ଭୁବନେଶ୍ବର: ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ତଥା ଓଡ଼ିଶା ଦିବସ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ପ୍ରତ୍ୟେକ ଓଡ଼ିଆ ନିଜର ମାଟି ଓ ଭାଷାକୁ ନେଇ ଗର୍ବ କରିବା ଉଚିତ। ବିଶ୍ବରେ ଓଡ଼ିଆ ଭାଷାର ସମୃଦ୍ଧ ଲିପି ରହିଛି। ତେବେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଭାଷାକୁ ନେଇ ଯେଉଁ ଭଳି କାର୍ଯ୍ୟ ହେବା କଥା ତାହା ହୋଇନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ଆଲୋଚକ ଭାବେ ‘ଆମ ଓଡ଼ିଶା’ର ସାଧାରଣ ସମ୍ପାଦକ ଅରବିନ୍ଦ ଦାସ ଯୋଗଦେଇ କହିଲେ, ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ହେବାର ଗୌରବ ପାଇଛି ଓଡ଼ିଶା। ଏଥିପାଇଁ ଆମେ ଗୌରବର ସହ କହୁଛୁ ‘ଆମେ ଓଡ଼ିଆ’। ହେଲେ ଓଡ଼ିଶା ବାହାରେ ରହିଯାଇଥିବା ଓଡ଼ିଆଙ୍କ କଥା ଆମେ ଚିନ୍ତା କରୁନାହୁଁ। ଓଡ଼ିଆ ରୋଜଗାରର ଭାଷା ହୋଇପାରୁନାହିଁ। ଏ ସମ୍ପର୍କରେ ଓଡ଼ିଆ ବୁଦ୍ଧିଜୀବୀ ନିରବ ରହିବା ଏ ଜାତି ପାଇଁ ଶୁଭଙ୍କର ନୁହେଁ। ସ୍ବାଭିମାନ ବିନା ଓଡ଼ିଆ ଅସ୍ମିତାର କୌଣସି ମାନେ ନାହିଁ। ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଆଇଆଇଏସ୍ ବଦ୍ରିନାରାୟଣ ଅଧିକାରୀ କହିଲେ, ଭାରତରେ ମାତୃଭାଷାରେ ପାଠପଢ଼ାଯିବା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ।
ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଦେବପ୍ରସାଦ ଦାଶ କହିଲେ, ଓଡ଼ିଆ ଅନୁବାଦ ଏକାଡେମୀ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ସହ ଓଡ଼ିଶାରେ ଅପଭ୍ରଂଶ ହୋଇଥିବା ବିଭିନ୍ନ ନାମକ ସଂଶୋଧନ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାଶାସନିକ ଅଧିକାରୀ ଡ. କ୍ଷେତ୍ରବାସୀ ମାନ୍ସେଟ୍ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ ଓ ଓଡ଼ିଆ ଶୁଦ୍ଧଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।