ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନଙ୍କ ପୁସ୍ତକ ‘ସର୍ଭିସ୍‌ ଅନ୍ଇଣ୍ଟରପ୍ଟେଡ୍‌’ ଲୋକାର୍ପିତ

ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସମର୍ପିତ ବ୍ୟକ୍ତି ସର୍ବଦା ପ୍ରଶଂସିତ: ରାଜ୍ୟପାଳ

ଭୁବନେଶ୍ୱର: ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଦା ସଚେତନ ଓ ସମର୍ପିତ ବ୍ୟକ୍ତି ସବୁସ୍ତରରେ ପ୍ରଶଂସିତ। ଏହାର ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ୍‌। ବିଭିନ୍ନ ଉଚ୍ଚ ପଦପଦବିରେ କାର୍ଯ୍ୟ କରି ଓ ନିରନ୍ତର ସେବା ପ୍ରଦାନ କରି ଶ୍ରୀ ରାଜେନ୍ଦ୍ରନ୍‌ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଯୁବପିଢ଼ିଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଆଜି ରାଜଭବନର ଅଭିଷେକ ହଲରେ ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ୍‌ଙ୍କ ଇଂରାଜୀ ପୁସ୍ତକ ‘ସର୍ଭିସ୍‍ ଅନ୍ଇଣ୍ଟରପ୍ଟେଡ୍‌’କୁ ଲୋକାର୍ପଣ କରି ରାଜ୍ୟପାଳ ପ୍ରଫେସର ଲାଲ୍‌ ଏହା କହିଛନ୍ତି। ବିଶ୍ବବିଦ୍ୟାଳୟ କାର୍ଯ୍ୟଧାରା‌‌ରେ ସଂସ୍କାରମୂଳକ ପଦକ୍ଷେପ ଓ ଶିଶୁମାନଙ୍କ ବିକାଶ ପାଇଁ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଶ୍ରୀ ରାଜନ୍ଦ୍ରେନ୍‌ଙ୍କ ଭୂମିକାକୁ ରାଜ୍ୟପାଳ ଶ୍ରୀ ଲାଲ ପ୍ରଶଂସା କରିଥିଲେ।

ଏହି ଅବସରରେ ଶ୍ରୀ ରାଜେନ୍ଦ୍ରନ୍‌ କହିଥିଲେ, ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ଅନୁଭୂତି ଅନନ୍ୟ। ଏହା ତାଙ୍କୁ ଅଶେଷ ଆତ୍ମସନ୍ତୋଷ ପ୍ରଦାନ କରିଛି। ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ, କୌଣସି କାମ କରିବା ବେଳେ ନିଜର ଶତପ୍ରତିଶତ ଦେଇ କାର୍ଯ୍ୟ କଲେ ସଫଳତା ସହ ସନ୍ତୋଷ ମିଳିଥାଏ। ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କଠାରୁ ପାଇଥିବା ଉତ୍ସାହ ଓ ସହଯୋଗକୁ ସେ ଏହି ଅବସରରେ ସ୍ମରଣ କରିଥିଲେ। ଜନସାଧାରଣଙ୍କ ସେବା କରିବାର ପ୍ରତିଟି ସୁଯୋଗକୁ ସେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଛନ୍ତି ଓ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି ଶ୍ରୀ ରାଜେନ୍ଦ୍ରନ୍‌ କହିଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ରାଜେନ୍ଦ୍ରନ୍‌ଙ୍କ ପତ୍ନୀ ସୁଶୀଳା ରାଜେନ୍ଦ୍ରନ୍‌, ବିପିୟୁଟିର ପ୍ରଥମ କୁଳପତି ପ୍ରଫେସର୍‌ ଦାମୋଦର ଆଚାର୍ଯ୍ୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଅଶୋକ କୁମାର ମହାପାତ୍ର ଉପସ୍ଥିତ ଥିଲେ। ସାଂସଦ ଅଚ୍ୟୁତ ସାମନ୍ତ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ‘ହର ଆନନ୍ଦ’ ପବ୍ଲିକେସନ୍‌ ପକ୍ଷରୁ ପ୍ରକଶିତ ଏହି ପୁସ୍ତକର ପ୍ରକାଶକ ନରେନ୍ଦ୍ର କୁମାର ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର