କମିସନରେଟ୍‌ ପୁଲିସର ପ୍ରତିଷ୍ଠା ଦିବସ : କମିସନରେଟ୍‌ କୋଠା ଏବେ ‘ପୁଲିସ ସେବା ଭବନ’

‘ଫେସିଆଲ ରେକଗ୍‌ନାଇଜେସନ ସିଷ୍ଟମ୍‌’ ଖୁବ୍‌ ଶୀଘ୍ର, ଖୋଲିବ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର : ସପ୍ତମ ବାଟାଲିୟନ ପରିସରରେ ଆଜି କମିସନରେଟ୍‌ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପୁଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରି କହିଲେ, ଗତ ୧୧ ବର୍ଷ ଧରି ଅନେକ ଘାତ ପ୍ରତିଘାତ ମଧ୍ୟରେ କମିସନରେଟ୍‌ ପୁଲିସ ଆଇନଶୃଙ୍ଖଳା ଓ ଅପରାଧ ଦମନ କ୍ଷେତ୍ରରେ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ତେବେ ତତ୍‌କାଳ ଓ ସମନ୍ବିତ ପ୍ରତିକ୍ରିୟା(ରୢାପିଡ୍‌ ଆଣ୍ଡ କୋଅର୍ଡିନେଟ୍‌ ରେସ୍‌ପନ୍‌ସ୍‌) ଆମ ପାଇଁ ମୁଖ୍ୟ ଆହ୍ୱାନ ପାଲଟିଛି। ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ଆମେ ଏହା ଉପରେ ଯଥା ସମ୍ଭବ କାମ କରିବା ଆରମ୍ଭ କରିଛୁ। ମୋ’ ସରକାର’ ଯୋଜନାରେ ଭଲ ଫିଡ୍‌ବ୍ୟାକ୍‌ ମିଳୁଛି। ଜନସାଧାରଣଙ୍କର ଆସ୍ଥା ଯେଭଳି ବଜାୟ ରହିବ, ତଦନୁଯାୟୀ କମିସନରେଟ୍‌ ପୁଲିସ କାମ କରୁ ବୋଲି ସେ ପରାମର୍ଶ ଦେଇଥିଲେ।

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ଅନେକ ଆହ୍ବାନ ଓ ସମ୍ବଳର ଅଭାବ ସତ୍ତ୍ବେ ସେବା ପାଇଁ ପୁଲିସ ପ୍ରସ୍ତୁତ ରହିଛି। କାର୍ଯ୍ୟଧାରା ସହ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ହେଉଛି। କମିସନରେଟ୍‌ କୋଠାକୁ ‘ପୁଲିସ ସେବା ଭବନ’ରେ ନାମିତ କରାଯାଇଛି। କମିସନରେଟ୍‌ ପୁଲିସ ସ୍ଲୋଗାନ୍‌ ‘ଆମ ପୁଲିସ, ଆମ ସୁରକ୍ଷା’କୁ ପରିବର୍ତ୍ତିତ ହୋଇଛି। ଅନେକ ଯୋଜନା ମଧ୍ୟ ନୂଆ ହେବାକୁ ଯାଉଛି। ମହିଳାଙ୍କ ସୁରକ୍ଷା ପାଇଁ ନୂଆ କରି ‘ଏସ୍‌ପିଓ’ ନିଯୁକ୍ତି ପାଉଛନ୍ତି। ୨୪ଘଣ୍ଟିଆ ସିସିଟିଭି ପହରା ସହ ଅପରାଧୀ ଓ ଆଇନ ଉଲ୍ଲଂଘନକାରୀଙ୍କୁ ତତ୍‌କ୍ଷଣାତ୍‌ ଚିହ୍ନଟ କରିବା ପାଇଁ ‘ଫେସିଆଲ୍‌ ରେକଗ୍‌ନାଇଜେସନ୍‌ ସିଷ୍ଟମ୍‌’ ‌ହେବାକୁ ଯାଉଛି। କଟକ ଓ ଭୁବନେଶ୍ବରରେ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲିବାକୁ ଯାଉଛି। ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତାକୁ ଆଧାର କରି କମିସନରେଟ୍‌ ପୁଲିସ ଆଗକୁ ଦ୍ବୈତନଗର ବାସିନ୍ଦାଙ୍କୁ ସେବା ଯୋଗାଇବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ନିଷ୍ଠା ଓ ଦକ୍ଷତା ବଳରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ୧୩ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏସିପି (ଟେରିଟୋରିଆଲ) ପ୍ରାଣକୃଷ୍ଣ ରାଉତ, ଅଶୋକ ପାଣିଗ୍ରାହୀ ଓ ହେମନ୍ତ ଦାଶ (ଆର୍ମଡ୍‌), ଆଇଆଇସି ସୁରେନ୍ଦ୍ର ବଳ ଓ ରବିନାରାୟଣ ଭଞ୍ଜ, ଏସ୍‌ଆଇ ଷ୍ଟାଲିନ ବିଶ୍ବାଳ ଓ ଅବିନାଶ ରାଉତ, ଆର୍ମଡ୍‌ ଅଫିସର ସନ୍ତୋଷ ସାହୁ, ମିନିଷ୍ଟ୍ରିଆଲ ଅଫିସର ଗୁରୁଚରଣ ସାହୁ(ହେଡ୍‌ କ୍ଲର୍କ), ଟ୍ରାଫିକ୍‌ ହାବିଲଦାର ଭରତ ଦାସ ଓ ସନ୍ଧ୍ୟାରାଣୀ ସ୍ବାଇଁ, ଏପିଆର ହାବିଲଦାର ନାରାୟଣ ସାମନ୍ତରାୟ ଓ ସଜ୍ଜନ ଦିବ୍ୟଦର୍ଶନ ଜେନା, ଡ୍ରାଇଭର ଜ୍ଞାନରଞ୍ଜନ ସ୍ବାଇଁ, ଆର୍ମଡ୍‌ ହାବିଲଦାର ଅଶୋକ ସାମନ୍ତରାୟ, ଓଆର ହାବିଲଦାର ଦୁର୍ଯ୍ୟୋଧନ ଗୌଡ଼, ହୋମ୍‌ଗାର୍ଡ ଲକ୍ଷ୍ମୀଧର ବାରିକ ଓ ଅନୀଲ ନାଥ, ସ୍ପେସାଲ ‌ପୁଲିସ ଅଫିସର ଏସ୍‌ଆଇ ତ୍ରିନାଥ ରାଉତରାୟ ଓ ଇନ୍‌ସ୍‌ପେକ୍ଟର ରାମଚନ୍ଦ୍ର ନାୟକ ଏହି ତାଲିକାରେ ରହିଥିଲେ। ପରେଡ୍‌ କମାଣ୍ଡର ଭବାନୀ ପ୍ରସାଦ ଜେନା ମାର୍ଚ୍ଚପାଷ୍ଟ ପରିଚାଳନା କରିଥିବା ବେଳେ ସଞ୍ଜୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର