ଭୁବନେଶ୍ୱର : ଏମ୍ବିବିଏସ୍ରେ ଆଡମିସନ୍ କରାଇଦେବା ପାଇଁ ୧୦ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି। କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ପୁଲିସ ସମ୍ପୃକ୍ତ ତତ୍କାଳୀନ ଅଧ୍ୟକ୍ଷଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ମଞ୍ଚେଶ୍ୱର ଥାନା ଟି/୨୦ ମେଟ୍ରୋ ସିଟିରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗର ଥାନା କେରଦାଗଡ଼ ଗ୍ରାମର ପ୍ରେମରଞ୍ଜନ ଓଝା। ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ଆଡ୍ମିସନ କରାଇ ଦେବାକୁ କହି ପ୍ରେମରଞ୍ଜନ ୩ ବର୍ଷ ତଳେ ନୟାଗଡ଼ର ପ୍ରଜ୍ଞା ପ୍ରସାଦ ଦାସଙ୍କ ଠାରୁ ୧୦ଲକ୍ଷ ଟଙ୍କା ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ନାମରେ ଏଭଳି ଅନେକ ଠକେଇ ଅଭିଯୋଗ ରହିଥିବା ପୁଲିସ କହିଛି।
ପ୍ରେମରଞ୍ଜନ ପୂର୍ବରୁ ହାଇଟେକ୍ କଲେଜ ଅଫ୍ ଫିଜିଓଥେରାପିରେ ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ରାଉରକେଲା ଶୀତଳେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ପ୍ରଜ୍ଞା ଏମ୍ବିବିଏସ୍ରେ ଆଡମିସନ କରିବା ପାଇଁ ୨୦୧୭ ମସିହାରେ ପ୍ରେମରଞ୍ଜନଙ୍କୁ ସାକ୍ଷାତ କରିଥିଲେ। ରାଉରକେଲାରେ ପ୍ରଜ୍ଞାଙ୍କୁ ଏମବିବିଏସ୍ରେ ଆଡମିସନ କରାଇଦେବାକୁ ପ୍ରତିଶ୍ରୁତି ଦେଇ ୧୦ଲକ୍ଷ ଟଙ୍କା ନେଇଥିଲେ। ସେହିଭଳି ପ୍ରଜ୍ଞାଙ୍କ ଅନ୍ୟ ଜଣେ ସାଙ୍ଗଙ୍କ ଠାରୁ ପ୍ରେମରଞ୍ଜନ ୧୫ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇନଥିଲେ କିମ୍ବା ଆଡ୍ମିସନ ମଧ୍ୟ ହୋଇନଥିଲା। ଦୀର୍ଘ ୩ ବର୍ଷରୁ ଅଧିକ ଦିନ ବିତିଯିବା ପରେ ଏତଲା ହେବାରୁ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ମୋବାଇଲ, ଟଙ୍କା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/arrest-a.jpg)