ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ

ପୂର୍ବାଞ୍ଚଳ ଉପକରଣ କେନ୍ଦ୍ର ପ୍ରତିଷ୍ଠା କରୁ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ

ଭୁବନେଶ୍ବର : ପୂର୍ବରୁ ପଦାର୍ଥ ବିଜ୍ଞାନୀ ନିଜ ପରୀକ୍ଷାଗାରରେ ଗବେଷଣା କରୁଥିବା କିଛି ନୂତନ ଜ୍ଞାନକୌଶଳ ପାଇଁ ଲୋକମାନେ ସେମାନଙ୍କ ନିକଟରେ ପହଞ୍ଚୁଥିଲେ। ‌ଏବେ ସମୟ ବଦଳିଛି, ପଦାର୍ଥ ବିଜ୍ଞାନୀମାନଙ୍କୁ ସମାଜ ଓ ଲୋକମାନଙ୍କ ପାଇଁ କାମ କରିବା ପାଇଁ ଆଗେଇ ଆସିବା ଦରକାର। ତେଣୁ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବଢ଼ୁଥିବା ମୁଖଗହ୍ବର କର୍କଟର ଚିକିତ୍ସା ପାଇଁ ମେଡିକାଲ ସାଇକ୍ଲୋଟ୍ରୋନ୍ ପ୍ରତିଷ୍ଠା ଦିଗରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପ୍ରସ୍ତାବ ଦେଉ। ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍‌ଏଫ୍‌ରେ ଯଥେଷ୍ଟ ଅର୍ଥ ରହିଛି। ଏହାର ପ୍ରତିଷ୍ଠା ଦିଗରେ କୌଣସି ଅର୍ଥ ବାଧକ ହେବ ନାହିଁ ବୋଲି କହିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପ୍ରଫେସର ଅଶୋକ କୁମାର ଦାସ।

ଆଜି ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ୪୫ତମ ପ୍ରତିଷ୍ଠା ଦିବସ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ରହିଥିଲା ‘ପଦାର୍ଥ ବିଜ୍ଞାନ ଓ ସମାଜ; ଏକ ନୂତନ ସମୀକରଣ ଉପରେ ଦୃଷ୍ଟିପାତ’। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଶ୍ରୀ ଦାସ କହିଲେ, ଅଧିକାଂଶ କଲେଜରେ ପରୀକ୍ଷା ଉପକରଣକୁ ଠିକ୍ ଭାବେ ଉପଯୋଗ କରାଯାଉ ନାହିଁ। ଅନେକ ମଧ୍ୟ ଖରାପ ଅବସ୍ଥାରେ ପଡ଼ି ରହିଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ଉପକରଣ ବ୍ୟବହାର କରୁନାହାନ୍ତି। ପ୍ରତିଷ୍ଠାନ ଅନ୍ୟଠାରୁ ନିଜକୁ ଅଲଗା ନ ରଖି ବିଶ୍ବବିଦ୍ୟାଳୟ ସ୍ତରରେ ପଦାର୍ଥ ବିଜ୍ଞାନର ସଂପ୍ରସାରଣ କରିବା ଦିଗରେ ଆଗେଇ ଆସିବା ଦରକାର। ଓଡ଼ିଶାରେ ଗବେଷଣା ସେତେଟା ଉତ୍ସାହଜନକ ନୁହେଁ। ବିଶ୍ବବିଦ୍ୟାଳୟଗୁଡ଼ିକରେ ‌ଶିକ୍ଷକମାନେ ଗବେଷଣା ସଂପର୍କରେ ଅବଗତ ନ ଥିବା ବେଳେ ଅନେକ ସ୍ଥାନରେ ଉପକରଣ ମଧ୍ୟ ନାହିଁ। ବମ୍ବେ ବିଶ୍ବବିଦ୍ୟାଳୟରେ ଏକ ପଶ୍ଚିମାଞ୍ଚଳ ଉପକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରରେ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ସେମାନେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଯେଉଁ ଉପକରଣ ଖରାପ ହୋଇଯାଇଛି, ସେସବୁକୁ ସଜାଡ଼ିବାରେ ସାହଯ୍ୟ କରୁଛନ୍ତି। ତେଣୁ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଏହିଭଳି ଏକ ପୂର୍ବାଞ୍ଚଳ ଉପକରଣ କେନ୍ଦ୍ର ପ୍ରତିଷ୍ଠା ଦିଗରେ ଆଗେଇ ଆସୁ। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓଡ଼ିଶାର ଗର୍ବ। ଏହାକୁ ଅନ୍ୟ କୌଣସି ପ୍ରତିଷ୍ଠାନ ସହ ମିଶ୍ରଣ କରା ନଯାଉ ବୋଲି ପ୍ରଫେସର ଦାସ କହିଥିଲେ।

ପ୍ରତିଷ୍ଠା ଦିବସ ପାଳନ କମିଟିର ଅଧ୍ୟକ୍ଷ ପ୍ରଫେସର ବି.ଆର ଶେଖର କହିଲେ, ବର୍ଷେ ହେବ ପ୍ରତିଷ୍ଠାନକୁ ପାଣ୍ଠି ଯୋଗାଣରେ ହ୍ରାସ ଘଟିଛି। ଏହା ସତ୍ତ୍ବେ ପ୍ରତିଷ୍ଠାନ ପକ୍ଷରୁ ପ୍ରତିବର୍ଷ ୯୦/୧୦୦ ସନ୍ଦର୍ଭ ପ୍ରକାଶ ପାଉଛି। ଚଳିତବର୍ଷ ମଧ୍ୟ ଏହି ସଂଖ୍ୟା ପୂର୍ବବର୍ଷ ଭଳି ରହିଛି। ଯାହାକି ଦେଶର ଅନ୍ୟ ପ୍ରତିଷ୍ଠାନ ତୁଳନାରେ ଯଥେଷ୍ଟ ଅଧିକ ବୋଲି ପ୍ରଫେସର ଶେଖର କହିଥିଲେ। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ସୁଧାକର ପଣ୍ଡା ସ୍ବାଗତ ଭାଷଣରେ ବିଗତ କିଛି ବର୍ଷ ଭିତରେ ପ୍ରତିଷ୍ଠାନରେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। କିଛି ଦିନ ପୂର୍ବରୁ ନାଇଜର ସହ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ମିଶ୍ରଣ ସଂପର୍କରେ ଚର୍ଚା ହୋଇଥିଲା। ମାତ୍ର ଏହି ନିଷ୍ପତ୍ତିରେ ଅସ୍ଥାୟୀମାନେ ବିରାମ ଲାଗିଥିବା ପ୍ରଫେସର ପଣ୍ଡା କହିଥିଲେ। ପ୍ରତିଷ୍ଠାନର କୁଳସଚିବ ଆର.କେ ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆବାହକ ଡା.ବାସୁଦେବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର