ବକ୍ସି ଜଗବନ୍ଧୁଙ୍କୁ ଭୁଲିଗଲେ

ପୁରୁଣା ଭୁବନେଶ୍ୱର : ମହାନ୍‌ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ୧୦୦ତମ ଶ୍ରାଦ୍ଧବାର୍ଷିକୀକୁ ନେଇ କିଛି ଦିନ ତଳେ ଜୋରଦାର ରାଜନୀତି ହୋଇଥିଲା। ଉଭୟ ବିଜେପି ଓ ବିଜେଡି ବକ୍ସି ଜଗବନ୍ଧୁଙ୍କ ସ୍ମୃତି ରକ୍ଷା ପାଇଁ ବହୁ ଯୋଜନା ଘୋଷଣା କରି ପକାଇଥିଲେ। ଭୁବନେଶ୍ୱରରୁ ଆରମ୍ଭ କରି ନୂଆଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଗଲା। ହେଲେ ବକ୍ସିଙ୍କ ୧୦୧ତମ ଶ୍ରାଦ୍ଧ ବାର୍ଷିକୀ ବେଳକୁ ସବୁ ଓଲଟପାଲଟ ହୋଇଗଲା। ସବୁ ପ୍ରମୁଖ ରାଜନୈତିକ ଦଳ ବକ୍ସିଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଭୁଲିଗଲେ। ତାଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳଟିଏ ଦେବାକୁ ବି ଆସିଲେନି। ମହାପୁରୁଷଙ୍କ ନେଇ ରାଜନୀତି କରୁଥିବା ରାଜନୈତିକ ଦଳଗୁଡ଼ିକ ପୂଜ୍ୟପୂଜାକୁ କିପରି ସମ୍ମାନ ଦିଅନ୍ତି ତାହା ଆଜି କରି ଦେଖାଇ ଦେଇଛନ୍ତି।

କେବଳ ବିଜେଡି କି ବିଜେପି ନୁହେଁ। ଲୁଲୁ ମହାପାତ୍ର ବଞ୍ଚିଥିବା ଯାଏ ଯେଉଁ କଂଗ୍ରେସ ଦଳ ବକ୍ସିଙ୍କୁ ସମ୍ମାନ ଦେଉଥିଲା ସେହି କଂଗ୍ରେସ ବି ଆଜି ବକ୍ସିଙ୍କ ପୁଣ୍ୟ ତିଥିକୁ ଭୁଲି ଯାଇଛି। ଲୁଲୁଙ୍କ ଭାଇ ଓ ଝିଅ ବିଜେପିରେ ମିଶିଥିଲେ ହେଁ ବିଜେପି ବି ବକ୍ସିଙ୍କୁ ସମ୍ମାନ ଦେବାକୁ ଭାବିଲାନି। ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ରାଜନୀତି ପାଇଁ ବକ୍ସିଙ୍କୁ ଯଥାସମ୍ଭବ ବ୍ୟବହାର କଲେ କିନ୍ତୁ ସମ୍ମାନ ଦେବା ଓ ସ୍ମୃତିଚାରଣ କରିବା ସମୟ ଆସିଲା ବେଳକୁ ଭୁଲିଗଲେ।

ତିନିଟି ଯାକ ରାଜନୈତିକ ଦଳର କୌଣସି ଜଣେ ରାଜନେତାଙ୍କୁ ବି ପୁଣ୍ୟତିଥିରେ ପ୍ରତିମୂର୍ତ୍ତିରେ ଫୁଲ ମାଳଟିଏ ଦେବାକୁ ଇଚ୍ଛା ହେଲାନି। ସୂଚନା ଓ ଲୋକସମ୍ପର୍କ ବିଭାଗ ବି ପ୍ରତିବର୍ଷ ପରି ଚଳିତବର୍ଷ ବି ମ୍ୟୁଜିୟମ ଛକରେ ବକ୍ସିଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ଦେଇଛି। ସକାଳ ୭ଟା ୩୦ରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ହେଁ ସକାଳ ୬ଟା ପୂର୍ବରୁ କେତେକ କର୍ମଚାରୀ ପୁଷ୍ପମାଲ୍ୟ ଦେଇ ଦାୟିତ୍ୱ ତୁଲାଇ ଦେଇଛନ୍ତି। ସଂଧ୍ୟାରେ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ବି ହୋଇଛି। ସେହିପରି ରାଜ୍ୟ ଯୁବ ସାମ୍ମୁଖ୍ୟ ନାମକ ଏକ ସଂସ୍ଥାର କର୍ମକର୍ତାମାନେ ଆଜି ବକ୍ସିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର