ଚନ୍ଦ୍ରଶେଖରପୁର : ଆଜି ରାତି ପ୍ରାୟ ୯ଟା ବେଳେ ଶୈଳଶ୍ରୀବିହାରସ୍ଥିତ ସେଭେନ୍ଥ ହୋଟେଲ୍ରେ ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ୪ ଜଣ ଯୁବକ ଆହତ ହୋଇଛନ୍ତି। ଦୁଇ ଜଣ ଆହତଙ୍କ ପରିଚୟ ମିଳିଛି। ସେମାନେ ହେଲେ ବେଣୁଧର ବେହେରା ଓ ଲକ୍ଷ୍ମୀଧର ବେହେରା। ସୂଚନାନୁଯାୟୀ ରାସ୍ତା କଡ଼ରେ ଥିବା ଏହି ହୋଟେଲ ସମ୍ମୁଖରେ କିଛି ଗ୍ରାହକ ଠିଆ ହୋଇଥିଲେ। କାର୍ଟି ଏତେ ଦ୍ରୁତବେଗରେ ଦୋକାନ ଉପରକୁ ମାଡ଼ି ଯାଇଥିଲା ଯେ ଠିଆ ହୋଇଥିବା ଲୋକେ ସେଠାରୁ ଚାଲିଯିବାକୁ ସମୟ ପାଇନଥିଲେ। ଫଳରେ ୪ଜଣ ଗ୍ରାହକଙ୍କୁ କାର୍ଟି ଧକ୍କା ଦେଇଥିଲା ଓ ସେମାନେ କିଛି ଦୂରକୁ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍କୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି।
ଦୁର୍ଘଟଣାରେ ଦୁଇ ମୃତ
ଭୁବନେଶ୍ବର : ରାଜଧାନୀରେ ଆଜି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦୁର୍ଘଟଣା ଆଚାର୍ଯ୍ୟବିହାର ସାଇନ୍ସ ପାର୍କ ନିକଟରେ ଘଟିଥିବା ବେଳେ ଅନ୍ୟଟି ଲକ୍ଷ୍ମୀସାଗର ଛକ ନିକଟରେ ହୋଇଛି। ଆଚାର୍ଯ୍ୟବିହାର ଛକ ନିକଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ପୋଖରୀପୁଟ ଅଞ୍ଚଳର ରବୀନ୍ଦ୍ର କୁମାର ସାମନ୍ତରାୟ। ଅନ୍ୟ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆଜି ରାତି ପ୍ରାୟ ୧୦ଟାରେ ରବୀନ୍ଦ୍ର ସାଇନ୍ସ ପାର୍କ ନିକଟରେ ଗାଡ଼ି ରଖି ରାସ୍ତା ଅପର ପାର୍ଶ୍ବକୁ ଯାଇଥିଲେ। ସେଠାରେ କାମ ସାରି କାର ନିକଟକୁ ଫେରୁଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସଂକଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ରବୀନ୍ଦ୍ରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଏକ ଦୁର୍ଘଟଣାରେ ଲକ୍ଷ୍ମୀସାଗର ଛକ ନିକଟରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିଚୟ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/accident2.jpg)