ପ୍ଲେଟ୍ରୁ ଖସୁଛି ଲୁହା ଗୁଣ୍ଡ, ଖୁଣ୍ଟରେ ଲାଗିଲାଣି କଳଙ୍କି
ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆଡ୍ଡା, ଗଡ଼ୁଛି ମଦ ବୋତଲ
ଭୁବନେଶ୍ବର : ‘ସରକାର କା ମାଲ, ଦରିଆ ମେ ଡାଲ’। ଏହି ଉକ୍ତିର ଯଥାର୍ଥତା ଏବେ ରାଜଧାନୀରେ ଦେଖିବାକୁ ମିଳିଛି। ଲକ୍ଷେ କି କୋଟିଏ ନୁହେଁ। ବରଂ ପ୍ରାୟ ୫ କୋଟି ଟଙ୍କା ବିନିମୟରେ କଳିଙ୍ଗ ଷ୍ଟାଡିୟମ୍ ନିକଟରେ ନିର୍ମାଣ ହୋଇଥିବା ଦୁଇଟି ଫୁଟ୍ ଓଭରବ୍ରିଜ୍ ଏବେ ଭୁଶୁଡ଼ିବା ଅବସ୍ଥାକୁ ଆସିଲାଣି। ୨୦୧୮ ହକି ବିଶ୍ବକପ୍ ସମୟରେ ନିର୍ମାଣ ହୋଇଥିବା ଏହି ଦୁଇଟି ବ୍ରିଜ୍ ମାତ୍ର ଦୁଇ ବର୍ଷ ମଧ୍ୟରେ ନଷ୍ଟ ହେଲାଣି। ଲୁହା ପ୍ଲେଟ୍ରୁ ଖଣ୍ଡ ଖଣ୍ଡ ଗୁଣ୍ଡ ଝଡ଼ୁଥିବା ବେଳେ ଖୁଣ୍ଟଗୁଡ଼ିକରେ କଳଙ୍କି ଲାଗିଗଲାଣି। ସୌନ୍ଦର୍ଯ୍ୟୀକରଣ ଦୂରର କଥା। ଫୁଟ୍ଓଭର ଉପର ଏବେ ମଦୁଆଙ୍କ ଆଡ୍ଡା ସ୍ଥଳ ପାଲଟିଛି। ସନ୍ଧ୍ୟା ହେବା କ୍ଷଣି ସହରର କେତେକ ଅସାମାଜିକ ଯୁବକ ମଦ ବୋତଲ ଓ ଚାଖଣା ଧରି ବ୍ରିଜ୍ ଉପରକୁ ଚାଲି ଆସୁଛନ୍ତି। ଆଉ ରାତି ଅଧ ଯାଏ ବ୍ରିଜ୍ ଉପରେ ଖଟି ଜମାଉଛନ୍ତି। ମଦ ବୋତଲ ଭାଙ୍ଗିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ବି କରୁଛନ୍ତି। ଦିନେ ଦିନେ ମଦ ବୋତଲ ରାସ୍ତା ଉପରେ ପଡ଼ୁଥିବାରୁ ଗାଡ଼ି ଚାଳକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ଅଞ୍ଚଳବାସୀ ଅଭିଯୋଗ କଲେ ନା ପୁଲିସ ଶୁଣୁଛି ନା ଫୁଟ ଓଭରବ୍ରିଜ୍ର ରକ୍ଷଣାବେକ୍ଷଣା ଦିଗରେ ପ୍ରଶାସନ ପଦକ୍ଷେପ ନିଆଯାଉଛି। ବରଂ ସମସ୍ତେ ସବୁ ଦେଖି କେବଳ ନିରବଦ୍ରଷ୍ଟା ସାଜୁଛନ୍ତି।
/sambad/media/post_attachments/wp-content/uploads/2021/03/keshab3.jpg)
ଷ୍ଟାଡିୟମ୍ ନିକଟରେ ଦୁଇଟି ଫୁଟ୍ଓଭର ବ୍ରିଜ୍ ଆବଶ୍ୟକତା ନ ଥିବା ପ୍ରଥମେ କୁହାଯାଇଥିଲା। ତେବେ କେତେଜଣ ସରକାରୀ ବାବୁଙ୍କ ଜିଦ୍ଖୋର ମନୋବୃତ୍ତି ପାଇଁ ଆଉ ଗୋଟିଏ ଓଭରବ୍ରିଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଗଲା। ଏହାଦ୍ବାରା ବାବୁଙ୍କ ଜିଦ୍ ରହିଲା ଓ ଠିକା ସଂସ୍ଥାର ପକେଟ୍ ସିନା ଗରମ ହେଲା ହେଲା, ହେଲେ ସରକାରୀ ତହବିଲ୍ରୁ ଅଢ଼େଇ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେଲା। ଯାହାକି ଏବେ କୌଣସି କାମରେ ଆସିପାରୁ ନାହିଁ। ଗୋଟିଏ ବି ଫୁଟ୍ ଓଭରବ୍ରିଜ୍ ଉପରେ ଲୋକଙ୍କ ଫୁଟ୍(ପାଦ) ପଡ଼ୁ ନାହିଁ। ବରଂ ରାତିରେ କେବଳ ମଦୁଆଙ୍କ ଖଟି ଜମୁଛି, ଯାହା ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। ଓଭରବ୍ରିଜ୍ ତଳରୁ ଉପର ପର୍ଯ୍ୟନ୍ତ ପାହାଚ ସାରା ମଦ ବୋତଲ ଗଡ଼ୁଛି। ପାନ ଛେପଠାରୁ ଆରମ୍ଭ କରି ଗୁଟ୍ଖା ଜରି ପର୍ଯ୍ୟନ୍ତ ସବୁ ଏଠାରେ ଜମା ହୋଇଛି। କେତେକ ସ୍ଥାନରେ କଣ୍ଡୋମ ପ୍ୟାକେଟ୍ ବି ପଡ଼ିଛି। ରକ୍ଷଣାବେକ୍ଷଣ ଦୂରରେ ଥାଉ, ମାସ ମାସ ଧରି ଏହାର ସଫେଇ ହିଁ ହୋଇ ନାହିଁ। ଏହାକୁ ଦେଖି ରାଜ୍ୟ ତଥା ଦେଶ ବାହାରୁ କଳିଙ୍ଗ ଷ୍ଟାଡିୟମ୍କୁ ଆସୁଥିବା ଖେଳାଳି, ପର୍ଯ୍ୟଟକ ଆକର୍ଷିତ ହେବେ କ’ଣ ଏବେ ନାକ ଟେକୁଛନ୍ତି।
ଦୀର୍ଘ ମାସ ଧରି ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ବାବୁମାନଙ୍କର ଏଥିପ୍ରତି ଦୃଷ୍ଟି ହିଁ ନାହିଁ। ସବୁଠାରୁ ବଡ଼ କଥା ହେଉଛି ଯେ ଓଭରବ୍ରିଜ୍ ଉପରେ ପଡ଼ିଥିବା ଲୁହା ପ୍ଲେଟଗୁଡ଼ିକ ନଷ୍ଟ ହେଲାଣି। କେବେ ଭୁଶୁଡ଼ିବ ତାହା କହିବା ମୁସ୍କିଲ। ଯଦି ସେମିତି କିଛି ହୁଏ, ତେବେ ବହୁ ଧନଜୀବନ କ୍ଷତି ହେବାର ସମ୍ଭବନା ରହିଛି। ସିଲିଂରେ ଲାଗିଥିବା ଲୁହା ପାତଗୁଡ଼ିକ ଏବେ ଲଟକି ରହିଛି। ଓଭରବ୍ରିଜ୍ରେ ଲାଇଟ୍ ନ ଥିବାରୁ ଯଦି କୌଣସି ବ୍ୟକ୍ତି ରାତି ସମୟରେ ଅଜାଣତରେ ଏହା ଉପରେ ଚାଲିଯିବ ତେବେ ମୁଣ୍ଡ ଫାଟିବା ଥୟ। ପୂର୍ବରୁ ଅସାବଧାନତା ଯୋଗୁଁ ଦୁଇ ଜଣ ଆହତ ହୋଇଥିବା ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି। ଏଭଳି ସ୍ଥିତିରେ ସରକାରୀ ବାବୁଙ୍କ ଶୁଭ ଦୃଷ୍ଟି କେବେ ପଡ଼ିବ ତାହା ଦେଖିବାକୁ ବାକି ରହିଲା।
/sambad/media/post_attachments/wp-content/uploads/2021/03/keshab.jpg)
ଏସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀନ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ୍-୩ ଅଧିକାରୀ ହିମାଂଶୁ ଶେଖର ଷଡ଼ଙ୍ଗୀ କହିଛନ୍ତି ଯେ ଏବେ କଳିଙ୍ଗ ଷ୍ଟାଡିୟମ୍ରେ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତୀୟ କ୍ରିଡ଼ା ନ ଥିବାରୁ ଫୁଟ୍ ଓଭରବ୍ରିଜ୍ ଉପରେ ଲୋକଙ୍କ ଚଳପ୍ରଚଳ ସେଭଳି ହେଉ ନାହିଁ। ତେବେ ଲୁହାଗୁଡ଼ିକ କଳଙ୍କି ଲାଗିଯାଇଥିବା ଆମ ନଜରକୁ ଆସିଛି। ଖୁବ୍ଶୀଘ୍ର ତାହାକୁ କଲରିଂ କରାଯିବ। ଅସାମାଜିକ ଖଟି ଜମାଉଥିବା ସମ୍ପର୍କରେ କି ଅଭିଯୋଗ ହୋଇଛି। ଏଥିପାଇଁ ସମସ୍ତେ ସଚେତନ ହେବା ସହ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ହେବା ଆବଶ୍ୟକ। ଏବେ ଲୋକଙ୍କ ଯିବା ଆସିବା ନ ଥିବାରୁ ସୁରକ୍ଷା କର୍ମୀ ନିୟୋଜନ କରି ଅର୍ଥ ବରବାଦ କରିବା ଠିକ୍ ହେବ ନାହିଁ।
କୁହୁକ ଗଳି ଏବେ ଅନ୍ଧାର ଗଳି
୨୦୧୮ ଡିସେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମ୍ରେ ହକି ପୁରୁଷ ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା। ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଦୁଇଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯାଇଥିଲା। କମିସନରେଟ୍ ପୁଲିସ, ବିଏମ୍ସି ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବହୁ ବିଚାରବିମର୍ଶ କରିବା ପରେ ଷ୍ଟାଡିୟମ୍ର ୨ ନମ୍ବର ଓ ୩ ନମ୍ବର ଫାଟକ ମଧ୍ୟରେ ଗୋଟିଏ ଏବଂ ୪ ନମ୍ବର ଫାଟକ ନିକଟରେ ଆଉ ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହୋଇଥିଲା। ବିଶ୍ବକପ୍ ଥିବାରୁ ଏହାକୁ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଫୁଟ୍ ଓଭରବ୍ରିଜ୍ ଉପରେ ବାଉଁଶର କଳାକୃତି ଆକର୍ଷଣ ପାଲଟିଥିଲା। ରାତିରେ ଏହି ସ୍ଥାନଗୁଡ଼ିକ କିଭଳି ଆକର୍ଷଣ ପାଲଟିବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଥିଲା। ୪ ନମ୍ବର ଗେଟ୍ ନିକଟରେ ହୋଇଥିବା ଫୁଟ୍ ଓଭରବ୍ରିଜ୍ରେ ଶିଳ୍ପୀମାନେ କୁହୁକ ଗଳିର ଭ୍ରମ ସୃଷ୍ଟି କରିଥିଲେ। ଓଭରବ୍ରିଜ୍ରେ ଉପରେ ଲୁହାର ବାଡ଼ା ପରିବର୍ତ୍ତେ ବାଉଁଶ ଲଗାଯାଉଛି। ପାହାଚ ପାର୍ଶ୍ବରେ ସୂତାରେ ବୁଢ଼ିଆଣି ଜାଲ ସଦୃଶ କଳାକୃତି ହୋଇଥିଲା। ପଶ୍ଚିମବଙ୍ଗର ୫୦ରୁ ଅଧିକ ଶିଳ୍ପୀ ଦିନରାତି ଏକ କରି ଫୁଟ୍ଓଭର ବ୍ରିଜ୍ର ସୌନ୍ଦର୍ଯ୍ୟୀକରଣ କରିଥିଲେ। କୁହୁକ ଗଳି ଏବେ ଅନ୍ଧାର ଗଳି ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/keshab4.jpg)