୪ ଯୁବତୀ ରାଉରକେଲାରୁ ଉଦ୍ଧାର

ବ୍ୟାଙ୍କ ଚାକିରି ଦେବାକୁ କହି ଯୁବତୀ ଚାଲାଣ

ଖୋର୍ଧା : ବ୍ୟାଙ୍କ ଚାକିରିର ଲୋଭ ଦେଖାଇ ଚାଲିଥିଲା ଯୁବତୀ ଚାଲାଣ। ଶିକ୍ଷାଗତ ଯୋଗ୍ୟତା କିମ୍ବା ବୟସର କିଛି ମାପକାଠି ନଥିଲା। ବାଣପୁର ଅଞ୍ଚଳରୁ ଜଣେ ନାବାଳିକା ସମେତ ୪ ଜଣ ଯୁବତୀଙ୍କୁ ରାଉରକେଲା ପଠାଯାଇଥିଲା। ରାଉରକେଲା ପୁଲିସ୍‌ଠାରୁ ଖବର ପାଇ ଖୋର୍ଧା ପୁଲିସର ଏକ ଟିମ୍‌ ରବିବାର ଯୁବତୀମାନଙ୍କୁ ଉଦ୍ଧାର କରିଛି। ଏହିି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧର ପଣ୍ଡା(୬୪)କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଶ୍ରୀ ପଣ୍ଡାର ଘର ବାଣପୁର କିଆଙ୍ଗସାହିରେ ଓ ସେ ବାଣପୁର ତହସିଲରେ ମୋହାରିର ଭାବେ କାର୍ଯ୍ୟ କରେ। ଏହି ଘଟଣା ପ୍ରଘଟ ହେବା ପର ଆଜି ସମଗ୍ର ଖୋର୍ଧା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

ଆଜି ଜିଲ୍ଲା ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଦୀପ୍ତି ରଂଜନ ରାୟ ଏ ସମ୍ପର୍କରେ ସୂଚନା ଦେଇ କହିଲେ, ଅଭିଯୁକ୍ତ ବିଦ୍ୟାଧର ବ୍ୟାଙ୍କରେ ଚାକିରି କରାଇଦେବା ବୋଲି ଲୋଭ ଦେଖାଇ ୨୧ ତାରିଖ ରାତିରେ ବାଣପୁର ଅଞ୍ଚଳର ଜଣେ ନାବାଳିକାଙ୍କ ସମେତ ୪ ଜଣ ଯୁବତୀଙ୍କୁ ବସ୍‌ରେ ରାଉରକେଲା ନେଇଥିଲା। ଯୁବତୀମାନଙ୍କ ବୟସ ୧୭ରୁ ୨୦ ବର୍ଷ ଭିତରେ ବୋଲି ଜଣାପଡ଼ିଛି। ସେମାନଙ୍କୁ ରାଉରକେଲାର ପ୍ଲାଣ୍ଟସାଇଡ୍‌ ଅଞ୍ଚଳର ଏକ ହୋଟେଲ୍‌ରେ ରଖାଯାଇଥିଲା। ତେବେ ଏ ସମ୍ପର୍କରେ ପ୍ଲାଣ୍ଟସାଇଡ୍‌ ଥାନା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ୨୨ ତାରିଖ ରାତି ୧୧ଟାରେ ହୋଟେଲ୍‌ରେ ଚଢ଼ଉ କରି ଏହି ଯୁବତୀମାନଙ୍କୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ ଏକ ସର୍ଟଷ୍ଟେ ହୋମ୍‌ରେ ରଖି ଖୋର୍ଧା ପୁଲିସ୍‌କୁ ଖବର ଦେଇଥିଲା। ଖୋର୍ଧାରୁ ଏକ ପୁଲିସ୍‌ ଟିମ୍‌ ଗତ ୨୩ ତାରିଖ ରାତିରେ ଯାଇ ରାଉରକେଲାରୁ ଯୁବତୀମାନଙ୍କୁ ଉଦ୍ଧାର କରି ଖୋର୍ଧାକୁ ଆଣିଥିଲେ। ଯୁବତୀଙ୍କୁ ସଙ୍ଗରେ ନେଇଥିବା ଅଭିଯୁକ୍ତ ବିଦ୍ୟାଧରକୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ଯୁବତୀମାନଙ୍କୁ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବିଦ୍ୟାଧର ସେମାନଙ୍କଠାରୁ ୩ରୁ ୭ ହଜାର ଟଙ୍କା ମଧ୍ୟ ଆଦାୟ କରିଥିବା ଏସପି ଶ୍ରୀ ରାୟ ସୂଚନା ଦେଇଛନ୍ତି। କେତେବେଳେ ଫର୍ମ ପକାଇବା, କେତେବେଳେ ରେଜିଷ୍ଟ୍ରେସନ୍‌, ପରୀକ୍ଷା ଆଳରେ ଏହି ଅର୍ଥ ସେମାନଙ୍କଠାରୁ ନିଆଯାଇଥିବା ଯୁବତୀମାନେ ଅଭିଯୋଗ କରିଛନ୍ତି। ଏହ ପୂର୍ବରୁ ଅନ୍ୟ ୨ ଜଣ ଯୁବତୀଙ୍କୁ ବିଦ୍ୟାଧର ଚାକିରି କରାଇଦେବା ଆଳରେ ଭୁବନେଶ୍ୱର ରାଉରକେଲା ଓ ସୁନ୍ଦରଗଡ଼ ନେଇଥିବା ଜଣାପଡ଼ିଛି। ପୁଲସ୍‌ ବର୍ତମାନ ବିଦ୍ୟାଧର ବିରୋଧରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଯୁବତୀମାନଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସେ ଚକ୍ରାନ୍ତ କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ପୁଲିସ୍‌ ଖୋଳତାଡ଼ କରୁଛି। ୨୦୦୪ରେ ଦାଦନ ଶ୍ରମିକ ଚାଲାଣ କରିଥିବା ଅଭିଯୋଗରେ ମଧ୍ୟ ଅଭିଯୁକ୍ତ ବିଦ୍ୟାଧରକୁ ପୁଲିସ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର