ଫ୍ଲାଟ୍‌ରୁ ସେକ୍ସ ରାକେଟ୍ ଧରାପଡ଼ିବା ଘଟଣା : ଦଲାଲ୍‌ର ପତ୍ତା ମିଳୁନି

ମାଲିକାଣୀଙ୍କୁ ପୁଲିସର ଜେରା, ପୁଣି ହେବ ନୋଟିସ୍

ଭୁବନେଶ୍ବର : ବଡ଼ଗଡ଼ କେନାଲ ରୋଡରେ ସାଇଶ୍ରୀ ଆପାର୍ଟମେଣ୍ଟରୁ ଧରା ପଡ଼ିଥିବା ହାଇପ୍ରୋଫାଇଲ ସେକ୍ସ ରାକେଟର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଜଣେ ଦଲାଲ୍ ଗ୍ରାହକଙ୍କୁ ଦେହଜୀବୀ ଯୋଗାଉଥିବା ପୁଲିସ ଜାଣିବାକୁ ପାଇଛି। ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ସମେତ ରାଜ୍ୟ ବାହାରୁ ଦେହଜୀବୀ ଆସୁଥିଲେ। ସେମାନେ ନିକଟରେ ଭଡ଼ାରେ ରହୁଥିଲେ। ଗ୍ରାହକ ଆସିବା ପରେ ଭଡ଼ା ଘରେ ଦେହଜୀବୀଙ୍କୁ ପସନ୍ଦ କରୁଥିଲେ। ଏହାପରେ ଆପାର୍ଟମେଣ୍ଟ ଫ୍ଲାଟକୁ ଆସୁଥିଲେ। ସେଠାରେ ସବୁ କିଛି ଚାଲୁଥିଲା। ଗତ କିଛିମାସ ମଧ୍ୟରେ ଏମିତି ଶହ ଶହ ଗ୍ରାହକ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ଦେହଜୀବୀଙ୍କୁ ଯୋଗାଡ଼ କରିବା ପାଇଁ ଦଲାଲ୍ ରହୁଥିଲା। ଏହି ଦଲାଲ୍ କଟକରୋଡ୍ ଅଞ୍ଚଳର ବୋଲି ଜଣାପଡ଼ିଛି।

ଦୀର୍ଘଦିନ ଧରି ଦେହ ବ୍ୟବସାୟ ଓ ଅନ୍ୟ କାରବାରରେ ଲିପ୍ତ ରହିଥିବା ଏହି ଦଲାଲ୍ ଫେରାର ହୋଇଯାଇଥିବା ବେଳେ ପୁଲିସ ଏଯାଏ ତାର ପତ୍ତା ପାଇନାହିଁ। ପୁଲିସ ଜବତ କରିଥିବା ମୋବାଇଲ ଫୋନକୁ ଆଧାର କରି ତଦନ୍ତ ଜାରି ରଖିଛି। ଏହି ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି? ଦେହଜୀବୀ ଯୋଗାଉଥିବା ଦଲାଲ୍ ଏବେ କେଉଁଠି? ଏମାନଙ୍କର ଆଉ କେଉଁଠି ଦେହ ବ୍ୟବସାୟ ଚାଲିଛି କି? ଏ ନେଇ ଖୋଳତାଡ଼ ଚଳାଇଛି ପୁଲିସ। ଅନ୍ୟପକ୍ଷରେ ଆପାର୍ଟମେଣ୍ଟ ମାଲିକାଣୀ ପୁରୀର ସୁଜାତା ମହାପାତ୍ରଙ୍କୁ ପୁଲିସ ଜେରା କରିଛି। ଆପାର୍ଟମେଣ୍ଟରେ ଅନୈତିକ କାର୍ଯ୍ୟ ଚାଲୁଥିବା ସମ୍ପର୍କରେ ସେ ଅବଗତ ଥିଲେ କି? ଶହ ଶହ ଯୁବକଯୁବତୀଙ୍କ ଯିବା ଆସିବା ସମ୍ପର୍କରେ ଅଭିଯୋଗ ପାଇଥିଲେ କି? ଯଦି ପାଇଥିଲେ କାହିଁକି କିଛି ପଦକ୍ଷେପ ନେଇ ନ ଥିଲେ? ଏଭଳି ପ୍ରଶ୍ନ ପଚାରିଥିଲା ପୁଲିସ। କିନ୍ତୁ ସୁଜାତାଙ୍କ ଠାରୁ କିଛି ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିବା ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ପୁଣି ଥରେ ଜେରା କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ସେକ୍ସ ରାକେଟ୍ ଚାଲୁଥିବା ଖବର ମିଳିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ସାଇଶ୍ରୀ ଏନକ୍ଲେଭରେ ଚଢ଼ଉ କରିଥିଲା। ରାଣୀ ମହୁମାଛି ଇତିଶ୍ରୀ, ଦୁଇ ଗ୍ରାହକଙ୍କୁ ଗିରଫ କରିବା ସହ ମୋବାଇଲ୍ ଫୋନ୍, ଟଙ୍କା, ବିଦେଶୀ ମଦ, ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର