ଭୁବନେଶ୍ବର: କମ୍ପ୍ୟୁଟର୍‌ କ୍ଲାସ୍‌ରେ ନାଁ ଲେଖାଇଦେବି। କମ୍ପ୍ୟୁଟର୍‌ ଓ ଆଇଫୋନ୍‌ ବି ତୋ’ ପାଇଁ କିଣି ଦେବି। ତୋ କ୍ୟାରିୟର୍‌ ବନେଇଦେବି। ଏମିତି ପ୍ରଲୋଭନ ଦେଖାଇ ଦଶମ ପଢ଼ୁଆ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ ବିଜେପି ନେତା ତଥା ପୂର୍ବତନ କର୍ପୋରେଟର୍‌ କାର୍ତ୍ତିକ ସୁନ୍ଦରରାୟ। ଥାନାରେ ବୟାନ ରେକର୍ଡ ବେଳେ ପୀଡ଼ିତା ନାବାଳିକା ପୁଲିସ୍‌କୁ ଏହା କହିଛନ୍ତି। ନାବାଳିକାଜଣଙ୍କ କହିଛନ୍ତି ଯେ ପାଠ ପଢ଼ାଇବାରେ ସାହାଯ୍ୟ କରିବା ଆଳରେ କାର୍ତ୍ତିକ ପ୍ରଥମେ ତାଙ୍କ ନିକଟତର ହୋଇଥିଲେ। ତେବେ ଏତେସବୁ ଘଟଣା ନାବାଳିକାଜଣକ ତାଙ୍କ ମାଆଙ୍କୁ ଜଣାଇ ନଥିଲେ। ବୋର୍ଡ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ ପାଠପଢ଼ା ବ୍ୟାହତ ହେବ ବୋଲି ଭାବି ସେ ମା’ଙ୍କୁ ଏକଥା କହି ନଥିଲେ ବୋଲି ମା’ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ୧୮ ତାରିଖ ଘଟଣା ସଂପର୍କରେ ପରିବାରଲୋକେ ଜାଣିବା ପରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ: ବିଜେପି ଜିଲ୍ଲା ସଭାପତି

Advertisment

ଅପରପକ୍ଷେ ଏହି ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ହସ୍ତକ୍ଷେପ କରିଛନ୍ତି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଓ ଭରତପୁର ଥାନା ଇନ୍ସପେକ୍ଟର ବିଭୁଦତ୍ତ ରାଉତରାୟଙ୍କୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ଶ୍ରୀମତୀ ପ୍ରଧାନ ପୁଲିସ କମିସନରଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କାର୍ତ୍ତିକଙ୍କୁ ଧରିବା ପାଇଁ ୨ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଗତରାତିରେ ଦଶପଲ୍ଲାସ୍ଥିତ ଏକ ଫାର୍ମହାଉସ୍‌ରେ କାର୍ତ୍ତିକ ଲୁଚିଥିବା ସୂଚନା ମିଳିଥିଲା। ମାତ୍ର ପୁଲିସ ଚଢ଼ଉ ପୂର୍ବରୁ ସୂଚନା ପାଇ ସେ ସେଠାରୁ ପିପିଲିକୁ ପଳାଇଥିବା ସୂଚନା ମିଳିଛି। ଭରତପୁର ପୁଲିସ ଆଜି ପିପିଲିର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କାର୍ତ୍ତିକ ୨୦୦୯ରେ କର୍ପୋରେଟର୍ ଥିବା ବେଳେ ଚଳିତ ପୌର ନିର୍ବାଚନରେ ମଧ୍ୟ ୬୫ନମ୍ବର ଵାର୍ଡରୁ ବିଜେପିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେହିଭଳି ଗତବର୍ଷ ମେ’ ୨୩ ତାରିଖରେ କାର୍ତ୍ତିକଙ୍କୁ ବିଜେପିର ଲିଙ୍ଗରାଜ ମଣ୍ଡଳର ପ୍ରଭାରୀ ଭାବେ ଘୋଷଣା କରାଯାଇଥିଲା। ସେ ଖଣ୍ଡଗିରି ମଣ୍ଡଳର ସାଧାରଣ ସଂପାଦକ ଭାବେ ୨୦୨୧ ଡିସେମ୍ବର ୨୮ରୁ ଦାୟିତ୍ବରେ ଥିଲେ। ଏ ସଂପର୍କରେ ଭୁବନେଶ୍ବର ବିଜେପିର ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି, କାର୍ତ୍ତିକ ଦଳର କୌଣସି ପଦପଦବୀରେ ନାହାନ୍ତି। ଯଦି ଏହି ଅଭିଯୋଗକୁ ନେଇ ତାଙ୍କର ସଂପୃକ୍ତି ଥିବା ଠୋସ୍ ପ୍ରମାଣ ମିଳେ, ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।