ପ୍ରତିଷ୍ଠା ଦିବସ ବକ୍ତତା : ସାମାଜିକ ସଂସ୍କୃତିର ଆବଶ୍ୟକତା ରହିଛି

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ପୂର୍ବାହ୍ନରେ ଭାରତୀୟ ନିର୍ବାଚନ ଆୟୋଗର ବରିଷ୍ଠ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ‘ସଂସ୍କୃତି, ସାହିତ୍ୟ ଓ ସଂସ୍କାର’ ଉପରେ ପ୍ରଥମ ପ୍ରତିଷ୍ଠା ଦିବସ ବକ୍ତତା ପ୍ରଦାନ କରିଥିଲେ। ସେ କହିଲେ, ସଂସ୍କୃତି ବିଶ୍ୱବିଦ୍ୟାଳୟ ଗତ ୧୮ ବର୍ଷ ହେଲା ଅନେକ ବାଧା ବିଘ୍ନ ଦେଇ ଗତି କରିଛି। ୧୯ ବର୍ଷରେ ଯୁବାବସ୍ଥାରେ ପାଦ ଦେଇଛି। ଏହି ବିଶ୍ୱବିଦ୍ୟାଳୟ ୧୯୯୯ରେ ପ୍ରତିଷ୍ଠା ହେବା ବର୍ଷ ସମାଜ ଲାଗି ଗୁରୁତ୍ୱପୂର୍ଣ୍ଣ ଥିଲା। ବିଶ୍ୱର ସବୁ ଦେଶ ଏକାଠି ହୋଇ ମିଲେନିୟମ୍‌ ଡେଭଲ୍‌ପମେଣ୍ଟ ଗୋଲ୍‌(ଏମ୍‌ଡିଜି) ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।

ବିଶ୍ୱ ଲାଗି ଏମ୍‌ଡିଜି ଉପରେ ଆଲୋଚନା ଯେପରି ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଶାର ସଂସ୍କୃତିର ପ୍ରଚାର ପ୍ରସାର ଲାଗି ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିିଦ୍ୟାଳୟ ସେତିକି ଗୁରୁତ୍ୱ ବହନ କରିଥିଲା। ବର୍ତମାନ ସମୟରେ ସାମାଜିକ ସଂସ୍କୃତିର ଆବଶ୍ୟକତା ରହିଛି। ସକାରାତ୍ମକ ଚିନ୍ତାଧାରା ଥିବ ବ୍ୟକ୍ତିବିଶେଷ ଏକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପରେ ବିଜେପୁର ନିର୍ବାଚନ ନେଇ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଡ. ପ୍ରକାଶ କହିଥିଲେ ଯେ ନିରପେକ୍ଷ ନିର୍ବାଚନ ଲାଗି ନିର୍ବାଚନ କମିସନ ପ୍ରତିଶ୍ରୁତିବଦ୍ଧ। ବିଜେପୁର ଦ୍ୱନ୍ଦ୍ୱ ନେଇ ଆଇନ ବିଷାରଦଙ୍କ ମତ ଲୋଡ଼ାଯାଇଛି।

କାର୍ଯକ୍ରମରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଲକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବକ୍ତତା କାର୍ଯ୍ୟକ୍ରମରେ କୁଳସଚିବ ସୁମନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର