କେମ୍‌କନ୍‌-୨୦୨୧ ଉଦ୍‌ଯାପିତ: ଶିଳ୍ପ ଏବଂ ମଣିଷ ଅଙ୍ଗାଙ୍ଗୀ ଭାବେ ଜଡ଼ିତ

ଭୁବନେଶ୍ବର: ଓଡ଼ିଶା ପ୍ରାକୃତିକ ସମ୍ପଦ ଏବଂ ଖଣିଜ ପଦାର୍ଥରେ ଭରପୂର। ଯେଉଁଠି ଖଣିଜ ପଦାର୍ଥ ରହିଛି ସେଠାରେ ଶିଳ୍ପର ବିକାଶ ପାଇଁ ଚିନ୍ତା କରାଯାଉଛି। ସମାନ ଭାବେ ସ୍ଥାନୀୟ ଲୋକଙ୍କ ବିକାଶ ମଧ୍ୟ ଏକ ପ୍ରସଙ୍ଗ। କାରଣ ଶିଳ୍ପ ଏବଂ ମଣିଷ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେଣୁ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଜରୁରୀ। ଆଜି ସିଏସ୍‌ଆଇଆର୍-ଇନଷ୍ଟିଚ୍ୟୁଟ୍ ଅଫ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ୍‌ ଟେକ୍ନୋଲୋଜିଠାରେ ଅନୁଷ୍ଠିତ ‘କେମ୍‌କନ୍‌-୨୦୨୧’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗଦେଇ କହିଥିଲେ, ଓଡ଼ିଶା ସବୁଠାରୁ ଅଧିକ ଆଇରନ୍ ଓର୍ ଏବଂ ଇସ୍ପାତ ପ୍ରସ୍ତୁତକାରୀ ରାଜ୍ୟ। ଏହି କ୍ଷେତ୍ରରେ ରାସାୟନିକ ଶିଳ୍ପର ସହଯୋଗିତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ କେମିକାଲ୍‌ ଶିଳ୍ପ ଦ୍ରୁତ ଗତିରେ ଆଗେଇଛି। ଭବିଷ୍ୟତରେ ଓଡ଼ିଶା କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ଶିଳ୍ପର ବହୁତ ବଡ଼ ହବ୍‌ ହେବାକୁ ଯାଉଛି। ଧାମରାଠାରେ ଏଲ୍‌ଏନ୍‌ଜି ଟର୍ମିନାଲ୍‌ ଉଦ୍‌ଘାଟନ ଅପେକ୍ଷାରେ ଥିବା ବେଳେ ତାଳଚେର ଫଟିଲାଇଜର୍‌ କମ୍ପ୍ଲେକ୍ସ କୋଇଲାରୁ ଗ୍ୟାସ୍‌ ଏବଂ ଗ୍ୟାସ୍‌ରୁ ସାର ଭାରତ ବର୍ଷର ସବୁଠୁ ବଡ଼ କାରଖାନା ହେବାକୁ ଯାଉଛି। ଏହାର କାମ ଚାଲିଛି। ନିର୍ଦ୍ଧାରିତ ୩-୪ ବର୍ଷ ଭିତରେ କାମ ସରିବ। ଏହାଛଡ଼ା ପାରାଦ୍ବୀପଠାରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ପକ୍ଷରୁ ‘ଡୁଆଲ୍‌ ଫିଲ୍ଡ ନେପ୍ଥା କ୍ରାକର କମ୍ପ୍ଲେକ୍ସ’ ପାଇଁ ଆଲୋଚନା ଚାଲିଛି। ଏଥିପାଇଁ ଇଞ୍ଜିନିୟର୍ସ ଇଣ୍ଡିଆକୁ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଏହାଛଡ଼ା ୨୦୨୫ ସୁଦ୍ଧା ରାଜ୍ୟରେ କିଭଳି ଖଣିଜ ସମ୍ପଦ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପରେ ଜିରୋ ୱେଷ୍ଟେଜ୍‌ ମ୍ୟନେଜ୍‌ମେଣ୍ଟ କରାଯିବ, ସେଥିପାଇଁ ପୁନଃବିନିଯୋଗ ପ୍ରକ୍ରିୟାକରଣ ପାଇଁ ପଦକ୍ଷେପ ନିଆଯିବ। ଏହାଛଡ଼ା କାର୍ବନକୁ ଗଚ୍ଛିତ କରି ଏଥିରୁ କେମିତି ମିଥେନ, ଇଥେନ୍‌ ପ୍ରସ୍ତୁତ କରାଯିବ। ସେହିପରି ପାଣିରୁ ନୀଳ ଉଦ୍‌ଜାନ, ପ୍ରକୃତିକ ଗ୍ୟାସ୍‌ରୁ ବ୍ଲୁ ଉଦ୍‌ଜାନ ଏବଂ କୋଇଲାରୁ ବ୍ରାଉନ୍‌ ଓ ଗ୍ରେ ଉଦ୍‌ଜାନ ପ୍ରସ୍ତୁତ ହେବ। ଏହାଉପରେ କେମ୍‌କନ୍‌ର ୫ଦିନିଆ କର୍ମଶାଳାରେ ବିଶେଷ ଭାବେ ଆଲୋଚନା କରାଯାଇଛି। ଏସବୁ ଉପରେ ପ୍ରସ୍ତୁତ ରିପୋର୍ଟକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ୱ ବାସୁ କହିଛନ୍ତି। ଅର୍ଗାନାଇଜିଂ ସେକ୍ରେଟାରି ଡ. ସି ଈଶ୍ୱରିଆ ଭଲ ପ୍ରେଜେଣ୍ଟେସନ ଏବଂ ପୋଷ୍ଟର ପାଇଁ ପୁରସ୍କାର ପ୍ରଦାନ କରି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟେକ୍‌ ମହିନ୍ଦ୍ରାର ଏମ୍‌ଡି ସିପି ଗୁରନାନି, ଆଇଆଇସିଏଚ୍‌ଇର ସଭାପତି ଏମ୍‌କେ ଝା, ଡିପି ମିଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର