ଯୁବବର୍ଗ ପରିବର୍ତ୍ତନର ସୂତ୍ରଧର: ରାଜ୍ୟପାଳ

ସିୱାଇଏସ୍‌ଡି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ସବୁ ସମୟରେ ଯୁବବର୍ଗ ପରିବର୍ତ୍ତନର ସୂତ୍ରଧର ହୋଇଥାଆନ୍ତି। ଅଦମ୍ୟ ଇଚ୍ଛାଶକ୍ତି ବଳରେ ଯୁବବର୍ଗ ଅସାଧ୍ୟକୁ ସାଧନ କରିପାରନ୍ତି। ଭାରତ ଇତିହାସରେ ଏଭଳି ଲକ୍ଷ ଲକ୍ଷ ଉଦାହରଣ ରହିଛି। ଚିନ୍ତାଶୀଳ ଯୁବକ କୌଣସି ଜାତି, ଧର୍ମ, ବର୍ଣ୍ଣ, ଭେଦଭାବ, ଷଡ଼ଯନ୍ତ୍ର‌୍, ଦୁର୍ନୀତି ଓ ବୁଝାମଣାର ଅଂଶ ହୁଏ ନାହିଁ। ସହଯୋଗ ଓ ସହଭାଗିତାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରେ। ଭାଇଚାରା ପ୍ରତିଷ୍ଠା କରେ। ତେଣୁ ସହଭାଗିତା ବଳରେ ଯୁବବର୍ଗ ପରିବର୍ତ୍ତନର ସୂତ୍ରଧର ହୁଅନ୍ତୁ ବୋଲି ଆଜି ସିୱାଇଏସ୍‌ଡିର ୪୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍‌ ଗୋପବନ୍ଧୁ ଫୋଲୋସିପ୍‌ପ୍ରାପ୍ତ ୬ ଜଣ ସେଚ୍ଛାସେବୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଏବଂ ‘ଷ୍ଟୋରି ଅଫ୍ ଚେଞ୍ଜ୍‌’ ନାମକ ଏକ ପୁସ୍ତକ ଉନ୍ମୋଚନ କରିବା ସହ ‘ବନଶ୍ରୀ’ ନାମକ ଏକ ମୋବାଇଲ ଆପ୍‌ର ଉଦ୍‌ଘାଟନ କରିଥିଲେ। ଏହି ଆପ୍‌ ଜରିଆରେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକଙ୍କ ପାଖରେ ଲଘୁ ଜଙ୍ଗଲଜାତ ଦ୍ରବ୍ୟର କିଣାବିକାର ସମ୍ପର୍ଣ୍ଣ ସୂଚନା ସିଧାସଳଖ ପହଞ୍ଚିପାରିବ। ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ ଅନୁଷ୍ଠାନର ଦୀର୍ଘ ୪୧ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏସ୍‌ଏଚ୍‌ଜିରୁ କାମ ଆରମ୍ଭ କରିଥିବା ସିୱାଇଏସ୍‌ଡି ମହାବାତ୍ୟା ସମୟରେ କାମ କରି ସମଗ୍ର ଦେଶରେ ଏକ ଅଭିଯାନ ପାଲଟି ଯାଇଥିଲା। ପରେ ସଂସ୍ଥାର କାର୍ଯ୍ୟଶୈଳୀ ସରକାରୀ ଯୋଜନାରେ ସାମିଲ୍‌ ହୋଇଗଲା। ଏହା ସଂସ୍ଥା ଓ ଏହାସହ ଯୋଡ଼ି ହେଇଥିବା ସାମାଜିକ ଅନୁଷ୍ଠାନମାନଙ୍କ ପାଇଁ ଗର୍ବର ବିଷୟ। ବର୍ତମାନ ସିୱାଇଏସ୍‌ଡି ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ସହ ‘କମ୍ୟୁନିଟି ଏନ୍‌ଗେଜ୍‌ମେଣ୍ଟ’ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି।

ଅନ୍ୟ ଏକ କାର୍ଯ୍ୟକ୍ରମ ‘ଜନଭାଗୀଦାରୀ ଇନ୍ ବିଲ୍ଡିଂ ରିସର୍ଜେଣ୍ଟ ଇଣ୍ଡିଆ’ ରେ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଦକ୍ଷତା ବିକାଶ କମିସନ ସଦସ୍ୟ ଡ. ଆର୍‌. ବାଲାସୁବ୍ରମଣ୍ୟମ୍ କହିଥିଲେ ଯେ ପୂର୍ବରୁ ସରକାରୀ ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ଲେକଙ୍କ ଭାଗିଦାରୀ ନ ଥିଲା। ହେଲେ ୧୯୯୧ ମସିହାରୁ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ପରେ ଲୋକଙ୍କ ଭାଗିଦାରୀର ଆବଶ୍ୟକତା ବଢ଼ିଛି। ସରକାରଙ୍କ ସହ ସ୍ୱେଚ୍ଛାସେବୀ, ବିଭିନ୍ନ କର୍ପୋରେଟ୍‌, ଯୁବଗୋଷ୍ଠୀ ମିଶି ମାନବ ସମ୍ବଳର ବିକାଶ ନିମନ୍ତେ କାର୍ଯ୍ୟକରିବା ଜରୁରୀ ହୋଇପଡ଼ିଛି। ଏହାଦ୍ବାରା ଦେଶର ସ୍ୱପ୍ନ ପୂରଣ ହୋଇପାରିବ। ସ୍ବେଚ୍ଛାସେବୀ ସଂଗଠନମାନଙ୍କ ପରସ୍ପର ମଧ୍ୟରେ ସହଭାଗିତା, ଜନସାଧାରଣଙ୍କ ମଧ୍ୟରେ ସହଭାଗିତା ପରିବର୍ତ୍ତନର ଏକ ଜନଆନ୍ଦୋଳକୁ ଜନ୍ମ ଦେବ। ଏହା ଆଗାମୀ ଦିନରେ ଜିଲ୍ଲା ଓ ପଞ୍ଚାୟତସ୍ତରକୁ ବ୍ୟାପିବ। ଭାରତ ସରକାର ଏଭଳି ସହଭାଗିତା ପାଇଁ ଆହ୍ୱାନ କରୁଛନ୍ତି ବୋଲି ସେ କହିଥିଲେ। ଏହି ସମାରୋହରେ ସିୱାଇଏସ୍‌ଡିର କର୍ମକର୍ତା, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର