ଶାନ୍ତିପଲ୍ଲୀ ବସ୍ତିରୁ ୪ ନିଶା ବେପାରୀ ଗିରଫ

୨୬୦ ଗ୍ରାମ ବ୍ରାଉନ୍‌ସୁଗାର ଓ ୫୧ ହଜାର ଟଙ୍କା ଜବତ

ଭୁବନେଶ୍ବର : ରାଜଧାନୀରେ କାୟା ବିସ୍ତାର କରିଥିବା ଧଳାଜହର ବେପାରୀଙ୍କୁ ସାବାଡ଼ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ବ୍ରାଉନସୁଗାର ବେପାରର ହବ୍‌ ପାଲଟିଥିବା ଶାନ୍ତିପଲ୍ଲୀ ବସ୍ତିରେ ସହିଦନଗର ଥାନା ପୁଲିସ ଚଢ଼ାଉ କରି ୪ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଶାନ୍ତିପଲ୍ଲୀ ବସ୍ତିର ରଂଜନ ନାୟକ(୩୦), ସୁରେଶ ମହାରଣା(୩୫), ଖଣ୍ଡଗିରି ଥାନା ରଘୁନାଥନଗରର ଗଣେଶ ପ୍ରଧାନ(୨୫) ଏବଂ ସୁନ୍ଦରପଦା ଅଞ୍ଚଳର ଛବି ‌ଭୋଇ(୫୦)। ପୁଲିସ ସେମାନଙ୍କଠାରୁ ୨୬୦ ଗ୍ରାମ ଓଜନର ବ୍ରାଉନ୍‌ସୁଗାର, ୫୧ହଜାର ନଗଦ ଟଙ୍କା ଏବଂ ୨ଟି ବାଇକ୍‌ ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ଅନୁମାନିକ ବଜାର ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ପାଖାପାଖି ୩ ବର୍ଷ ହେଲା ରଂଜନ, ସୁରେଶ, ଗଣେଶ ଓ ଛବି ଭୁବନେଶ୍ବରରେ ଧଳାଜହାର କାରବାରର ମଙ୍ଗ ଧରିଥିଲେ। ୨ଜଣ ସୀମାନ୍ତ ରାଜ୍ୟରୁ ଧଳା ଜହର ଆଣି ଭୁବନେଶ୍ବରରେ ପହଞ୍ଚାଇବା ବେଳେ ଜଣେ ଗ୍ରାହକ ଯୋଗାଡ଼ କରୁଥିଲା। ଅନ୍ୟଜଣେ ଏହାକୁ ଗଚ୍ଛିତ ରଖୁଥିଲା। ଆଉ ଇପିକଲ୍‌ର ଏକ ପରିତ୍ୟକ୍ତ ଘରକୁ ନିଜ କବ୍‌ଜାକୁ ନେଇ ସେଠାରେ ବେପାର ଚଳାଇଥିଲେ। ଏଭଳି ସମନ୍ବୟ ରଖି ୪ଜଣ ନିଶା ବେପାର କରୁଥିବା ବେଳେ ନା ପୁଲିସ ନା ଏସ୍‌ଟିଏଫ୍‌ କେହି ସେମାନଙ୍କ ଟେର୍‌ ପାଉ ନଥିଲା। ହେଲେ ଚୋରଘର ସବୁଦିନ ଅନ୍ଧାରା ନଥିବା ଭଳି, ଏମାନଙ୍କ କଳା କାରନାମା ବେଶିଦିନ ଲୁଚି ରହିନଥିଲା। ଏକ ବିଶେଷ ସୂତ୍ରରୁ ଖବରପାଇ ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ସହିଦନଗର ଥାନା ପୁଲିସର ଏକ ଟିମ୍‌ ଏହି ଘରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ସେମାନେ ପଳାଇଯିବାକୁ ଉଦ୍ୟମ କରିଥିଲେ। ତେବେ କିଛିସମୟର ଧାଁଦୌଡ଼ା ପରେ ପୁଲିସ ୪ଜଣଙ୍କୁ କାବୁ କରିବା ସହ ବ୍ରାଉନ୍‌ସୁଗାର, ଟଙ୍କା ଓ ବାଇକ୍‌ ଜବତ କରିଥିଲା।

ସମ୍ବନ୍ଧିତ ଖବର