ଜୀବ ବିଜ୍ଞାନ ସଂସ୍ଥାନର ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଦେଶର ଅଗ୍ରଣୀ ବାୟୋ-ଟେକ୍ନୋଲୋଜି ଲାବୋରେଟୋରି ମଧ୍ୟରୁ ଆଇଏଲ୍‌ଏସ୍‌ (ଜୀବ ବିଜ୍ଞାନ ସଂସ୍ଥାନ) ଅନ୍ୟତମ। କୋଭିଡ୍‌-୧୯ ଗବେଷଣା ସମୟରେ ଏହି ଅନୁଷ୍ଠାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗକୁ ମଧ୍ୟ ସମାଜର ବିକାଶ ଲାଗି ଆଇଏଲ୍ଏସ୍ ଉନ୍ନତ ଗବେଷଣା ଜାରି ରଖିବ ବୋଲି ସଂସ୍ଥାନର ୩୩ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ବାୟୋ-ଟେକ୍ନୋଲୋଜି ସଚିବ ରାଜେଶ ଗୋଖଲେ ଆଶାବ୍ୟକ୍ତ କରିଛନ୍ତି।

ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ଯୋଗଦେଇ କହିଲେ ଗବେଷଣା ଲାଗି ସଂସ୍ଥାନରେ ବୈଷୟିକ ଜ୍ଞାନ କୌଶଳଯୁକ୍ତ ପରୀକ୍ଷାଗାର ପ୍ରତିଷ୍ଠା ହୋଇଛି। ବହୁ ଦିନ ହେଲା ବୃକ୍ଷ ଓ ପରିବେଶ ଉପରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ସମୁଦ୍ର ତଟବର୍ତୀ ଅଞ୍ଚଳରେ ଥିବା ହେନ୍ତାଳ ବଣ ଏବଂ କର୍କଟ ରୋଗ ଉପରେ ଏଠାକାର ବୈଜ୍ଞାନିକ ଗବେଷଣା କରୁଛନ୍ତି। କର୍କଟ ଭଳି ‌ରୋଗକୁ କିଭଳି ରୋକାଯାଇପାରିବ ଏବଂ ଔଷଧ ତିଆରି ହେବ ସେନେଇ କାର୍ଯ୍ୟ କରାଯାଉଛି। କରୋନା ଭଳି ମହାମାରୀ ଆସିଲେ ବି ରାଜ୍ୟ ଓ ଦେଶ ପାଇଁ ଆଇଏଲ୍‌ଏସ୍‌ ସର୍ବଦା କାର୍ଯ୍ୟ ଜାରି ରଖିବ। ଏସିଆନ୍‌ ପବ୍ଲିକ ହେଲଥ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ଏ.ପି ଦାସ ଯୋଗଦେଇ କୋଭିଡ୍‌-୧୯ ସମୟରେ ଆଇଏଲ୍‌ଏସ୍‌ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସଞ୍ଜୟ ନାୟକ ଯୋଗଦେଇ କହିଲେ, ୨୫ଜଣ ଅଧ୍ୟାପକ, ୧୦୦ ଗବେଷକଙ୍କ ମାଧ୍ୟମରେ ଆଇଏଲ୍‌ଏସ୍‌ ଗବେଷଣାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଗବେଷଣା କ୍ଷେତ୍ରରେ ଆଇଏଲ୍‌ଏସ୍‌ ଓ ରେଭେନ୍ସା ମିଳିତ ଭାବେ କାର୍ଯ୍ୟ କରିବେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଉଭୟ ଅନୁଷ୍ଠାନର ଅଧ୍ୟାପକ, ଛାତ୍ରଛାତ୍ରୀ ମିଳିତ ଭାବେ କରୁଥିବା ବିଭିନ୍ନ ଗବେଷଣାତ୍ମକ ପ୍ରକଳ୍ପ ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର