ଖଣ୍ଡଗିରି: ପ୍ରାୟ ୧୪ମାସ ତଳେ ନିଖୋଜ ହୋଇଯାଇଥିବା ଜଣେ ବରିଷ୍ଠ ନାଗରିକ ଆଜି ଘରକୁ ଫେରିଛନ୍ତି। ବହୁ ଖୋଜାଖୋଜି କରି ଘରଲୋକ ଆଶା ଛାଡ଼ି ଦେଇଥିଲେ। ତେବେ ଆଜି ନିଜର ଜେଜେବାପାଙ୍କୁ ଫେରିପାଇ ନାତିନାତୁଣୀ ଭାବବିହ୍ବଳ ହୋଇପଡ଼ିଛନ୍ତି। ଅନୁରୂପ ଭାବେ ଜେଜେ ନିଜର ପରିବାର ଲୋକଙ୍କୁ ପାଖରେ ପାଇ କୋହ ସମ୍ବରଣ କରିପାରିନଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଁଳା ସହାୟ କେନ୍ଦ୍ରରେ।
ଗତବର୍ଷ ମାର୍ଚ୍ଚମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭରତ ଜେନା(୭୮) ନିଜର ଆଧାରକାର୍ଡ ସଂଶୋଧନ କରିବା ଲାଗି ଭୁବନେଶ୍ବର ଆସିଥିଲେ। ଡୁମୁଡୁମା ଫେଜ୍‌-୨ସ୍ଥିତ ନିଜ ନାତିନାତୁଣୀଙ୍କ ପାଖରେ ରହୁଥିଲେ। ତେବେ ୨୦୨୪ ଏପ୍ରିଲ ପହିଲା ଦିନ ସନ୍ଧ୍ୟା ସମୟରେ ସେ ବାହାରକୁ ଚଲାବୁଲା କରିବାକୁ ଆସିଥିଲେ। କିଛି ସମୟ ବୁଲିବା ପରେ ସେ ବାଟ ହୁଡ଼ି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ନାତିନାତୁଣୀ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ଏନେଇ ଏପ୍ରିଲ ୨ ତାରିଖରେ ସେମାନେ ଖଣ୍ଡଗିରି ଥାନାରେ ଏକ ନିଖୋଜ ଅଭିଯୋଗ କରିବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରିଥିଲେ। ଅପରପକ୍ଷରେ ଭରତଙ୍କୁ ଏକୁଟିଆ ବୁଲୁଥିବା ଦେଖି କିଛି ସମାଜସେବୀ ତାଙ୍କର ଠିକଣା ପଚାରିଥିଲେ। ମାତ୍ର ଠିକ୍‌ ଭାବରେ କଥା କହିପାରୁନଥିବା ଭରତ କୌଣସି ଉତ୍ତର ଦେଇପାରିନଥିଲେ। ସ୍ବେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରି ଯାଁଳାସ୍ଥିତ ସହାୟ ଜରାଶ୍ରମକୁ ନେଇଥିଲେ। ସେଠାରେ ସେ ପ୍ରାୟ ୧୪ ମାସ ରହିଥିଲେ। ଅନୁଷ୍ଠାନର କର୍ମଚାରୀଙ୍କ ସେବାଯତ୍ନରେ କ୍ରମେ ସୁସ୍ଥ ହୋଇ ଭରତ ନିଜର ସ୍ମରଣ ଶକ୍ତି ଫେରିପାଇଥିଲେ। ଠିକଣା ଜଣାପଡ଼ିବା ପରେ ସହାୟର ସମ୍ପ‌ାଦକ କୈଳାସ ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ଭରତଙ୍କ ଘରଲୋକଙ୍କୁ ଗତକାଲି ଖବର ଦିଆଯାଇଥିଲା। ନାତୁଣୀ ସ୍ମିତାରାଣୀ ଜେନା ଓ ନାତି ମନୋଜ କୁମାର ଜେନା ଜରାଶ୍ରମରେ ପହଞ୍ଚି ନିଜର ପ୍ରିୟ ମଣିଷଙ୍କୁ ପାଖରେ ପାଇ ଭାବବିହ୍ବଳ ହୋଇପଡ଼ିଥିଲେ। ଅନୁଷ୍ଠାନର ଅନ୍ତେବାସୀମାନଙ୍କ ଆଖିରେ ଆନନ୍ଦାଶ୍ରୁ ଦେଖିବାକୁ ମିଳିଥିଲା।