ସୋଆର ୧୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସୋଆର କୁଳାଧିପତି ପ୍ରଫେସର ଡି. ପି ରାୟ ଅଧ୍ୟକ୍ଷତା କରିଥିଲେ। ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଫେସର ରାୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନିକଟରେ ପ୍ରକାଶିତ ଏନଆଇଆରଏଫ ରାଙ୍କିଙ୍ଗରେ ସୋଆର ସଫଳତା ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ ଅନ୍ୟାନ୍ୟ କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ବର୍ଷରେ ଏହି ରାଙ୍କିଙ୍ଗରେ ସୋଆ କିଭଳି ଆହୁରି ଉଚ୍ଚକୁ ଯିବ, ସେ ନେଇ ସେ ଆଶା ପ୍ରକାଶ କରିଥିଲେ।

ସେହିପରି ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଆହୁରି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମତ ରଖିଥିଲେ। ଏହି ବୈଠକରେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଓ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସମେତ ସୋଆର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ୨୦୦୭ ଜୁଲାଇ ୧୭ରେ ୟୁଜିସି ଆକ୍ଟ, ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତମାନ ଏହା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୫ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୯୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ସୋଆକୁ ନିଜର ଭବିଷ୍ୟତ ନିର୍ଦ୍ଧାରଣକାରୀ ଶିକ୍ଷାନୁଷ୍ଠାନ ଭାବେ ଚୟନ କରିଛନ୍ତି।

ସମ୍ବନ୍ଧିତ ଖବର