ଭୁବନେଶ୍ୱର: ଗଙ୍ଗୁଆ ନାଳରେ ଉପରେ ନୂତନ ସେତୁ ନିର୍ମାଣ ହେବ। ଜଗନ୍ନାଥନଗର ୮ ନମ୍ବର ରାସ୍ତା ଓ କୋରଡ଼କଣ୍ଟା ମଧ୍ୟରେ ୩ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ ହେବ। ମାତ୍ର ଗୋଟିଏ ମାସ ଭିତରେ କାମ ସରିବ। ଆଜି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Advertisment

ଏହି ଅବସରରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ନାଏକ କହିଲେ, ଏହି ସେତୁ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ବହୁଗୁଣିତ କରିବ। ଏହା ଦ୍ୱାରା ୨ଟି ଗ୍ରାମ ପଞ୍ଚାୟତର ୬ଟି ଗ୍ରାମ ଏବଂ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନମ୍ବର ୩୨ ଓ ୩୩ରେ ବସବାସ କରୁଥିବା ଜନସାଧାରଣ ସିଧାସଳଖ ଭାବରେ ଲାଭାନ୍ୱିତ ହେବେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ୨୦୨୨ ମସିହାରେ ସ୍ଥାନୀୟ ଲୋକମାନେ ଏଠାରେ ସେତୁ ନିର୍ମାଣ ପାଇଁ ସାଂସଦଙ୍କ ଅଭିଯୋଗ ଶୁଣାଣିରେ ପ୍ରସ୍ତାବ ଦେଇଥିଲେ। ଆଜି ସରକାରଙ୍କ ଆନ୍ତରିକତା ପୂର୍ଣ୍ଣ ସହଯୋଗରେ ସେତୁ ନିର୍ମାଣ ହେବାକୁ ଯାଉଛି। ସେହିପରି ରାଜଧାନୀରେ ଡ୍ରେନ୍‌ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଡ଼ ଯୋଜନା ହେଉଥିବା ସାଂସଦ କହିଥିଲେ। ଏକାମ୍ର ବିଧାୟକ ବାବୁ ସିଂ କହିଲେ, ଏବେ ଜଗନ୍ନାଥନଗର ‌ସମେତ ଲକ୍ଷ୍ମୀସାଗର, ଝାରପଡ଼ା, ମହାଦେବ ନଗରର ଲୋକମାନେ ସିଧାସଳଖ ପୁରୀ ବାଇପାସ୍‌କୁ ବାହାରିପାରିବେ।

ଗୋଟିଏ ମାସରେ ସରିବ ନିର୍ମାଣ
ଖର୍ଚ୍ଚ ହେବ ୩.୧୮ କୋଟି ଟଙ୍କା

ଟ୍ରାଫିକ୍‌ ସମସ୍ୟା ମଧ୍ୟ କମିବ। ଅନ୍ୟପଟେ ଦୟାୱେଷ୍ଟ କେନାଲ ଓ ଗଙ୍ଗୁଆ ନାଳର ପୁନରୁଦ୍ଧାର ପାଇଁ ସାମୁହିକ ଉଦ୍ୟମ କରିବାକୁ ବିଧାୟକ ପ୍ରସ୍ତାବ ରଖିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ସତ୍ୟବ୍ରତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଶୋକ କୁମାର ବେହେରା ନିର୍ମାଣ ହେବାକୁ ଥିବା ଗଙ୍ଗୁଆ ସେତୁ ବିଷୟରେ ସବିଶେଷ ବିବରଣୀ ରଖିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ବେହୁରା ଧନ୍ୟବାଦ ଦେଇଥିଲେ। ଏହି ସେତୁର ଓସାର ପ୍ରାୟ ୨୪ ଫୁଟ ଓ ଲମ୍ବା ୧୦୦ ଫୁଟ ରହିଛି। ତେବେ ଜଗନ୍ନାଥନଗର ପଟରେ ସରକାରୀ ଜମି ମାତ୍ର ୧୦ ଫୁଟ ରହିଛି। ତେଣୁ ଏଠାରେ ଆପ୍ରୋଚ୍‌ ରୋଡ ପାଇଁ ଘରୋଇ ମାଲିକଙ୍କ ଜମି ଅଧିଗ୍ରହଣ କରାଯିବ। ସେହିପରି ପୁରୀ ବାଇପାସ୍‌ ପଟରେ ସରକାରୀ ଜମିଥିଲେ ହେଁ ଏହା ଜବର ଦଖଲରେ ରହିଛି। ତେଣୁ ଜବରଦଖଲ ମୁକ୍ତ କରାଯାଇ ରାସ୍ତା ନିର୍ମାଣ ହେବ। ଗଙ୍ଗୁଆ ଭିତରେ ପଙ୍କ ଥିବାରୁ ଏଠାରେ ଷ୍ଟିଲ୍‌ ଷ୍ଟ୍ରକଚର କରାଯିବ। ତେଣୁ ଗୋଟିଏ ମାସ ଭିତରେ କାମ ଶେଷହେବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ପଞ୍ଚାୟତ ସମିତିର ଅଧ୍ୟକ୍ଷା ନିରୁପମା ସାହୁ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଯୁବନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।