ଅଭିଯୁକ୍ତଙ୍କୁ ରଖିବାକୁ ଜାଗା ନାହିଁ! ନୂଆପଲ୍ଲୀ ଥାନାରୁ ୪ ଅପରାଧୀ ଚମ୍ପଟ୍

୩ ଧରାପଡ଼ିଲେ, ଜଣେ ଫେରାର୍

ଭୁବନେଶ୍ବର : ଗତ ୨ ସପ୍ତାହ ମଧ୍ୟରେ ନୂଆପଲ୍ଲୀ ଥାନା ହାଜତରୁ ୪ଜଣ ଅଭିଯୁକ୍ତ ଚମ୍ପଟ୍ ମାରିଛନ୍ତି। ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ଓ ଅପରାଧୀଙ୍କ ଉପରେ ନଜର ନ ରଖିବା କାରଣରୁ ଏଭଳି ଅଘଟଣ ଘଟିଛି। ଚଳିତ ମାସ ୧୨ ତାରିଖରେ ନୂଆପଲ୍ଲୀ ଥାନା ପୁଲିସ୍‌ ୨ ଚୋରଙ୍କୁ ଧରିଥିଲା। ଅଭିଯୁକ୍ତମାନେ ମୋବାଇଲ୍ ଟାଵାର୍‌ର ବ୍ୟାଟେରି ଚୋରି କରୁଥିବା ବେଳେ ଧରାପଡ଼ିଥିଲା। ଏକ ଧଳା ଅଟୋରେ ୨୪ଟି ଚୋରା ବ୍ୟାଟେରି ନେଇ ଯାଉଥିବା ବେଳେ ନୂଆପଲ୍ଲୀ ପୁଲିସ ଅଭିଯୁକ୍ତଙ୍କୁ ଧରିଥିଲା। ମାତ୍ର ଧରା ହେବାର କେଇ ଘଣ୍ଟା ଭିତରେ ଅଭିଯୁକ୍ତ ଶୁଭେନ୍ଦୁ ଜେନା ଥାନା ହାଜତରୁ ଚମ୍ପଟ୍ ମାରିଥିଲା। ତେଣୁ ଅଭିଯୁକ୍ତକୁ ଧରିବାକୁ କସରତ୍ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତର ବାପା ଫୋନ୍ କରି ପୁଲିସକୁ ପୁଅ ଲୁଚିଥିବା ଜାଗା ବାବଦରେ ସୂଚନା ଦେଇଥିଲେ। ନୂଆପଲ୍ଲୀ ଥାନା ପିଓପିଡି ଟିମ୍ ଅଭିଯୁକ୍ତ ଶୁଭେନ୍ଦୁକୁ ଗିରଫ କରିବା ପରେ ଉଭୟଙ୍କୁ କୋର୍ଟଚାଲାଣ କରିଥିଲା।

ଅପରପକ୍ଷରେ ଶୁଭେନ୍ଦୁ ଖସିବାର ଦିନକ ପରେ କୁଖ୍ୟାତ ଲୁଟେରା ସାଲିଆସାହିର ରଂଜିତ ବେହେରା ଓରଫ କାଳୁ ନୂଆପଲ୍ଲୀ ଥାନା ପୁଲିସ ମୋବାଇଲ୍ ଚୋରି ଅଭିଯୋଗରେ ଥାନାକୁ ଆଣିଥିଲା। ସକାଳୁ ଦାୟିତ୍ବରେ ଥିବା କର୍ମଚାରୀ ଅବହେଳା କାରଣରୁ କାଳୁ ଥାନାରୁ ଦୌଡ଼ି ସାଲିଆସାହି ପଳାଇଥିଲା। କାଳୁ ଫେରାର୍ ହେବା ଘଟଣା ଜଣାପଡ଼ିବା ପରେ ପୁଲିସ ତା’ ଘରେ ଯାଇ ଡେରା ପକାଇଥିଲା। ଧରା ନ ଦେଲେ, ପରିବାରଲୋକଙ୍କୁ ବଡ଼ ମାମଲାରେ ଫସାଇ ଦେବ ବୋଲି ପୁଲିସ୍‌ ଧମକ ଦେଇଥିଲା। ତେଣୁ ପ୍ରାଣ ବିକଳରେ କାଳୁର ମା’ ତାକୁ ଫୋନ୍ କରି ଥାନାରେ ଆତ୍ମସମର୍ପଣ କରିବାକୁ କହିଥିଲା। ୧୮ ତାରିଖ ରାତିରେ କାଳୁ ଆତ୍ମସମର୍ପଣ କରିବା ପରେ ପୁଲିସ ତାକୁ ୧୯ତାରିଖରେ କୋର୍ଟଚାଲାଣ କରିଥିଲା।

ସେହିପରି ୨ ଦିନ ତଳେ ଏକ ଗଣ୍ଡଗୋଳକୁ ନେଇ ପୁଲିସ ସାଲିଆସାହିରୁ ଜଣେ ଦୁର୍ବୃତ୍ତକୁ ଥାନାକୁ ଆଣିଥିଲା। ମାତ୍ର ଉକ୍ତ ଯୁବକ ପୁଲିସ ନଥିବା ସୁଯୋଗରେ ଥାନା ଚମ୍ପଟ୍ ମାରିଥିଲା। ଅଭିଯୁକ୍ତ ଫେରାର୍ ହୋଇଯିବାରୁ ପୁଲିସ ଏହି ଘଟଣାରେ କୌଣସି ମାମଲା ରୁଜୁ କରିନଥିବା ଜଣାପଡ଼ିଛି। ସେହିଭଳି ଗତକାଲି ଦିନ ବେଳା କଳିଙ୍ଗ ଷ୍ଟାଡିୟମ୍ ପାଚେରି ଡେଇଁ ଲୁହା ଚୋରି କରିବାକୁ ପଶିଥିବା ଜଣେ ଅଭିଯୁକ୍ତକୁ ଷ୍ଟାଡିୟମ୍ ସିକ୍ୟୁରିଟି ଧରିଥିଲେ। ମାତ୍ର ରାତିରେ ଉକ୍ତ ଅଭିଯୁକ୍ତ କୌଶଳ କରି ଥାନାରୁ ଚମ୍ପଟ୍ ମାରିଥିଲା। ସେ ଥାନାରୁ ଦୌଡ଼ି ଯାଉଥିବା ବେଳେ କିଛି ସ୍ଥାନୀୟ ଲୋକ ତାକୁ ଅଟକାଇ ପୁଲିସ ଜିମା ଦେଇଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନୂଆପଲ୍ଲୀ ଥାନାରେ ଗତ ୨ରୁ ୩ସପ୍ତାହ ମଧ୍ୟରେ ୪ଟି ଅଭିଯୁକ୍ତ ଥାନା ହାଜତରୁ ଚମ୍ପଟ୍ ମାରିଥିଲେ ବି କୌଣସି ଘଟଣାରେ ବି ଅବହେଳା ପାଇଁ ସଂପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ରାଜଧାନୀରେ ଚଳିତ ବର୍ଷ ୫ମାସ ମଧ୍ୟରେ ଏଭଳି ୫ ଥାନା ଅଞ୍ଚଳରୁ ୮ଜଣ ଅଭିଯୁକ୍ତ ଖସିଯାଇଥିଲେ ହେଁ କୌଣସି ଗୋଟିଏ ମାମଲାର ଅବହେଳା ପାଇଁ ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। ଯେଉଁଥିପାଇଁ କର୍ମଚାରୀମାନେ ଖାମଖିଆଲି ମନୋଭାବ ନେଇ କାମ କରୁଛନ୍ତି ଏବଂ ଅପରାଧୀମାନେ ଏହି ସୁଯୋଗରେ ଥାନାରୁ ଚମ୍ପଟ୍ ମାରୁଛନ୍ତି। ଏନେଇ ଥାନାର ଜଣେ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନୂଆପଲ୍ଲୀ ଥାନା ସରକାରୀ କ୍ବାର୍ଟର୍ସ ଚାଲିଥିବା ବେଳେ ଏଠାରେ ଅଭିଯୁକ୍ତଙ୍କୁ ରଖିବା ପାଇଁ ଜାଗା ନାହିଁ। ଯେଉଁ ହାଜତ ଅଛି, ସେଥିରେ ୫ଜଣ ରହିବା ବି କଷ୍ଟକର ବ୍ୟାପାର। ତେଣୁ ଜାଗା ଅଭାବରୁ ଥାନା କର୍ମଚାରୀ ଅଯଥା ଅପବାଦ ମୁଣ୍ଡାଉଛନ୍ତି।

ସମ୍ବନ୍ଧିତ ଖବର