ଭୁବନେଶ୍ୱର : ମହିଳା ଓ ଯୁବତୀମାନେ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ଆବଶ୍ୟକ। ନାରୀ ସଶକ୍ତୀକରଣ ଓ ଅଧିକାର ପାଇଁ ସେ ଯେମିତି ଲଢ଼େଇ କରି ସମାଜକୁ ଏକ ଦିଗ୍ଦର୍ଶନ ଦେଇଛନ୍ତି, ଆଜିର ନାରୀମାନେ ମଧ୍ୟ ନିଜ ଅଧିକାର ପାଇଁ ସାହସିକତାର ସହ ଲଢ଼ିବା ଆବଶ୍ୟକ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍ମାଦି ଆଜି ଏପରି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୁଳପତି ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପଦ୍ମଶ୍ରୀ ହେଜ୍ମାଦି ଯୋଗଦେ ଆହୁରି କହିଲେ, ଦିନକୁ ଦିନ ସମାଜରେ ଯୁବତୀ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ପୂର୍ବର ସ୍ଥିତି ଓ ବର୍ତ୍ତମାନର ସ୍ଥିତି ମଧ୍ୟରେ ଏକ ବିରାଟ ପ୍ରଭେଦ ଦେଖାଦେଇଛି। ପୂର୍ବରୁ ଆମେ ଯେମିତି ସୁରକ୍ଷିତ ମନେ କରୁଥିଲୁ, ଏବେ ତାହା ପରିବର୍ତ୍ତନ ହୋଇଯାଇଛି। ରାତି ହେଉ କି ଦିନ, ମହିଳାଟିଏ ରାସ୍ତାରେ ଯିବାକୁ ଭୟ କରୁଛି। ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ନାରୀ ସମାଜ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସେହିପରି ଉତ୍ସବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର କୁଳପତି ସଚ୍ଚିଦାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ରମାଦେବୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ହରିହର ପଣ୍ଡା ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ‘ଶକୁନ୍ତଳା ପଣ୍ଡା ସ୍ମାରକୀ’କୁ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା। ସେହିପରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉତ୍ସବରେ କୁଳସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ରୀ ମଙ୍ଗଳ ଅଧିକାରୀ ସରିତା ସୁପ୍କାର କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ। ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଉନ୍ମୋଚିତ ହେଲା ଦିବ୍ୟାଙ୍ଗଙ୍କ ହଷ୍ଟେଲ୍ ‘ଅସୀମା’
ପ୍ରତିଷ୍ଠା ଦିବସ ଅବସରରେ ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଇଁ ଛାତ୍ରୀନିବାସ ‘ଅସୀମା’ର ଉଦ୍ଘାଟନ କରାଯାଇଥିଲା। ୫୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଆସନ୍ତା ଏକ ମାସ ମଧ୍ୟରେ ଛାତ୍ରୀନିବାସଟି ଦିବ୍ୟାଙ୍ଗ ଛାତ୍ରୀମାନଙ୍କ ପାଇଁ ବ୍ୟବହାର ଉପଯୋଗୀ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି।