ଭୁବନେଶ୍ବର: ୨୦୦୩ ଜୁଲାଇ ୧୫ରେ ଏମ୍‌ସ ଭୁବନେଶ୍ବରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ବିତୀୟ ପାଳିର କାର୍ଯ୍ୟକାଳରେ ଏହାର ନିର୍ମାଣ କରାଯାଇଥିଲା। ୨୦୧୪ ମସିହା ଫେବ୍ରୁଆରି ୨୬ରେ ତତ୍‌କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ୍‌ ଏହାର ଉଦ୍‌ଘାଟନ କରିଥିଲେ। ଏମ୍‌ସ ଦିଲ୍ଲୀ ପରେ ଏମ୍‌ସ ଭୁବନେଶ୍ବରକୁ ଦ୍ବିତୀୟ ସର୍ବାଧିକ ଅର୍ଥାତ ପ୍ରତିଦିନ ୪୫୦୦ରୁ ଅଧିକ ରୋଗୀ ଆସୁଥିବା ନେଇ ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରରେ ଦ୍ବିତୀୟ ଏମ୍‌ସ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସାଧାରଣ ନିର୍ବାଚନରେ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟଦିଗରେ ବାଲେଶ୍ବରରେ ଏମ୍‌ସର ସାଟେଲାଇଟ୍‌ ସେଣ୍ଟର ମଧ୍ୟ ରହିଛି।

Advertisment

ଗବେଷଣା ପାଇଁ ଅତିରିକ୍ତ ୨୩ କୋଟି:
ଗବେଷଣା ଏମ୍‌ସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ୨୦୨୩ରୁ ୨୫ ମସିହା ପାଇଁ ଗବେଷଣା ଲାଗି ଏହି ଅନୁଷ୍ଠାନକୁ ଅତିରିକ୍ତ ୨୩ କୋଟି ମିଳିବା ଏହାର ବଡ଼ ସଫଳତା ବୋଲି କୁହାଯାଇଛି। ସ୍ବାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପାଇଁ ଆଇଆଇଟି ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ସହିତ ଚୁକ୍ତିନାମା ସ୍ବାକ୍ଷରିତ କରିଛି। ଏଠାରେ ବୃକକ୍‌ ପ୍ରତିରୋପଣ କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଯକୃତ ପ୍ରତିରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବିଗତ ବର୍ଷ ଏହି ଅନୁଷ୍ଠାନ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶବ ଠିକ ଭାବରେ ସଂରକ୍ଷିତ କରି ରଖି ପ୍ରଶଂସିତ ହୋଇଛି। ଏଥିସହିତ ସ୍ବାସ୍ଥ୍ୟ ସେବାରେ ଡ୍ରୋନ୍‌ର ବ୍ୟବହାର ନେଇ ସଫଳ ପରୀକ୍ଷଣ, ଟ୍ରାଭେଲ ହେଲ୍ଥ କ୍ଲିନିକ, ୫୧ ବର୍ଷୀୟଙ୍କ ବିରଳ ସଫଳ ଟ୍ୟୁମର ଅସ୍ତ୍ରୋପଚାର, ଲୋ ଭିଜନ କ୍ଲିନିକ, ୧.୧ କେଜି ଓଜନର ନବଜାତଙ୍କ ସଫଳ ଚିକିତ୍ସା, ନୂତନ ଟ୍ରମା କେନ୍ଦ୍ର, ଧର୍ମଶାଳା ଆଦି ଏମ୍‌ସର ଗତବର୍ଷର ସଫଳତା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଏ।

ଭିତ୍ତିଭୂମି ସମ୍ପ୍ରସାରଣ ବଡ଼ ଚ୍ୟାଲେଞ୍ଜ:
ଏମ୍‌ସରେ ଉନ୍ନତମାନର ଚିକିତ୍ସା ସେବା ରହିଛି। କିନ୍ତୁ ଏଠାରେ ଯେତେ ସଂଖ୍ୟାରେ ରୋଗୀ ଅଛନ୍ତି ସେହି ଅନୁଯାୟୀ ସ୍ବାସ୍ଥ୍ୟ ସୁବିଧା ନାହିଁ। ତେଣୁ ଓପିଡି ଠାରୁ ଆରମ୍ଭ କରି ଡାକ୍ତରଙ୍କୁ ଚିକିତ୍ସା, ଔଷଧ, ପରୀକ୍ଷା, ଅସ୍ତ୍ରୋପଚାର ପ୍ରତ୍ୟେକ ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ଜରୁରୀକାଳୀନ ଚିକିତ୍ସା ପାଇଁ ଆସି ମଧ୍ୟ ନିରାଶ ହେବାକୁ ପଡ଼ୁଛି। ଏହି ଦୃଷ୍ଟିରୁ ଟର୍ସିଆରି କେୟାର ସେଣ୍ଟରରେ ପରିଣତ ପାଇଁ ଏହି ଅନୁଷ୍ଠାନକୁ ସମ୍ପ୍ରସାରିତ କରିବା ସହିତ ସେହି ଅନୁଯାୟୀ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ଗୋଟିଏ ଦଳର ସରକାର ଥିବାରୁ ଏହି ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି। ସମ୍ବାଦ ସହିତ ସାକ୍ଷାତକାରରେ ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଥିଲେ, ଏହି ଡାକ୍ତରଖାନାକୁ ସେଣ୍ଟର ଅଫ ଏକ୍ସଲେନ୍ସରେ ପରିଣତ ପାଇଁ ଲକ୍ଷ୍ୟ ରଖାଯାଇଛି। ସଂକ୍ରମଣ ଜନିତ ରୋଗ ଚିକିତ୍ସା ବର୍ତ୍ତମାନ ଏମ‌୍‌ସର ଫୋକସରେ ରହିଛି। ଏଠାରେ ୫୦ରୁ ୧୦୦ ଶଯ୍ୟା ବିଶିଷ୍ଟ ଶବ ଗୃହ, ଡିଏନଏ ଟେଷ୍ଟିଂ ଲେବରେଟୋରି, ଭିସେରା ଆନାଲିସିସ୍‌ ଲ୍ୟାବ୍‌ ଆଦିର ଆବଶ୍ୟକତା ରହିଛି।

ବୁର୍ଲା, ବ୍ରହ୍ମପୁରରୁ ଆସୁଥିଲା ମରଶରୀର:
ଗୋଟିଏ ଟିଣ ଘରୁ ଏମ୍‌ସର କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଏମ୍‌ସରେ କାର୍ଯ୍ୟରତ ଶ୍ରମିକ ହିଁ ଏହି ଡାକ୍ତରଖାନାର ପ୍ରଥମ ରୋଗୀ ଥିଲେ। ଏଠାରେ ସର୍ବପ୍ରଥମେ ଆନୋଟୋମି, ଫିଜିଓଲୋଜି, ବାୟୋକେମେଷ୍ଟ୍ରି, କମ୍ୟୁନିଟି ମେଡିସିନ, ଟ୍ରମା ଏବଂ ଏମରଜେନ୍ସି ବିଭାଗରେ ଡାକ୍ତର ନିଯୁକ୍ତି ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୪ ବିଭାଗରେ ୨୦ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ। ଏମ୍‌ସ ପାଟନାର ନିର୍ଦ୍ଦେଶକ ଜିକେ ସିଂ ଏହାର ତତ୍ତ୍ବାବଧାରକ ଥିଲେ। ପ୍ରଥମ ନିର୍ଦ୍ଦେଶକ ଭାବେ ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର ୨୦୧୨ ଅଗଷ୍ଟ ୧୪ରେ ଯୋଗଦାନ କରିଥିଲେ। ୨୦୧୩ ମସିହାରେ ନିର୍ଦ୍ଦେଶକ ପାଥୋଲୋଜି, ମାଇକ୍ରୋବାଇଲୋଜି, ଫାର୍ମାକଲୋଜି, ଫରେନସିକ‌୍ ଏବଂ ପରେ ମେଡିସିନ, ସର୍ଜରି, ସ୍ତ୍ରୀ-ପ୍ରସୂତି, ଅସ୍ଥିଶଲ୍ୟ, ଆଖି, ଇଏନଟି ଆଦି ବିଭାଗରେ ନିଯୁକ୍ତି ଦେଇଥିଲେ। ୨୦୧୫ ମସିହାରେ ସୁପର ସ୍ପେସାଲିଟି ବିଭାଗ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋସର୍ଜରିରେ ଡାକ୍ତର ନିଯୁକ୍ତ ହେଲେ। ଅନ୍ୟଦିଗରେ ମେଡିକାଲ କଲେଜ କୋଠା ନିର୍ମାଣ ସରିନଥିଲେ ମଧ୍ୟ ୨୦୧୨ ମସିହାରେ ୫୦ ବିଦ୍ୟାର୍ଥୀଙ୍କ ନାମ ଲେଖାଯାଇଥିଲା। ୨୦୧୩ ମସିହାରେ ନର୍ସିଂ କଲେଜ ବିଦ୍ୟାର୍ଥୀ ନାମ ଲେଖାଇଲେ। ପ୍ରାକ୍ଟିକାଲ ପାଇଁ ପ୍ରଥମେ ଏସ୍‌ସିବି ପରେ ବୁର୍ଲା ଏବଂ ବ୍ରହ୍ମପୁରରୁ ଆମ୍ବୁଲାନ୍ସରୁ ମରଶରୀର ଏମ୍‌ସକୁ ଅଣାଯାଉଥିଲା।