ଭୁବନେଶ୍ବର/ଜଗତସିଂହପୁର: ଜଗତସିଂହପୁରର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ମଲିକ (୯୦)ଙ୍କର ଆଜି ସକାଳେ ତାଙ୍କ ପୁନଙ୍ଗସ୍ଥିତ ବାସଭବନରେ ପରଲୋକ ଘଟିଛି। ଖବର ପାଇ ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ, ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ପୂର୍ବତନ ବିଧାୟକ ଜ୍ୟୋତିଷଚନ୍ଦ୍ର ଦାସ, ପୂର୍ବତନ ବିଧାୟକ କୈଳାସ ମଲ୍ଲିକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ସମାଜସେବୀ ସୁଦର୍ଶନ ବେହେରା, ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ମାନସ କୁମାର ରଥ, ପୂର୍ବତନ ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଯୁବନେତା ତ୍ରିପୁରେଶ୍ବର ମଲ୍ଲିକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ।
ଶେଷଶଯ୍ୟା ନିକଟରେ ପତ୍ନୀ ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ବଡ଼ପୁଅ ସୁବ୍ରତ ମଲ୍ଲିକ, ସାନପୁଅ ସଞ୍ଜୀବ ମଲ୍ଲିକ, ଭଣଜା ଦେବେନ୍ଦ୍ର ମଲ୍ଲିକ, ଚାରିଝିଅ ଜ୍ୱାଇଁ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ମଲ୍ଲିକ ଜଣେ ଲୋକପ୍ରିୟ ସଂଗଠକ ଏବଂ ଆଧ୍ୟାତ୍ମିକ ଚେତନାବାଦୀ ବ୍ୟକ୍ତିତ୍ୱ ଥିଲେ। ସେ ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ଜଗତସିଂହପୁର ସଂରକ୍ଷିତ ବିଧାନସଭା ଆସନରୁ କଂଗ୍ରେସ ଦଳରୁ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ। ଆଜି ତାଙ୍କ ମରଶରୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗର ଦିବାକର ପାତ୍ର ଓ ଅନ୍ୟ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅପରାହ୍ଣରେ ବିଧାନସୌଧ ପରିସରରେ ସ୍ବର୍ଗତ ମଲିକଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।