ନାଟକ ଭଲ ହେଲେ ଲୋକେ ଟିକେଟ୍‌ କିଣି ଦେଖିବେ

ଶତାବ୍ଦୀର କଳାକାର’ର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଓଡ଼ିଶାରେ ବହୁ ଭଲ ଭଲ ନାଟକ ପ୍ରସ୍ତୁତ ହେଉଛି। ଆଗରୁ ଲୋକମାନେ ଟିକେଟ ‌କିଣି ନାଟକ ଦେଖୁଥିଲେ। ଏବେ ବି ଜାତୀୟସ୍ତରରେ ଟିକେଟ କିଣି ନାଟକ ଦେଖିବା ଭଳି ବହୁ ରୋଚକ ନାଟକ ଓଡ଼ିଆରେ ପ୍ରସ୍ତୁତ ହେଉଛି। ଅବଶ୍ୟ ଏହାର ସଂଖ୍ୟା କମ୍‌। ଏହି ସଂଖ୍ୟାକୁ ବଢ଼ାଇ ଅଧିକରୁ ଅଧିକ ଭଲ ନାଟକ ଆମେ ପରିବେଷଣ କରିପାରିଲେ, ଦିନ ଆସିବ, ଚଳଚ୍ଚିତ୍ର ଭଳି ଦର୍ଶକମାନେ ନାଟକ ମଧ୍ୟ ଟିକେଟ୍‌ କିଣି ଦେଖିବେ। ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ର ୪୭ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ‘ଜାତୀୟସ୍ତରରେ ଓଡ଼ିଆ ନାଟକର ସ୍ଥିତି’ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ଏପରି ମତ ରଖିଥିଲେ।

ବିଜୁ ନାଟ୍ୟକେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ତଥା ଅନୁଷ୍ଠାନର ସମ୍ପାଦକ ଧୀର ମଲ୍ଲିକ ସଭାପତିତ୍ବ କରିଥିଲେ। ଆଲୋଚନାଚକ୍ରରେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଲାଲା ବୀରେନ୍‌ ରାୟ, ଉପେନ୍ଦ୍ର ନାୟକ, ଦେବାନନ୍ଦ ନାୟକ, ଗୌରାଙ୍ଗ ରାଉତ, ଦର୍ପନାରାୟଣ ସେଠୀ, ମନିଦୀପା ମଲ୍ଲିକ, ଫକୀର ସିଂହ ଓ ଦେବଦତ୍ତ ପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନ‌ରେ ପ୍ରତିଷ୍ଠା ଦିବସ ଉଦ୍‌ଘାଟନୀ ଦିବସ ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ରଥ ଓ ଅଭିନେତା ନବୀନ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସୌମେନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର