ନ୍ୟାୟ ପାଇଁ ସାଢ଼େ ଚାରି ବର୍ଷର ଲଢ଼େଇ: ଦିବ୍ୟାଙ୍ଗ ସବ୍ୟସାଚୀଙ୍କ ଯନ୍ତ୍ରଣାର ଅନ୍ତ କେବେ?

ଓଡ଼ିଆ ବୋଲି ମୁମ୍ବାଇ ସେଣ୍ଟ୍ରାଲ ରେଳ ଜୋନ୍‌ରେ ମିଳୁଛି ନିର୍ଯାତନା, ଟିପଚିହ୍ନ ମିଶୁନି କହି ଚାକିରି ଦେଉନାହାନ୍ତି ରେଳବାଇ କର୍ତ୍ତୃପକ୍ଷ

ସୁରଜ କୁମାର ମଲ୍ଲିକ
ଭୁବନେଶ୍ବର: ୨୦୧୬ ମେ’ ମାସରେ ମୁମ୍ବାଇ ସେଣ୍ଟ୍ରାଲ୍ ଜୋନ୍ ରେଳବାଇର ଗ୍ରୁପ୍ ଡି’ର ପରୀକ୍ଷା ଫଳ ବାହାରିଥାଏ। ପରୀକ୍ଷା ଦେଇଥିବା କେନ୍ଦ୍ରାପଡ଼ାର ଦିବ୍ୟାଙ୍ଗ ସବ୍ୟସାଚୀ ମହାପାତ୍ର ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଇଣ୍ଟରନେଟ୍‌ରୁ ଜାଣି ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଥିବାରୁ ସବ୍ୟସାଚୀଙ୍କୁ ରେଳବାଇର ସେଣ୍ଟ୍ରାଲ୍ ଜୋନ୍ ମୁମ୍ବାଇରୁ ଡକୁମେଣ୍ଟ୍ ଭେରିଫିକେସନ୍ ପାଇଁ ଡକରା ଆସିବା ପରେ ତାଙ୍କ ସବୁ ଖୁସି ପାଣିରେ ମିଳାଇ ଯାଇଥିଲା। କାରଣ ଡକୁମେଣ୍ଟ ଭେରିଫିକେସନ୍‌ରେ ଦିବ୍ୟାଙ୍ଗ ସବ୍ୟସାଚୀଙ୍କ ବାୟୋମାଟ୍ରିକ୍ ଟିପ ଚିହ୍ନ ମିଶିନାହିଁ ବୋଲି ତାଙ୍କୁ କୁହାଗଲା। ଫଳରେ ତାଙ୍କ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଥମେ ସ୍ଥଗିତ ରଖାଗଲା। ଆଉ ପରବର୍ତୀ ପର୍ଯ୍ୟାୟରେ ସେ ଆଦୌ ପରୀକ୍ଷା ଦେଇ ନ ଥିବା କହି ତାଙ୍କ ନିଯୁକ୍ତିପତ୍ର ବାତିଲ୍ କରିଦିଆଗଲା। ତେବେ ଏଭଳି ଅଭିଯୋଗକୁ ମିଛ ପ୍ରମାଣ କରିବା ପାଇଁ ଦିବ୍ୟାଙ୍ଗ ସବ୍ୟସାଚୀ ଦୀର୍ଘ ୪ ବର୍ଷ ହେଲା ଭୁବନେଶ୍ବର (ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ)ରୁ ଦିଲ୍ଲୀ (ମୁଖ୍ୟ ଭିନ୍ନକ୍ଷମ ଆୟୁକ୍ତ), ଦିଲ୍ଲୀରୁ ମୁମ୍ବାଇ (ସେଣ୍ଟ୍ରାଲ୍ ରେଳବାଇ ଜୋନ୍) ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ମାତ୍ର ତାଙ୍କୁ ଚାକିରି ବଦଳରେ ଖାଲି ଯନ୍ତ୍ରଣା ମିଳୁଛି। ଆଉ ଏ ଯନ୍ତ୍ରଣାର ଅନ୍ତ କେବେ ହେବ, ସେ ବିଷୟରେ କେଉଁ ନ୍ୟାୟାଳୟ ମଧ୍ୟ ତାଙ୍କୁ ଭରସା ଦେଇପାରୁନାହାନ୍ତି।

ମୁଖ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ଆଦେଶକୁ ବି ମାନୁନାହାନ୍ତି

୨୦୧୬ ଜାନୁଆରି ୨୫ରେ ସବ୍ୟସାଚୀ ରେଳବାଇର ସେଣ୍ଟ୍ରାଲ୍ ଜୋନ୍‌ ମୁମ୍ବାଇର ଗ୍ରୁପ୍ ଡି’ ପଦବି ପାଇଁ ଆବେଦନ କରିଥିଲେ। ଫେବ୍ରୁଆରି ୨୩ରେ କଟକ ଫୁଲନଖରାସ୍ଥିତ ଇଷ୍ଟର୍ଣ୍ଣ ଏକାଡେମିରେ ପରୀକ୍ଷା ଦେଇଥିଲେ। ମେ’ ମାସରେ ପରୀକ୍ଷାଫଳ ବାହାରିଲା ଏବଂ ସବ୍ୟସାଚୀ ୭୧.୭୧୭ ମାର୍କ ରଖି ଚାକିରି ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମାତ୍ର ଅଗଷ୍ଟ ୩ ତାରିଖରେ ଡକୁମେଣ୍ଟ୍ ଭେରିଫିକେସନ୍ ବାୟୋମେଟ୍ରିକ୍‌ରେ ଦେଇଥିବା ଟିପଚିହ୍ନ ସହିତ ସବ୍ୟସାଚୀଙ୍କ ଟିପଚିହ୍ନ ମିଶୁ ନ ଥିବା ଦର୍ଶାଇ ରେଲୱେ ରିକ୍ରୁଟ୍‌ମେଣ୍ଟ୍ ସେଲ୍(ଆର୍‌ଆର୍‌ସି) ନିଯୁକ୍ତି ତାଲିକାରୁ ତାଙ୍କ ନାଁ’ କାଟିଦେଲା। ତେବେ ଏହାକୁ ମିଥ୍ୟା ଦର୍ଶାଇ ସେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ମିନତି ବେହେରାଙ୍କୁ ଏ ବିଷୟରେ ଅଭିଯୋଗ କରିଥିଲେ। ମାମଲା କେନ୍ଦ୍ରରେ ଥିବାରୁ ଆୟୁକ୍ତ ଏହାକୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କୋର୍ଟକୁ ପଠାଇଲେ। ତେବେ ମୁଖ୍ୟ କମିସନର୍ ନିଜ କୋର୍ଟରେ ମାମଲାର ବିଚାର କରିବା ସହିତ ଅଭିଯୋଗ ସଂପର୍କରେ ୪ଥର ଶୁଣାଣି କରିବା ପରେ ରାୟ ପ୍ରଦାନ କରିଥିଲେ। ଏପରିକି ରାୟ ପ୍ରକାଶ ଦିନ ଅର୍ଥାତ୍ ୨୦୧୭ ଅଗଷ୍ଟ ୧୬ ଦିନ ଉଭୟ ଅଭିଯୋଗକାରୀ ସବ୍ୟସାଚୀ ଓ ଆର୍‌ଆର୍‌ସି ସେଣ୍ଟ୍ରାଲ୍ ରେଳବାଇ ପକ୍ଷରୁ ଆସିଷ୍ଟାଣ୍ଟ୍ ପର୍ସନାଲ୍ ଅଫିସର୍(ଏପିଓ) ଅଜୟ ରାଜଙ୍କ ଉପସ୍ଥିତିରେ ସବ୍ୟସାଚୀ ପରୀକ୍ଷା ଦେଇଥିବା ସେଣ୍ଟର୍‌ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ିଥିଲା, ଫେବ୍ରୁଆରି ୨୩ ଦିନ ସବ୍ୟସାଚୀ ତାଙ୍କ ସ୍କ୍ରାଇବର୍(ଲେଖକ) ସହିତ ଇଷ୍ଟର୍ଣ୍ଣ ଏକାଡେମିରେ ପରୀକ୍ଷା ଦେଇଛନ୍ତି। ଏହା ପରେ ମୁଖ୍ୟ ଭିନ୍ନକ୍ଷମ ଆୟୁକ୍ତ(ସିସିଡି) ନ୍ୟାୟାଳୟ ସବ୍ୟସାଚୀଙ୍କୁ ୬୦ ଦିନ ଭିତରେ ଚାକିରି ଦେବା ପାଇଁ ରେଳବାଇ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସିସିଡିଙ୍କ ନିର୍ଦ୍ଦେଶକୁ ପରାମର୍ଶ ସଦୃଶ ବୋଲି ଦର୍ଶାଇ ଏକ୍‌ଜେକ୍ୟୁଟେବଲ୍ ନୁହେଁ ବୋଲି କହୁଛନ୍ତି। କେବଳ ସେତିକି ନୁହେଁ, ଆର୍‌ଆର୍‌ସି ଏକତରଫା ଭାବେ ତିନିଜଣିଆ କମିଟି ଗଠନ କରି ଭିଡିଓରେ ସବ୍ୟସାଚୀଙ୍କ ଉପସ୍ଥିତି ଦ୍ବନ୍ଦ୍ବପୂର୍ଣ୍ଣ ବୋଲି ଉଲ୍ଲେଖ କରି ନିଯୁକ୍ତି ବାତିଲ୍ କରି ଦେଇଛନ୍ତି।

ହାଇକୋର୍ଟରୁ ମିଳିବ କି ନ୍ୟାୟ?
ମାମାଲା ସଂପର୍କରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ଆଇନଜୀବୀ ଚଣ୍ଡିପ୍ରସାଦ ସାହାଣୀଙ୍କୁ ପଚରାଯିବାରୁ, ସେ ଆର୍‌ଆର୍‌ସିର ବିଚାର ପ୍ରକ୍ରିୟାକୁ ହାସ୍ୟାସ୍ପଦ କହିବା ସହିତ ଆଇନ୍ ସିଦ୍ଧ ନୁହେଁ ବୋଲି କହିଛନ୍ତି। କାରଣ ଆର୍‌ଆର୍‌ସି କେନ୍ଦ୍ରୀୟ ନ୍ୟାୟିକ ଆୟୋଗ(କ୍ୟାଟ୍)ରେ ଦାଖଲ କରିଥିବା ଦସ୍ତାବିଜ୍‌ରେ ଉଲ୍ଲେଖ ଅଛି ଯେ, ସବ୍ୟସାଚୀଙ୍କର ପରୀକ୍ଷା ହଲ୍ ଭିତରକୁ ଯିବାର ଦୃଶ୍ୟ ନାହିଁ। କିନ୍ତୁ ହଲ୍‌ ଭିତରେ ପରୀକ୍ଷା ଦେବାର ଏବଂ ହଲ୍‌ରୁ ବାହାରକୁ ଆସିବା ସମୟର ଦୃଶ୍ୟ ରହିଛି। ତେବେ କେଉଁ ଅଦୃଶ୍ୟ ଶକ୍ତି ବଳରେ ସବ୍ୟସାଚୀ ହଲ୍‌ ଭିତରକୁ ପଶିବା ବେଳର ଦୃଶ୍ୟ ଉଭାନ୍ ହୋଇଗଲା ବୋଲି ଶ୍ରୀ ସାହାଣୀ ପଚରାଛନ୍ତି। ତେବେ ସବ୍ୟସାଚୀଙ୍କର ଏହି ନିଯୁକ୍ତି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା କହିଛନ୍ତି। ତେବେ କରୋନା ଯୋଗୁଁ ମାମଲାର ଶୁଣାଣି ହୋଇ ନ ଥିବା ଜଣାପଡ଼ିଛି।

ଅନ୍ୟାୟ ପଛରେ ଆଞ୍ଚଳିକବାଦ?
ଅପରପକ୍ଷରେ ରାଜ୍ୟ ବିକଳାଙ୍ଗ ମଞ୍ଚ ସବ୍ୟସାଚୀଙ୍କ ଉପରେ ହୋଇଥିବା ଅନ୍ୟାୟ ପଛରେ ମୁମ୍ବାଇ କେନ୍ଦ୍ରୀୟ ରେଳ ଜୋନ୍‌ କର୍ତୃପକ୍ଷଙ୍କ ଆଞ୍ଚଳିକବାଦ ହିଁ ମୁଖ୍ୟ କାରଣ ବୋଲି ଦର୍ଶାଇଛି। କାରଣ ସବ୍ୟସାଚୀଙ୍କ ସହିତ ପରୀକ୍ଷା ଦେଇଥିବା ଅନ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ବିନା କୌଣସି ଦ୍ବିଧାରେ ନିଯୁକ୍ତି ପାଇସାରିଥିବା ବେଳେ ଓଡ଼ିଶାର ଜଣେ ଦିବ୍ୟାଙ୍ଗଙ୍କୁ ଚାକିରି ମିଳିବା କ୍ଷେତ୍ରରେ କାହିଁକି ଅନ୍ୟାୟ କରାଯାଉଛି? ସିସିଟିଭି ଫୁଟେଜ୍‌ରେ ସବ୍ୟସାଚୀ ପରୀକ୍ଷା ଦେଇଥିବା ସ୍ପଷ୍ଟ ଚିତ୍ର ଥିବା ବେଳେ ଏକପାଖିଆ କମିଟି କରି ମୁଖ୍ୟ ଭିନ୍ନକ୍ଷମ ଆୟୁକ୍ତ ନ୍ୟାୟାଳୟଙ୍କ ବିଚାରକୁ ଅମାନ୍ୟ କରିଛନ୍ତି। ସମାନ ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ମଧ୍ୟ ଏହାକୁ କେନ୍ଦ୍ରର ମାମଲା କହି ଏଡ଼ାଇଯିବା ଓ ସାଢ଼େ ୪ ବର୍ଷ ବିତିଯାଇଥିଲେ ବି ନିଜ ରାଜ୍ୟର ଜଣେ ଯୁବକଙ୍କ ପ୍ରତି ସରକାରଙ୍କ ଆନ୍ତରିକତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି।

ସମ୍ବନ୍ଧିତ ଖବର