ଭୁବନେଶ୍ବର: ସରକନ୍ତରା ଅଞ୍ଚଳରେ ଜମି ପାଇଁ ଦାଦାପୁଅ ଭାଇକୁ ଗୁଳିକରି ହତ୍ୟା ମାମଲାର ୨୪ ଘଣ୍ଟା ମଧ୍ୟରେ କମିସନରେଟ୍‌ ପୁଲିସକୁ ବଡ଼ ସଫଳତା ମିଳିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ସରକନ୍ତରା ହାଟସାହିର ସୁକାନ୍ତ ପ୍ରଧାନ ଓରଫ ଭାଲୁ(୫୦), ପୁଅ ଶୁଭେନ୍ଦୁ ପ୍ରଧାନ ଓରଫ ଛବି(୨୫), ରାକେଶ ଖୁଣ୍ଟିଆ ଓ ରଘୁନାଥନଗରର ସୁବ୍ରତ ସାହୁ ଓରଫ କାହ୍ନା(୩୦)। ପୁଲିସ ସେମାନଙ୍କୁ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଛି। ଅନ୍ୟପଟେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଲୁର ସାନପୁଅ ଶିବା ଏବେ ବି ଫେରାର୍‌ ଅଛି। ତାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଏମାନେ କାହିଁକି ସୁଧାଂଶୁଙ୍କୁ ହତ୍ୟା କଲେ? କିଏ ହତ୍ୟା କଲା? କେବେଠାରୁ ଷଡ଼ଯନ୍ତ୍ର ରଚିଥିଲେ ଏନେଇ କମିସନରେଟ୍‌ ପୁଲିସ ଜୋନ୍‌-୩ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସିପି ତାପସ ପ୍ରଧାନ ଘଟଣାର ପର୍ଦ୍ଦାଫାସ କରିଛନ୍ତି। 

Advertisment

କମିସନରେଟ୍‌ ପୁଲିସ ଜୋନ୍‌-୩ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସିପି ତାପସ ପ୍ରଧାନ କହିଛନ୍ତି, ଜମିବାଡ଼ି ବିବାଦକୁ ନେଇ ସୁଧାଂଶୁ ଓ ସୁକାନ୍ତଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ସୁଧାଂଶୁ ନାଁରେ ଥିବା ଜମିକୁ ହାତେଇବା ପାଇଁ ସୁକାନ୍ତଙ୍କ ପରିବାର ରକ୍ତମୁଖା ‌ହୋଇଥିଲା। ତେଣୁ ତାକୁ ରାସ୍ତାରୁ ହଟାଇବା ପାଇଁ ୪ମାସ ହେବ ସୁକାନ୍ତ, ଛବି ଓ ଶିବା ଯୋଜନା କରିଥିଲେ। ରାକେଶ ଓ ସୁଧାଂଶୁ ଉଭୟ ଏମ୍‌ସରେ ଚାକିରି କରୁଥିବାରୁ ସେମାନଙ୍କ ମଧ୍ୟ‌ରେ ଭଲ ସମ୍ପର୍କ ଥିଲା। ଅପରପକ୍ଷେ ରାକେଶ ଓ ଶିବା ଦୁଇସାଙ୍ଗ। ତେଣୁ ସୁଧାଂଶୁର ଗତିବିଧି ଓ ଚାଲିଚଳଣି ଉପରେ ନଜର ରଖିବା ପାଇଁ  ଶିବା ରାକେଶକୁ ସାମିଲ କରିଥିଲେ। ଯୋଜନା ମୁତାବକ ୧୩ ତାରିଖ ସକାଳେ ସୁଧାଂଶୁ ଓ ରାକେଶ ଏକା ସଙ୍ଗେ ଏମ୍‌ସ ବାହାରିଥିଲେ। ଯୋଜନା ମୁତାବକ ଶିବା ସ୍କୁଟିରେ ବନ୍ଧୁକ ଧରି ପ୍ରସ୍ତୁତ ରହିଥିଲା। ଘରଠାରୁ କିଛିବାଟ ଯିବା ପରେ ରାକେଶ ଶିବାକୁ ଖବର ଦେଇଥିଲା। ଖବର ପାଇ ଶିବା ସ୍କୁଟିରେ ପିଛା କରି ସୁଯୋଗ ପାଇଁ ସୁଧାଂଶୁ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିଲା। ସେଠାରେ ତାକୁ ହତ୍ୟା କରିବା ପରେ ସ୍କୁଟି ଧରି ଚମ୍ପଟ ମାରିଥିଲା। ପୁଲିସ ତଦନ୍ତ ବେଳେ ରାକେଶର ଭୂମିକା ନେଇ ସନ୍ଦେହ କରିଥିଲା। ତାକୁ ପ୍ରଥମେ ଅଟକ ରଖି ପଚରାଉଚରା ବେଳେ ସେ ସତ ଓଗାଳିଥିଲା। ପରେ ପୁଲିସ ଚଢ଼ଉ କରି ସୁକାନ୍ତ ଓ  ଛବିକୁ ଗିରଫ କରିଥିଲା। ୩ଜଣଙ୍କୁ ମୁହାଁମୁହିଁ ଜେରା ବେଳେ ହତ୍ୟାର ପୂରା ଷଡ଼ଯନ୍ତ୍ର ପଦାକୁ ଆସିଥିଲା।  
ପୁଲିସ ସୂଚନା ମୁତାବକ, ଶିବା ସୁଧାଂଶକୁ ହତ୍ୟା କରିବା ପାଇଁ ଏକ ବନ୍ଧୁକ ସଂଗ୍ରହ କରିଥିଲା। ସୁଧାଂଶୁକୁ ହତ୍ୟା କରିବା ପରେ ଏହି ବନ୍ଧୁକଟିକୁ ସେ ରଖିବା ପାଇଁ ରାକେଶକୁ ଦେଇଥିଲା। ମାତ୍ର ରାକେଶ ନିଜପାଖରେ ବନ୍ଧୁକକୁ ନ ରଖି ନିଜ ସାଙ୍ଗ କାହ୍ନାକୁ ଦେଇଥିଲା। ରାକେଶଠାରୁ ଏହି ସୂଚନା ପାଇ ପୁଲିସ କାହ୍ନା ଘରେ ଚଢ଼ଉ କରି କାହ୍ନାକୁ ଗିରଫ କରିବା ସହ ବନ୍ଧୁକକୁ ଜବତ କରିଥିଲା। ସମସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ ପରେ ପୁଲିସ ଆଜି ୪ ଜଣଙ୍କୁ କୋର୍ଟଚାଲାଣ କରିଛି। ଶିବା ଧରାପଡ଼ିଲେ, ଆହୁରି ବହୁ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଶିବା କାହାଠାରୁ ବନ୍ଧୁକ ଆଣିଥିଲା, ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଆରମ୍ଭ କରିଛି।