କୁଖ୍ୟାତ ଡକାୟତ ଗଙ୍ଗା ରେଡ୍ଡି ସମେତ ୪ ଗିରଫ, ବାଇକ୍ ଓ ମୋବାଇଲ୍ ଜବତ

ଭୁବନେଶ୍ବର : ସାଲିଆସାହିର କୁଖ୍ୟାତ ଡକାୟତ ଗଙ୍ଗା ରେଡ୍ଡି ମୋବାଇଲ୍ ଚୋରି କରିବା ଅଭିଯୋଗରେ ଭରତପୁର ପୁଲିସ୍ ତା’କୁ ଗିରଫ କରିଛି। ତା’ ନାଁ ନୂଆପଲ୍ଲୀ ଥାନାରେ ଡକାୟତି, ଲୁଟ୍, ଛିନ୍‌ତାଇ ଭଳି ଅଧ ଡଜନରୁ ଅଧିକ ମାମଲା ରହିଛି। ଗଙ୍ଗା ବ୍ୟତୀତ ତା’ର ତିନିଜଣ ସହଯୋଗୀକୁ ମଧ୍ୟ ଭରତପୁର ପୁଲିସ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତ ହେଉଛି, ଚନ୍ଦକା ଗୋଠପାଟଣାର ସୋମନ ମଲ୍ଲିକ(୨୧), ସାଲିଆସାହି ସନ୍ତୋଷୀନଗରର ଗଣେଶ ସାହୁ(୨୧) ଓ ନିରଂଜନ ଖଟେଇ(୨୧)। ଏ ସମସ୍ତ ଅଭିଯୁକ୍ତଙ୍କ ନାଁରେ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ରହିଛି।

ମିଳିଥିବା ସୂଚନା ମୁତାବକ, ଗତ ୧୦ ତାରିଖ ସନ୍ଧ୍ୟା ୭ଟାରେ ଜାକବ ତିର୍କି କଳିଙ୍ଗବିହାରର କେ-୭ କଲ୍ୟାଣୀ ମଣ୍ଡପ ବସ୍‌ଷ୍ଟାଣ୍ଡ୍‌ରେ ଛିଡ଼ା ହୋଇଥିବାବେଳେ ଦୁଇଜଣ ଯୁବକ ବାଇକ୍‌ରେ ଆସି ଚକ୍କର କାଟିଥିଲେ। ଏହା ପରେ ପଛରୁ ଆସୁଥିବା ଆଉ ଏକ ବାଇକ୍ ହାତ ଠାରି କିଛି ଇସାରା ଦେବା ପରେ ଉକ୍ତ ଦୁଇ ଦୁର୍ବୃତ୍ତ ବସ୍ ଷ୍ଟାଣ୍ଡ୍‌କୁ ଆସି ଜାକବଙ୍କ ମୋବାଇଲ୍ ଝାମ୍ପି ଫେରାର୍ ହୋଇଯାଇଥିଲେ। ଏ ନେଇ ଭରତପୁର ପୁଲିସ୍‌ ପାଖରେ ଜାକବ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଆଜି ଗଙ୍ଗା ଓ ତା’ର ସହଯୋଗୀ ଲୁଟେରାଙ୍କୁ ଗିରଫ କରିବା ସହିତ ଚୋରି ପାଇଁ ବ୍ୟବହୃତ ବାଇକ୍ ଓ ମୋବାଇଲ୍ ଜବତ କରିଛି।

ସମ୍ବନ୍ଧିତ ଖବର