ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବିଶ୍ବନାଥ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବରିଷ୍ଠ ନାଗରିକ ଓ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।
ସରକାର ୧୧ ପ୍ରତିଶତ ମହାଙ୍ଗା ଭତ୍ତା ପ୍ରଦାନ କରିଥିବାରୁ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ ବିଭିନ୍ନ ଜନସେବା କାର୍ଯ୍ୟ କରିବା ସହ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଅବସରପ୍ରାପ୍ତ କର୍ମରୀମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛି।
ଏହି ଉତ୍ସବରେ ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ ଭୁବନେଶ୍ଵରର ସମସ୍ତ ଜୋନ୍ ଅଫିସ୍ର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ତାକ୍ଷରୀ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚକାନୟନ ଭଜନ ସନ୍ଧ୍ୟା ମଣ୍ଡଳୀ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ଉତ୍ସବକୁ ଚକ୍ରଧର ସାହୁ, ଜ୍ଞାନରଞ୍ଜନ ମହାନ୍ତି, ରମେଶ ମିଶ୍ର, ପ୍ରହଲ୍ଲାଦ ଜେନା, ଅଶୋକ ଜେନା ପ୍ରମୁଖ ପରିଚାଳନା କରିଥିଲେ। ଧୀରେନ ମଲ୍ଲିକ ଧନ୍ୟବାଦ ଦେଇଥିଲେ।