ଜବରଦଖଲରେ ୪ ଏକର ସରକାରୀ ଜମି

ନିଜେ ରହୁଛନ୍ତି, ଭଡ଼ା ଲଗାଇଛନ୍ତି, ଶାସ୍ତ୍ରୀନଗରରେ ଅସନ୍ତୋ‌ଷ

ଭୁବନେଶ୍ବର : ସରକାରୀ ଜମିକୁ ଜବରଦଖଲ କରି ରହୁଛନ୍ତି। କିଛି ଜମିରେ ନିଜେ ରହିବାକୁ ଘର କରିଛନ୍ତି ଓ ଅବଶିଷ୍ଟ ଜମିରେ ଘର କରି ଦୋକାନ ଓ ରହିବା ପାଇଁ ଭଡ଼ାରେ ଲଗାଇଛନ୍ତି। ଜବରଦଖଲ ସେତିକିରେ କେବଳ ଖୋଲା ପଡ଼ିଥିବା ସରକାରୀ ଜମିରେ ସୀମିତ ହୋଇ ରହିନାହିଁ, ଡ୍ରେନ୍‌ ଓ ରାସ୍ତା କଡ଼କୁ ବି ମାଡ଼ି ବସିଛନ୍ତି। ଡ୍ରେନ୍‌ ଉପରେ କ୍ୟାବିନ୍‌ ପକାଇ ଭଡ଼ା ଲଗାଇଛନ୍ତି। ଜବରଦଖଲକାରୀମା‌ନେ ବର୍ଷ ବର୍ଷ ଧରି ପୂରା ପ‌ୈତୃକ ସମ୍ପତ୍ତି ଭଳି ସରକାରୀ ଜମିକୁ ବ୍ୟବହାର କରୁଛନ୍ତି। ନିଜେ ମାଗଣାରେ(ସରକାରୀ ଜମି ହେତୁ ହୋଲ୍‌ଡିଂ ଟିକସ ନାହିଁ) ରହିବା ସହ ମାସକୁ ହଜାର ହଜାର ଟଙ୍କା ଭଡ଼ା ବାବଦରୁ କମାଉଛନ୍ତି। ଏହା ହେଉଛି ରାଜଧାନୀର କେନ୍ଦ୍ର ଶାସ୍ତ୍ରୀନଗରରେ ଥିବା ୪ ଏକରରୁ ଅଧିକ ସରକାରୀ ଜମିର ଅବସ୍ଥା। ସ୍ଥାନୀୟ ସ୍ଥାୟୀ ବାସିନ୍ଦାମାନେ ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜବରଦଖଲ ଉଚ୍ଛେଦ ପାଇଁ ଲୋକଦେଖାଣିଆ ପଦକ୍ଷେପ ଗ୍ରହଣ କରି ବିଡିଏ ବିଏମ୍‌ସି ଚୁପ୍‌ ବସୁଥିବା ଅଭିଯୋଗ ହୋଇଆସୁଛି।

ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ଶାସ୍ତ୍ରୀନଗର ପ୍ରତିଷ୍ଠା ହେବା କାଳରୁ ଏହି ୪ ଏକର ଜମି ଖୋଲା ଛଡ଼ାଯାଇଥିଲା। ଶାସ୍ତ୍ରୀନଗର ଲେନ୍-୩ରେ ଏହି ସରକାରୀ ଜମି ଥିଲା। ପାର୍କ, ପାଠାଗାର ଓ ଖେଳପଡ଼ିଆ ପାଇଁ ଏହି ଜମି ଖୋଲା ଛଡ଼ାଯାଇଥିଲା। ମାତ୍ର ସରକାରୀ କଳର ଉଦାସୀନତାର ସୁଯୋଗ ନେଇ ଧୀରେଧୀରେ ବସ୍ତି ଗଢ଼ିଉଠିଲା। ପ୍ରଥମେ ଜରିପାଲ ଟାଣି ଝମ୍ପୁଡ଼ି କରି ମୁଣ୍ଡ ଗୁଞ୍ଜିଲେ। କିଛି ବର୍ଷ ପରେ ଇଟା କାନ୍ଥ ଠିଆ ହେଲା ଓ ଛାତ ପଡ଼ିଲା। ଧୀରେଧୀରେ କିଛି ପୂରା ୪ ଏକରକୁ ମାଡ଼ି ବସିଲେ। ମାତ୍ର ୨୦ ବର୍ଷ ଭିତରେ ପୂରା ଜମି ସେମାନଙ୍କ ଜବରଦଖଲକୁ ଚାଲିଗଲା। ସେମାନେ ନିଜ ରହିବା ପାଇଁ ସ୍ଥାୟୀ ଘର କଲେ ଓ କିଛି କିଛି ଘର କରି ଭଡ଼ା ଲଗାଇଲେ। ଏବେ ସେଠିକାର ଦୋକାନ ବା ଘରସବୁକୁ ଦେଖିଲେ କେହି ବି ସେସବୁକୁ ସରକାରୀ ଜମିରେ ଜବରଦଖଲ ଘର ବା ଦୋକାନ ବୋଲି ବିଶ୍ବାସ କରିବ ନାହିଁ।

ସେଠାରେ ରହିବା ଘର ଭଡ଼ା ମାସିକ ୫ ହଜାରୁ ୭ ହଜାର ଟଙ୍କା। ସେହିଭଳି ଦୋକାନ ଘର ଭଡ଼ା ଆକାର ଅନୁସାରେ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କା। ବଡ଼ କଥା ହେଉଛି ଏଭଳି ଘର ଭଡ଼ାରେ ନେଇ କିଛି ବ୍ୟବସାୟୀ ଗହଣା ଦୋକାନଠାରୁ ଆରମ୍ଭ କରି ଉପହାର ଦୋକାନ, ତେଜରାତି ଦୋକାନ, ହୋଟେଲ, ବହି ଦୋକାନ ଓ ପାର୍ଲର ବି କରିଛନ୍ତି। ଉକ୍ତ ବଜାରକୁ ଦେଖିଲେ ଏହା କୌଣସି ସରକାରୀ ମାର୍କେଟ୍‌ଠାରୁ କମ୍ ଜଣାପଡ଼ୁନାହିଁ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ସରକାରୀ ଜମି ହୋଇଥିବାରୁ ଜବରଦଖଲକାରୀମାନଙ୍କୁ କିଛି ଟିକସ ଦେବାକୁ ପଡ଼ୁନାହିଁ। ହୋଲ୍‌ଡିଂ ଟିକସ ନାହିଁ। ଅଥଚ ସେମାନେ ଭଡ଼ା ବାବଦରେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ସରକାରୀ ଜମି ଦଖଲ କରିବା ପରେ ଏହି ଲୋକମାନେ ଡ୍ରେନ୍‌ ଓ ଲେନ୍‌ ରାସ୍ତାକୁ ବି ଛାଡ଼ିନାହାନ୍ତି। ଡ୍ରେନ୍‌ ଉପରେ କ୍ୟାବିନ୍‌ ପକାଇ ନିଜେ ଦୋକାନ କରିଛନ୍ତି ଓ କିଛି କ୍ୟାବିନ୍ ଭଡ଼ାରେ ଲଗାଇଛନ୍ତି। ରାସ୍ତାକଡ଼କୁ ଅନୁରୂପଭାବେ ବ୍ୟବହାର କରିଛନ୍ତି। ଫଳରେ ଯାନବାହାନ ନେଇ ଚଳାଚଳ କରିବା ମୁସ୍କିଲ ହୋଇପଡ଼ୁଛି। ଏବେ ଏହି ଜବରଦଖଲକାରୀମାନଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ସ୍ଥାନୀୟ ବାସିନ୍ଦା ରାସ୍ତା କଡ଼ରେ ଗାଡ଼ି ରଖିଲେ, ସେମାନେ ଭଙ୍ଗାରୁଜା କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ଅନେକ ଥର ବିଏମ୍‌ସି ବିଡିଏ ପକ୍ଷରୁ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମାତ୍ର ହଠାତ୍ କୌଣସି ଚାପର ବଶବର୍ତ୍ତୀ ହୋଇ ଉଚ୍ଛେଦ ଟିମ୍‌ ଫେରିଯାଉଛି। ଏନେଇ ୩୯ନମ୍ବର ଓ୍ବାର୍ଡ ଅଫିସର କୃଷ୍ଣଚନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସରକାରୀ ଜମିରେ କେହି ଜବରଦଖଲ କରି ରହୁଥିଲେ, ସେମାନଙ୍କଠାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ନିୟମ ନାହିଁ। କିନ୍ତୁ ସମୟ ଆସିଲେ, ସେମାନଙ୍କୁ ଉଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର