ପୂର୍ବତନ କର୍ପୋରେଟର ସମୀର ପ୍ରଧାନଙ୍କ ଅକାଳ ବିୟୋଗ

ଭୁବନେଶ୍ବର: ୧୫ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ତଥା ବିଜେଡିର ଜଣାଶୁଣା ଯୁବନେତା ସମୀର ପ୍ରଧାନଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଦୁଇଦିନ ତଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମସ୍ତିଷ୍କ ଆଘାତ ଯୋଗୁଁ ସେ କୋମାକୁ ଚାଲି ଯାଇଥିଲେ। ଆଜି ସକାଳ ୬ଟା ୩୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ତାଙ୍କ ମରଶରୀରକୁ ବିଜୁ ଯୁବ ଜନତା ଦଳର କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ମନ୍ତ୍ରୀ ଅ‌େଶାକଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ମିଶ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଧ୍ରୁବ ସାହୁ, ଓଡ଼ିଶା ମୋ ପରିବାରର ମୁଖ୍ୟ ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କ ବିଜେଡିର ବହୁ ନେତା ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ମରଶରୀରକୁ ତାଙ୍କ ଘରକୁ ନିଆଯିବା ସହ ୱାର୍ଡ ପରିକ୍ରମା କରାଯାଇଥିଲା। ବିଏମ୍‌ସି ଅଫିସକୁ ମରଶରୀର ନିଆଯାଇଥିଲା। ସେଠାରେ ମେୟର ସୁଲୋଚନା ଦାସ, ପୂର୍ତ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ଅନ୍ୟ କର୍ପୋରେଟରବୃନ୍ଦ ଓ କର୍ମଚାରୀମାନେ ଶେଷ ଦର୍ଶନ କରିଥିଲେ। ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ଅପରାହ୍ନରେ ମରଶରୀର ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସମୀର ବିବାହ କରିନଥିଲେ। ମା’ଙ୍କ ମୃତ୍ୟୁ ପରେ ସେ ଏକୁଟିଆ ରହୁଥିଲେ। ଗରିବ ଲୋକଙ୍କୁ ସହାୟତା କରିବା ତାଙ୍କର ଏକ ନିଶା ଥିଲା। ତିନିଦିନ ତଳେ ସେ ଜଣେ ଭିକାରୀଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଚିକିତ୍ସା କରାଉଥିଲେ। ଆଜି ତାଙ୍କର ଆଖି ଅପରେସନ ହୋଇଥା’ନ୍ତା। ସମୀର ବିଜେଡିର ଜଣେ ଦକ୍ଷ ଯୁବନେତା ଭାବେ ପରିଚିତ ଥିଲେ। ନିଜ ସାଙ୍ଗଠନିକ ଦକ୍ଷତା ଯୋଗୁଁ ଦୁଇ ଥର କର୍ପୋରେଟର ହେବାର ସୁଯୋଗ ପାଇଥିଲେ। ଓଡ଼ିଶା ମୋ ପରିବାରର ସକ୍ରିୟ ସଦସ୍ୟ ଭାବରେ ଦୀର୍ଘ ଦିନ ହେବ ରହିଥିଲେ। ସମାଜସେବା ପାଇଁ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଥିଲେ। ‘ଉଇ ଫର୍‌ ଭୁବନେଶ୍ବର’ ନାମକ ଏକ ସଂଗଠନର ମଧ୍ୟ ସେ ପ୍ରମୁଖ କର୍ମକର୍ତ୍ତା ଥିଲେ।

ସମ୍ବନ୍ଧିତ ଖବର