ଉତ୍କଳର ୪ କର୍ମଚାରୀ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଙ୍କ ପରେ କର୍ମଚାରୀ ବି କରୋନା ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି। ୪ ଜଣ କର୍ମଚାରୀ ପଜିଟିଭ୍ ହେବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। କିଭଳି ଭାବେ ଏହାର ମୁକାବିଲା କରାଯାଇପାରିବ ସେନେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଆଜି ସୁଦ୍ଧା କ୍ୟାମ୍ପସରୁ ୧୦ରୁ ଅଧିକ ଛାତ୍ର ଓ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସମସ୍ତ ବିଭାଗକୁ ବିଶୋଧନ କରାଯିବ। ଏଥିସହ ସରକାରଙ୍କ ନିର୍ଦେଶକ୍ରମେ ଏଣିକି ୫୦% କର୍ମଚାରୀରେ କାମ ଚାଲିବ। ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ତୁରନ୍ତ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରତ୍ୟକ୍ଷ ଭାବେ ପରିଚାଳିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ୟୁନିଭରସିଟି ଲ’ କଲେଜ, ଦୂରନିରନ୍ତର ଶିକ୍ଷା ନିର୍ଦେଶାଳୟ(ଡିଡିସିଇ)କୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ତିନି ଶିକ୍ଷାନୁଷ୍ଠାନର ମଧ୍ୟ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ୟୁନିଭର୍ସିଟି ହାଇସ୍କୁଲ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି। ଏହିସବୁ ଶିକ୍ଷାନୁଷ୍ଠାନରେ ଏଣିକ ଅନ୍‌ ଲାଇନ୍‌ରେ ପାଠପଢ଼ା କରିବାକୁ ନିର୍ଦେଶ ଦିଆଯାଇଛି।

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରୀକ୍ଷା ଓ କ୍ଲାସ୍ ବାତିଲ୍‌
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୯ରୁ ୩୦ ପର୍ଯ୍ୟନ୍ତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନ କଲେଜଗୁଡ଼ିକର ସମସ୍ତ ୟୁଜି(ସ୍ନାତକ) ପାଠ୍ୟକ୍ରମର ପଞ୍ଚମ ସେମିଷ୍ଟାର କରିବାକୁ ସ୍ଥଗିତ ରଖାଯାଇଛି। ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିଥିବା ନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ଏଥିସହ ବିଶ୍ବବିଦ୍ୟାଳୟ ଓ ଏହା ଅଧୀନ କଲେଜର ଶ୍ରେଣୀଗୃହର ସମସ୍ତ ଥିଓରି ଓ ପ୍ରାକ୍ଟିକାଲ କ୍ଲାସ୍‌କୁ ମଧ୍ୟ ବାତିଲ କରାଯାଇଛି। ହଷ୍ଟେଲ୍ ବନ୍ଦ ସହ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ଶ୍ରେଣୀଗୃହରେ ସମସ୍ତ କ୍ଲାସ୍ ବନ୍ଦ କରାଯାଇଥିବାରୁ ସିଲାବସ୍ ଶେଷ ହେବା ପର୍ଯ୍ୟନ୍ତ ଅନ୍‌ଲାଇନ୍ କ୍ଲାସ୍ ଜାରି ରହିବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି।

ଗବେଷଣାରତ ଛାତ୍ରଛାତ୍ରୀ ରହିବାକୁ ଅନୁମତି
ରାଜ୍ୟର ସମସ୍ତ ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ, ପ୍ରଫେସନାଲ କଲେଜ ଓ ବୈଷୟିକ ବିଶ୍ବବିଦ୍ୟାଳୟଗୁଡ଼ିକ ୧୯ ତାରିଖରୁ ବନ୍ଦ ରହିବ। ସମସ୍ତ ପାଠ୍ୟକ୍ରମର କ୍ଲାସ ଓ ପରୀକ୍ଷା ଅନ୍‌ଲାଇନ୍‌ରେ ଜାରି ରହିବ। ହଷ୍ଟେଲ ଖାଲି କରିବାକୁ କୁହାଯାଇଛି। ତେବେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କଠାରୁ ଅଣ୍ଡରଟେକିଂ ଆଣି ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀ ହଷ୍ଟେଲରେ ରହିପାରିବେ। ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ପୂର୍ବରୁ ସମସ୍ତ ବିଶ୍ବବିଦ୍ୟାଳୟ ଓ ପରୀକ୍ଷା ପରିଚାଳନା ସଂସ୍ଥାକୁ କୁହାଯାଇଛି। ୫୦% କର୍ମଚାରୀଙ୍କ ଅଫିସ କାର୍ଯ୍ୟ ଜାରି ରଖିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ବିଜେବିର ୨୬ ନମୁନା ନେଗେଟିଭ୍‌
ବିଜେବି ଜୁନିଅର କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ କରୋନା ସଂକ୍ରମିତ ହେବା ପରେ କ୍ୟାମ୍ପସ୍‌ରେ ନମୁନା ପରୀକ୍ଷା କ୍ୟାମ୍ପ ହୋଇଥିଲା। ଏଥିରେ ୨୬ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନମୁନା ସଂଗୃହୀତ ହୋଇଥିଲା। ଶୁକ୍ରବାର ସମସ୍ତଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିବା କଲେଜ ପକ୍ଷରୁ କୁହାଯାଇଛି। ସେହିପରି ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ସମସ୍ତ ପରୀକ୍ଷା ୧୯ ତାରିଖଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧିତ ଖବର