ଭୁବନେଶ୍ବର : ମଦ ପିଇ ଗାଡ଼ିକୁ ଘଣ୍ଟା ଘଣ୍ଟା ଅଟକାଇ ରଖିଲେ। ଟ୍ରେସ୍‌ କରି ଧରିବାରୁ ଅର୍ବିଟ ଟ୍ରାଭେଲ୍ସର ମାଲିକ ଓ ତାଙ୍କ ପୁଅଙ୍କୁ ମାଡ଼ ମାରି ରକ୍ତାକ୍ତ କଲେ। ଲକ୍ଷ୍ମୀସାଗର ଥାନା ଦୁର୍ଗାମଣ୍ଡପ ନିକଟରେ ଘଟିଥିବା ଏହି ଆପରାଧିକ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଡ୍ରାଇଭର ସମେତ ୪ଜଣକୁ ଗିରଫ କରିଛି। ସେମାନେ ହେଲେ, ମୁଖ୍ୟ ଅଭିଯୁକ୍ତ ତଥା ଚାଳକ କଟକ ନିଆଳି ଅଞ୍ଚଳର ବିଶ୍ବଜିତ ସ୍ବାଇଁ(୪୩), ଅଶୋକ କୁମାର ସାହୁ ଓରଫ ମଣ୍ଟୁ(୩୧), ବମିଖାଲ ପୁହାଣସାହିର ଅଜିତ ପୁହାଣ ଓରଫ ବୁଦ୍ଧିଆ(୩୦) ଏବଂ ବମିଖାଲ ଦେବରାଜ ବିଦ୍ୟାପୀଠ ଅଞ୍ଚଳର ରାଜେଶ ସାହୁ ଓରଫ ପିଣ୍ଟୁ(୩୦)। ଅଭିଯୁକ୍ତମାନଙ୍କୁ ସିକିମ୍‌ ଫେରାର୍‌ ହେବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ବାଲେଶ୍ବରରୁ ଗିରଫ କରିଛି।

Advertisment

ସୂଚନା ମୁତାବକ, କିଛି ବର୍ଷ ହେବ ସୁକାନ୍ତ ପଟ୍ଟନାୟକ ଓ ତାଙ୍କ ପୁଅ ପରମାନନ୍ଦ ସିଦ୍ଧାର୍ଥ ବମିଖାଲ ଅଞ୍ଚଳରେ ଅର୍ବିଟ ଟ୍ରାଭେଲ୍ସ ନାମକ ସଂସ୍ଥା ଚଳାଉଛନ୍ତି। ଗତ ୭ ତାରିଖ ରାତି ସାଢ଼େ ୧୦ଟା‌ରେ ଟ୍ରାଭେଲ୍ସରେ ବ୍ୟବହୃତ ଏକ ଗାଡ଼ିର ଜିପିଏସ୍ ଟ୍ରାକ୍‌ କରି ଜାଣିବାକୁ ପାଇଥିଲେ ଯେ ଏଜେନ୍ସିରେ କୌଣସି ଭଡ଼ା ନ ଥାଇ ବିଶ୍ବଜିତ୍‌ ଏକ ଇନୋଭା କାର୍ ନେଇ ଆର୍‌ବି ପ୍ୟାଲେସ୍ ପାଖରେ ପାର୍କ କରିଛି। ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ କାର୍‌ ପାର୍କିଂ କରିଥିବାରୁ ସୁକାନ୍ତ ଓ ପରମାନନ୍ଦ ଉକ୍ତ ସ୍ଥାନକୁ ଯାଇଥିଲେ। କାହିଁକି ଏଠି ଗାଡ଼ି ରଖିଛୁ ବୋଲି ବିଶ୍ବଜିତକୁ ପଚାରିଥିଲେ। ଏଥିରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ବିଶ୍ବଜିତ୍‌ ଏବଂ ସେଠାରେ ଥିବା ତା’ର ଅନ୍ୟ ୩ ସହଯୋଗୀ ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମାରି ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ସୁକାନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତମାନେ ରାଜଧାନୀରୁ ସିକିମ୍‌ ପଳାଇବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନେ ରାଜଧାନୀରୁ ଟ୍ରେନ୍‌ରେ ଯିବା ପାଇଁ ଟିକେଟ୍‌ କରିଥିଲେ। ହେଲେ କାଳେ ପୁଲିସ କାବୁ କରିନେବ, ସେ ଭୟରେ ବାଲେଶ୍ବରରୁ ଟ୍ରେନ୍‌ରେ ସିକିମ୍‌କୁ ଯିବାକୁ ଯୋଜନା କରିଥିଲେ। ଗତ ରାତିରେ ଏକ କାର୍‌ରେ ସେମାନେ ବାଲେଶ୍ବର ଯାଉଥିବା ଜାଣିବା ପରେ ପୁଲିସ ସେମାନଙ୍କୁ ପିଛା କରି ବାଲେଶ୍ବର ଷ୍ଟେସନ୍‌ରୁ ଧରିଥିଲା। ଆଜି ଅଭିଯୁକ୍ତମାନଙ୍କୁ ଥାନାରେ ପଚରାଉଚରା କରାଯିବା ପରେ କୋର୍ଟଚାଲାଣ କରାଯାଇଛି।