ଭୁବନେଶ୍ବର : ଝାରପଡ଼ାସ୍ଥିତ ନାରାୟଣୀ ମୋଟର୍ସର ୩୧ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ସଂସ୍ଥାର ୪ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ପାର୍ବତୀପୁର ଅଞ୍ଚଳର ସନ୍ତୋଷ ବେହେରା(୩୫), ରାମଚନ୍ଦ୍ରପୁର ଅଞ୍ଚଳର ଦୀପକ ରଂଜନ ରାଉତ(୨୮), ନୟାଗଡ଼ ଇଟାମାଟି ଅଞ୍ଚଳର ଗଣେଶ୍ବର ପ୍ରଧାନ(୪୬) ଏବଂ ପୁରୁଣା ଭୁବନେଶ୍ବର ଶ୍ରୀରାମନଗର ଅଞ୍ଚଳର ଏ ଜଗ୍ଦୀଶ ଆଚାର୍ଯ୍ୟ(୪୬)।
ପୁଲିସ୍ ସୂଚନା ମୁତାବକ, ସନ୍ତୋଷ ଓ ଜଗଦୀଶ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ଗଣେଶ୍ବର ଓ ଦୀପକ କ୍ୟାସିୟର୍ ଥିଲେ। ଗତ ବର୍ଷେ ହେବ, ସେମାନେ ସଂସ୍ଥାକୁ ଚୂନ ଲଗାଇ ଆସୁଥିଲେ। ଗ୍ରାହକଙ୍କ ଟଙ୍କା, ଡିଡି, ଚେକ୍ ସବୁ ଏମାନଙ୍କ ଦ୍ବାରା ସଂସ୍ଥା ଆକାଉଣ୍ଟରେ ଜମା ହେଉଥିବା ସୁଯୋଗରେ ସେମାନେ ଟଙ୍କା ହେରଫେର୍ କରି ଆସୁଥିଲେ। କିନ୍ତୁ କେହି ବି ସେମାନଙ୍କ ଏ କାରନାମା ସଂପର୍କରେ ଟେର୍ ପାଉନଥିଲେ। ତେବେ ଗତ ୧୦ ତାରିଖ ଦିନ ସଂସ୍ଥାର ବାର୍ଷିକ ଅଡିଟ୍ ବେଳେ ସେମାନଙ୍କ ଏହି କେଳେଙ୍କାରୀ ପଦାକୁ ଆସିଥିଲା। ଏନେଇ ସଂସ୍ଥା ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ତଦନ୍ତ କରି ୪ଜଣଙ୍କୁ ଗିରଫ କରିଛି।