ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ଘାରିଛି ବଜ୍ରପାତ ଭୟ। ଆର୍ଥିଙ୍ଗ୍ ବ୍ୟବସ୍ଥା ଠିକ୍ ନଥିବାରୁ ବଜ୍ରପାତ ମନ୍ଦିରର ବ୍ୟାପକ କ୍ଷତି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟାକୁ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣପାତ କରୁନଥିବା ଅଭିଯୋଗ ହେଉଛି। କେବଳ ଶ୍ରୀଲିଙ୍ଗରାଜ ମନ୍ଦିର ନୁହେଁ, ଏହି ସମସ୍ୟା ପୁରୁଣା ଭୁବନେଶ୍ବରର ସବୁ ମନ୍ଦିର ପାଇଁ ବଡ଼ ପ୍ରସଙ୍ଗ ବୋଲି କୁଯାଯାଇଛି। ୨୦୧୮ ମସିହା ଜୁଲାଇ ମାସ ୩୦ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ଭିଣୋଇ ଶ୍ରୀଯମେଶ୍ୱର ମନ୍ଦିର ଉପରେ ବଜ୍ରପାତ ହୋଇଥିଲା। ଫଳରେ ଦଧିନଉତିର ପଥର ଭାଙ୍ଗି ନଷ୍ଟ ହେବା ସହ ପତାକା ପୋଡ଼ି ଯାଇଥିଲା। ଦଧିନଉତି ତଳେ ଥିବା ୪ଟି ସ୍ଥାନରେ ଅଙ୍ଗ ଶିଖର ଓ ରାହାପାଗ ଭାଙ୍ଗି ତଳେ ପଡ଼ିଥିଲା ଓ ବହୁ ସ୍ଥାପତ୍ୟ ନଷ୍ଟ ହୋଇଯାଇଥିଲା ସେହିଭଳି ସେଦିନ ଦିନ ଅନନ୍ତ ବାସୁଦେବ ମନ୍ଦିରରେ ବଜ୍ରପାତ ହୋଇଥିଲା ଓ ପତାକା ପୋଡ଼ିଯାଇଥିଲା। ବଜ୍ରପାତ ଯୋଗୁଁ ସର୍ଟ ସର୍କିଟ୍ ହୋଇ ମନ୍ଦିରର ୱେୟାରିଂ ନଷ୍ଟ ହୋଇଥିଲା ଓ ବହୁ ବୈଦ୍ୟୁତିକ ଉପକରଣ ପୋଡ଼ି ଯାଇଥିଲା। ପରେ ପରେ ଯମେଶ୍ବର ମନ୍ଦିରକୁ ଏଏସ୍ଆଇ ପକ୍ଷରୁ ମରାମତି କରାଯାଇଥିଲା। ଏଏସ୍ଆଇଇ ପକ୍ଷରୁ ମନ୍ଦିରର ସୁରକ୍ଷା ପାଇଁ ବିପୁଳ ଅର୍ଥ ବ୍ୟୟ କରାଯାଉଥିଲେ ହେଁ ଆର୍ଥିଂ ବ୍ୟବସ୍ଥା ସେମିତି ଅସଜଡ଼ା ହୋଇ ରହିଯାଉଛି। ଶ୍ରୀଲିଙ୍ଗରାଜ ମନ୍ଦିରକୁ ବଜ୍ରପାତରୁ ରକ୍ଷା କରିବା ପାଇଁ ଏଏସ୍ଆଇ ପକ୍ଷରୁ ଚିନ୍ତା ନାହିଁ ବୋଲି ଅଭିଯୋଗ ହେଉଛି। ଗତ ୨୦୧୮ ମସିହା ଜୁଲାଇ ୧ତାରିଖରେ ମନ୍ଦିର ଚୂଡ଼ାରେ ବଜ୍ରପାତ ହୋଇ ପତାକା ପୋଡ଼ି ଯାଇଥିଲା । ପରେ ପରେ ମନ୍ଦିର ଜଗମୋହନରେ ଲାଗିଥିବା ପୁରୁଣା ବିଦ୍ୟୁତ୍ ଆର୍ଥିଙ୍ଗ୍ ତାରକୁ ବଦଳାଇ ନୂଆ ଲଗାଯାଇଥିଲା। କିନ୍ତୁ ମୁଖ୍ୟ ମନ୍ଦିରର ଆର୍ଥିଙ୍ଗ୍ ସଂଯୋଗ ହୋଇ ପାରିଲାନାହିଁ। ମୁଖ୍ୟ ମନ୍ଦିରର ଚତୁଃପାର୍ଶ୍ୱରେ ଆର୍ଥିଙ୍ଗ୍ ତାର ବୁଲିଥିଲେ ମଧ୍ୟ ମାଟି ତଳୁ ଆସିଥିବା ଆର୍ଥିଙ୍ଗ୍ ସହ ସଂଯୋଗ କରାଗଲା ନାହିଁ। ଗତ ବର୍ଷ ଏଏସ୍ଆଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀଲିଙ୍ଗରାଜ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୧କୋଟି ୩୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ଏହି କାମ ଆରମ୍ଭ ହୋଇନାହିଁ କି ମନ୍ଦିରର ଆର୍ଥିଂ ବ୍ୟବସ୍ଥା ପ୍ରତି ନଜର ଦିଆଯାଉନାହିଁ।
ଉଲ୍ଲେଖଯୋଗ୍ୟ ଯେ ପୁରୁଣା ଭୁବନେଶ୍ୱରରେ ମୋଟ୍ ୧୯୯ଟି ମନ୍ଦିର ରହିଛି। ସେମାନଙ୍କ ମଧ୍ୟରେ ପର୍ଯ୍ୟଟକ ଆକୃଷ୍ଟ କରୁଥିବା ମନ୍ଦିର ଗୁଡ଼ିକ ହେଲେ ମତ୍ରୈଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର, ଗୋସାଗରେଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର, ଲକ୍ଷ୍ମଣେଶ୍ୱର ମନ୍ଦିର, ଭରତେଶ୍ୱର ଓ ଶତୃଘ୍ନେଶ୍ୱର ମନ୍ଦିର। ପ୍ରାୟ ନବମ ଓ ଦଶମ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରମାନଙ୍କର ଭାସ୍କର୍ଯ୍ୟ ଓ କଳାକୃତି ହିଁ ପର୍ଯ୍ୟଟକମାନଙ୍କୁ ଟାଣି ଆଣିଥାଏ। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୨୪ଟି ମନ୍ଦିର ଥିବାବେଳେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୧୨ଟି ମନ୍ଦିର ତଥା ଐତିହ୍ୟ ସ୍ଥଳି ରହିଛି। ସମସ୍ତ ଐତିହ୍ୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା । ତେବେ ପରିତାପର କଥା କୌଣସି ମନ୍ଦିରରେ ଆର୍ଥିଙ୍ଗ୍ ବ୍ୟବସ୍ଥା ହୋଇନାହିଁ। ତେଣୁ ବର୍ଷା ଦିନ ଆସିଲେ ସବୁ ମନ୍ଦିର ଓ ଐତିହ୍ୟ ସ୍ଥଳିକୁ ବଜ୍ରପାତଜନିତ ବିପଦ ରହିଛି ବୋଲି କୁହାଯାଉଛି।