ଭୁବନେଶ୍ବର: ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା, ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶେଷରେ ଆନୁଷ୍ଠାନିକ ଭାବେ ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟରେ ଶ୍ରୀମତୀ ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ବିଜେପିକୁ ସ୍ବାଗତ କରିଛନ୍ତି। ଲଗାତାର ବିଜେଡି ସାଂସଦ ଭାବେ ବିଜୟୀ ହେଉଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ୨୦୧୯ ନିର୍ବାଚନରେ ଟିକେଟ୍ ଦେଇନଥିଲା। ତାଙ୍କ ସ୍ଥାନରେ ବିଜେଡି ଅରୂପ ପଟ୍ଟନାୟକଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।
ଏହାପରେ ମଧ୍ୟ ୨୦୨୪ରେ ଚିଲିକାରୁ ବିଧାୟକ ପ୍ରାର୍ଥୀ କିମ୍ବା ପୁଣି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ହେଲେ କିନ୍ତୁ ବିଜେଡି ତାଙ୍କ ଉପରେ ଭରସା କରିନଥିଲା। ସେହିପରି ତାଙ୍କ ଜ୍ବାଇଁ ତଥା ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିଜେଡି ୨୦୧୯ ଓ ୨୦୨୪ରେ ଟିକେଟ୍ ଦେଇନଥିଲା। ଯାହା ଫଳରେ ସେ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ପ୍ରସନ୍ନ ପାଟ୍ଟଶାଣୀ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କିଛି ଦିନ ତଳେ ଦିଲ୍ଲୀ ଗସ୍ତ ସମୟରେ କାନ୍ଧରେ ବିଜେପି ଉତ୍ତରୀୟ ପକାଇଥିବା ଶ୍ରୀ ପାଟ୍ଟଶାଣୀଙ୍କ ଫଟୋ ସାମ୍ନାକୁ ଆସିଥିଲା। ତେଣୁ ସେ ବିଜେପିରେ ସାମିଲ ହେବାନେଇ ଚର୍ଚ୍ଚା ହେଉଥିଲା।
ଜୟଦେବରୁ ବି ମିଶିଲେ
ଜୟଦେବ ନିର୍ବାଚନମଣ୍ଡଳୀର ବହୁ ବିଜେଡି କର୍ମୀ ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତିl ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚୌଧୁରୀ ଦ୍ୱାରିକାନାଥ ଦାଶଙ୍କ ନେତୃତ୍ୱରେ ଜୟଦେବର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ଜନ ପ୍ରତିନିଧି ଟଙ୍କପାଣି ରୋଡ, ବାଳକାଟି ବଜାର ଏବଂ ବାଲିପାଟଣା ଛକରୁ ବାହାରି ପଲାସପଲ୍ଲୀ ସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ ଶ୍ରୀ ଚୌଧୁରୀଙ୍କ ସମେତ ପୂର୍ବତନ ବାଲିପାଟଣା ଅଧ୍ୟକ୍ଷ ଶଶୀଭୂଷଣ ପାତ୍ର, ପୂର୍ବତନ ବାଲିପାଟଣା ବ୍ଲକ ଉପାଧ୍ୟକ୍ଷା କଳ୍ପନା ବରାଳ, ବେଣୁପୁର ପୂର୍ବତନ ସରପଞ୍ଚ ଦେବାନନ୍ଦ ସାହୁ ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ଚୌଧୁରୀଙ୍କ ସମେତ ଅଧ୍ୟକ୍ଷ ଶଶୀଭୁଷଣ ଓ କର୍ମୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଦଳାଇ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sffsshshfshf.jpg)