ଭୁବନେଶ୍ବର: ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି)ର ୨୮ତମ ପ୍ରତିଷ୍ଠା ଦିବସ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମୁଖ୍ୟ କହିଥିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଏଚ୍‌ପିସି ‌୪୦୦ କୋଟିର ଲାଭ କରିଛି ଏବଂ ଏହା ଓଡ଼ିଶା ପାଇଁ ଏକ ଅପୂର୍ବ ସଫଳତା ଓ ଗର୍ବର ବିଷୟ। କୌଣସି ଅନୁଷ୍ଠାନ କେବଳ ବର୍ତ୍ତମାନର ସମ୍ବଳକୁ ଧରି କାମ କଲେ ଆଗକୁ ବଢ଼ିବନି, ଭବିଷ୍ୟତ ପାଇଁ ମଧ୍ୟ ନୀଳ ନକ୍ସା ପ୍ରସ୍ତୁତ କରିବାକୁ ହେବ। ଓଏଚ୍‌ପିସି ଏଦିଗରେ କାମ କରୁଛି ଏବଂ ଅଧିକ ପରିମାଣର ଅଣପାରମ୍ପରିକ ଶକ୍ତି ଉତ୍ପାଦନ କରିବାକୁ ଚେଷ୍ଟା କରାଯାଉଛି ବୋଲି ଶ୍ରୀ ଶର୍ମା କହିଥିଲେ।

Advertisment

କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଓଏଚ୍‌ପିସି ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ କହିଥିଲେ ‌ଯେ ବିଭିନ୍ନ ସ୍ଥାନରେ ଏହି ସଂସ୍ଥା ଏକ ବଡ଼ ମାନବସମ୍ବଳ ସହ କାମ କରୁଛି। ଅନ୍ୟତମ ଅତିଥି ଓପିଟିସିଏଲ୍‌ର ସିଏମ୍‌ଡି ସଞ୍ଜୟ କୁମାର ମିଶ୍ର କହିଲେ ଯେ ୨୦୩୦ ସୁଦ୍ଧା ଅପହଞ୍ଚ ଅଞ୍ଚଳରେ ଜଳ ବିଦ୍ୟୁତ୍ ଉତ୍ପାଦନ ଅନେକ ଉନ୍ନତୀକରଣ କାର୍ଯ୍ୟ କରିପାରିବ। ଓଏଚ୍‌ପିସିର ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର କହିଲେ ଯେ ୪ ଶହ କୋଟିର ଲାଭ ଗୋଟିଏ ପାହାଚ ମାତ୍ର। ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଆହୁରି ସହାୟତା ପ୍ରଦାନ କରିବାରେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମର ସହଯୋଗ ରହିବ। ବିଦ୍ୟୁତ୍‌ ଉତ୍ପାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହୀରାକୁଦ ଜଳ ବିଦ୍ୟୁତ୍‌ ପ୍ରକଳ୍ପ, ବୁର୍ଲାକୁ ୧ ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଚିପିଲିମା ବିଦ୍ୟୁତ୍‌ ପ୍ରକଳ୍ପକୁ ୧ ଲକ୍ଷ ଓ ୩ୟ ସ୍ଥାନ ଅଧିକାର କରିଥିବା ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପକୁ ୭୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଓଏଚ୍‌ପିସିର ମାନବ ସମ୍ବଳ ନିର୍ଦ୍ଦେଶକ ପ୍ର ବୋଧ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଓଏଚ୍‌ପିସିର ନିର୍ଦ୍ଦେଶକ (ଅପରେସନ) ଆଶିଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।