପତି ଉଚ୍ଚଶିକ୍ଷା ସଚିବଙ୍କୁ ଏକାଧିକ ଥର ପତ୍ର ଲେଖି ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏମିତିକି ବିଭିନ୍ନ ସମୟରେ ହେଉଥିବା କୁଳପତି ସମ୍ମିଳନୀରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍ ନେଇ ଆଲୋଚନା ହୋଇଛି। ମାତ୍ର ଦ୍ବିତୀୟ କ୍ୟାମ୍ପସ୍ର ଭାଗ୍ୟ ଖୋଲିପାରି ନାହିଁ।
ପରିଣାମ ସ୍ବରୂପ ନ୍ୟାସ୍ନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ୍(ନାକ୍)ର ପ୍ରଥମ ଗସ୍ତରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ନିରାଶ ହେବାକୁ ପଡ଼ିଛି। ‘ବି++’ ଗ୍ରେଡ୍ରେ କର୍ତ୍ତୃପକ୍ଷ ସନ୍ତୁଷ୍ଟ ହୋଇଛନ୍ତି। ୨୦୧୫ରେ ‘ବିଶ୍ବବିଦ୍ୟାଳୟ’ ମାନ୍ୟତା ପରେ ପାଠ୍ୟକ୍ରମ ବଢ଼ିଥିଲେ ମଧ୍ୟ ଭିତ୍ତିଭୂମିରେ ଉନ୍ନତି ହୋଇପାରି ନଥିବାରୁ ନାକ୍ ଟିମ୍ର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ୪ ହଜାର ଛାତ୍ରୀ ପଢ଼ୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟର ନିଜସ୍ବ ଖେଳପଡ଼ିଆ ନାହିଁ। ହଷ୍ଟେଲ ଓ କ୍ୟାଣ୍ଟିନ୍ରେ ଛାତ୍ରୀମାନଙ୍କୁ ଉନ୍ନତମାନ ଓ ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଇବା, ଲାବରେଟୋରିରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସାମଗ୍ରୀ ଓ ଏସି, ନିଯୁକ୍ତି ପାଇଁ ବାହାର କମ୍ପାନିଙ୍କୁ କ୍ୟାମ୍ପସ୍କୁ ଡାକିବା, ବିଶ୍ବବିଦ୍ୟାଳୟର ସମସ୍ତ ଏକାଡେମିକ ଓ ହଷ୍ଟେଲରେ ବହୁ ପରିମାଣର ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ୍ ଲଗାଇବାକୁ ପରାମର୍ଶ ଦେଇଥିଲେ। ହଷ୍ଟେଲ୍ରେ ୱାଇଫାଇ ସୁବିଧା, ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ବଡ଼ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ବିଭିନ୍ନ ବିଭାଗ ଛାତ୍ରୀଙ୍କୁ କ୍ଷେତ୍ର ଭ୍ରମଣ ସୁବିଧା, ଗୁଣାତ୍ମକ ଗବେଷଣା, ଶିଳ୍ପ ସଂସ୍ଥା ସହ ବିଶ୍ବବିଦ୍ୟାଳୟକୁ ଯୋଡ଼ିବା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା, ଶିଳ୍ପ ଓ ଶିକ୍ଷାକୁ ମିଶାଇବା, ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା, ତାଲିମପ୍ରାପ୍ତ କାଉନସେଲ୍ ନିଯୁକ୍ତିର ଆବଶ୍ୟକତା ରହିଥିବା କହିଥିଲେ।
କେବଳ ସେତିକି ନୁହେଁ, ଅଧ୍ୟାପକଙ୍କ ବିକାଶ ଓ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଶିକ୍ଷକମାନଙ୍କୁ ସଚେତନ କରାଇବା, ଅତ୍ୟାଧୁନିକ ରୋଷଇ ଘର, ହଷ୍ଟେଲଗୁଡ଼ିକ ପାଇଁ କେନ୍ଦ୍ରୀୟ ରୋଷେଇଶାଳା ସ୍ଥାପନ ସହ ବିଦେଶୀ ଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ କମିଟି ମତପ୍ରକାଶ କରିଥିଲେ। ତା’ସତ୍ତ୍ବେ ରାଜ୍ୟ ସରକାର କିମ୍ବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି। ଦ୍ବିତୀୟ କ୍ୟାମ୍ପସ୍ ଜମି କଥା କେହି ଉଠାଉ ନାହାନ୍ତି। ନୂଆ ସରକାର କ୍ଷମତାକୁ ଆସିବାକୁ ୯ ମାସ ବିତିଥିଲେ ମଧ୍ୟ ଏ ବିଷୟରେ ଆଦୌ ଆଲୋଚନା ହୋଇନାହିଁ।