ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସ ଆଜି

ଖୋଲିବ ୪ ସ୍ନାତକୋତ୍ତର ବିଭାଗ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଖୋଲିବ ୪ ପିଜି ବିଭାଗ। ବର୍ତମାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ଓଡ଼ିଆ ଭାଷା ଓ ସାହିତ୍ୟ’ ବିଭାଗ ସମେତ ‘ଆଦିବାସୀ ସାହିତ୍ୟ ଓ ସଂସ୍କୃତି’, ‘ଗଣ ଯୋଗାଯୋଗ’ ଏବଂ ‘ମ୍ୟୁଜିଓଲୋଜି ଓ ମ୍ୟୁଜିୟମ୍‌ ମ୍ୟାନେଜ୍‌ମେଣ୍ଟ’ ବିଭାଗ ଖୋଲିବାକୁ ଯୋଜନା କରାଯାଇଛି। ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ବିଭାଗଗୁଡ଼ିକରେ ନାମଲେଖା ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଲକାନ୍ତ ମିଶ୍ର କହିଛନ୍ତି। ଏଥିସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ଏହି ଚେୟାର ଦ୍ୱାରା ଛାତ୍ରଛାତ୍ରୀ ଭଞ୍ଜଙ୍କ ଉପରେ ଅଧିକ ଗବେଷଣା କରିପାରିବେ।

ତେବେ ବିଶ୍ୱବିଦ୍ୟାଳୟ ପ୍ର୍ରତିଷ୍ଠାକୁ ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ତ ଅଧ୍ୟାପକ ପଦବି ପୂରଣ ହୋଇପାରି ନାହିଁ। ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହେଉ ନ ଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ୧୨(ବି)ରେ ବି ବିଶ୍ୱବିଦ୍ୟାଳୟ ସାମିଲ ହୋଇପାରି ନାହିଁ। ତାହାକୁ ଦୃଷ୍ଟିରେ ରଖି ୨୦୧୭ରେ ସଂସ୍କୃତି ବିଭାଗ ପକ୍ଷରୁ ୧୬ଟି ଚିଟିଂ ପଦବି ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ୧୦ ଜଣ ସ୍ଥାୟୀ ଅଧ୍ୟାପକ ରହିଥିବା ବେଳେ ୩ଟି ପଦବିରେ ନିଯୁକ୍ତି ବିଚାରାଧୀନ ରହିଛି। ଫେବ୍ରୁଆରି ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମୋଟ ଅଧ୍ୟାପକଙ୍କ ସଂଖ୍ୟା ୨୯ରେ ପହଞ୍ଚିବ। ଏଥିସହ ନନ୍‌ ଟିଚିଂ ପଦବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଆବଶ୍ୟକ ଅଧ୍ୟାପକ, କର୍ମଚାରୀ ନ ଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁଜିସି ୧୨(ବି)ରେ ସାମିଲ ଲାଗି ଆବେଦନ କରାଯାଇପାରୁନି। ୟୁଜିସି ୧୨(ବି)ରେ ସାମିଲ ହୋଇ ନ ଥିବାରୁ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛି। ଭିତ୍ତିଭୂମି ବିକାଶ ଲାଗି ୟୁଜିସିରୁ ଅର୍ଥ ଆସିପାରୁନି।

ଅନ୍ୟପକ୍ଷରେ କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ ବୃଦ୍ଧି ଦିଗରେ ପଦକ୍ଷେପ ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ। ବ୍ୟାପକ ବୃକ୍ଷରୋପଣ ସହ କ୍ୟାମ୍ପସର ଲ୍ୟାଣ୍ଡ ସ୍କେପିଂ କରିବା ଲାଗି ଓଏଫ୍‌ଡିସିର ସହାୟତା ନିଆଯାଇଛି। ସୁରକ୍ଷା ବଢ଼ାଇବା ଲାଗି କ୍ୟାମ୍ପସର ପ୍ରବେଶ ପଥ, ଶ୍ରେଣୀଗୃହ, ପାଠାଗାର, ହଷ୍ଟେଲ ପରି ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି। କ୍ୟାମ୍ପସ ଚାରିପାଖରେ ଯେଉଁଠି ପାଚେରି ନାହିଁ ସେଠାରେ ପାଚେରି ନିର୍ମାଣ କରିବା ଦିଗରେ ମଧ୍ୟ ଆଲୋଚନା ସରିଛି। କ୍ୟାମ୍ପସରେ ସୌରଶକ୍ତି ଲାଗିବ। ବିଜୁଳି ବଞ୍ଚାଇବା ଲାଗି ଏଭଳି ଏକ ପଦକ୍ଷେପ ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ। ମୁଖ୍ୟ କୋଠାରେ ବହୁତ ବଡ଼ ଛାତ ରହିଥିବାରୁ ସେଠାରେ ସୌରଶକ୍ତି ଲଗାଇବାକୁ ଯୋଜନା ହୋଇଛି।

ପ୍ରତିଷ୍ଠା ଦିବସରେ ଶୀର୍ଷକ ବକ୍ତତା ପ୍ରଦାନ କରିବେ ଡ.ଭଗବାନ ପ୍ରକାଶ

୧୯ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି। ପୂର୍ବାହ୍ନରେ ରବୀନ୍ଦ୍ର ମଣ୍ଡପଠାରେ ଭାରତୀୟ ନିର୍ବାଚନ ଆୟୋଗର ବରିଷ୍ଠ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ‘ସଂସ୍କୃତି, ସାହିତ୍ୟ ଓ ସଂସ୍କାର’ ଶୀର୍ଷକ ବକ୍ତତା ପ୍ରଦାନ କରିବେ। ଅପରାହ୍ଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଏସ୍‌.ସି. ଜମିର ମୁଖ୍ୟଅତିଥି ଭାବେ ଯୋଗଦେବେ। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗ ଭାରପ୍ରାପ୍ତ ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ବଶିଷ୍ଟ ଅତିଥି ଭାବେ ଉତ୍ସବରେ ଉପସ୍ଥିତ ରହିବେ। ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ସୁମନ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର